Image Source: Hindustan Times
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଦିଲ୍ଲୀର ସମସ୍ତ ୧୧ଟି ଜିଲ୍ଲାକୁ ଏବେ ହଟ୍ସ୍ପଟ୍ ଘୋଷଣା କରାଯାଇଛି ଏବଂ ସମୁଦାୟ ୭୫ଟି ଅଞ୍ଚଳକୁ ଅବରୋଧ କରାଯାଇଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ଲକ୍ଡାଉନ୍ କିଛି ପରିମାଣରେ କୋହଳ ହେବ। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀରେ ଲକ୍ଡାଉନ୍ ପୂର୍ବଭଳି ଜାରି ରହିବ। ଏପ୍ରିଲ ୨୭ ତାରିଖରେ ବିଶେଷଜ୍ଞମାନଙ୍କର ସମୀକ୍ଷା ବୈଠକ ହେବା ପୂର୍ବରୁ ଦିଲ୍ଲୀରେ ଲକ୍ଡାଉନ୍ କୋହଳ ହେବନାହିଁ ବୋଲି କେଜ୍ରିୱାଲ୍ କହିଛନ୍ତି। ଦିଲ୍ଲୀ ବାସିନ୍ଦାଙ୍କ ଜୀବନ ପ୍ରତି ଗୁରୁତ୍ବ ଦେଇ ଦିଲ୍ଲୀରେ ଲକ୍ଡାଉନ୍ କୋହଳ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୭ ତାରିଖରେ ଆମେ ସମସ୍ତ ବିଶେଷଜ୍ଞଙ୍କ ସହ ବସି ବୈଠକ କରିବୁ ଏବଂ ସ୍ଥିତି ସମୀକ୍ଷା କରିବାପରେ ଲକ୍ଡାଉନ୍ ନିୟମ କୋହଳ ହେବା ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଏବେ ୭୫ଟି ହଟ୍ସ୍ପଟ୍ ରହିଛି ଏବଂ ଏହିସବୁ ଅଞ୍ଚଳରେ ଲକ୍ଡାଉନ୍ ନିର୍ଦ୍ଦେଶାବଳୀ ଜାରି ରହିଛି। କେଜ୍ରିୱାଲ୍ କହିଛନ୍ତି ଦିଲ୍ଲୀରେ ଏବେ ପ୍ରାୟ ୧୯୦୦ ମାମଲା ରହିଛି। ଏଥି ମଧ୍ୟରୁ ୨୬ ଜଣ ଆଇସିୟୁରେ ଥିବାବେଳେ ୬ ଜଣ ଭେଣ୍ଟିଲେଟରରେ ଅଛନ୍ତି ଏବଂ ୪୩ ଜଣଙ୍କ ମୃତ୍ୟୁ ହୋଇଛି। ଲକ୍ଡାଉନ୍ ନିୟମ କୋହଳ ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ଏବଂ ରୋଗୀଙ୍କ ସଂଖ୍ୟା ବଢ଼ିଲେ ଚିକିତ୍ସା କଷ୍ଟଦାୟକ ହେବ ବୋଲି ସେ କହିଛନ୍ତି। ଗୋଟିଏ ପଟେ କେଜ୍ରିୱାଲ୍ କହିଛନ୍ତି, ଭୟ କରିବାର କିଛି ନାହିଁ ଏବଂ ସ୍ଥିତି ନିୟନ୍ତ୍ରଣରେ ଅଛି, କିନ୍ତୁ ଅନ୍ୟପକ୍ଷେ ଦିଲ୍ଲୀର ୧୮୬ଟି ମାମଲାରେ କୌଣସି ଲକ୍ଷଣ ଦେଖା ଦେଇନଥିବାରୁ ସେ ଏଥିନେଇ ଚିନ୍ତା ପ୍ରକଟ କରିଛନ୍ତି।
Follow Us