ଛତିଶଗଡ଼ରେ କରୋନା ସ୍ଥିତି ଅଣାୟତ୍ତ : ରାୟପୁରରେ ଏପ୍ରିଲ ୯ ରୁ୧୯ ସଂପୂର୍ଣ୍ଣ ଲକଡାଉନ୍

କ୍ରିକେଟ୍ ସିରିଜ ଆୟୋଜନ କରି ବିପଦ ଡାକିଆଣିଲେ

ଛତିଶଗଡ଼ରେ କରୋନା ସ୍ଥିତି ଅଣାୟତ୍ତ : ରାୟପୁରରେ ଏପ୍ରିଲ ୯ ରୁ୧୯ ସଂପୂର୍ଣ୍ଣ ଲକଡାଉନ୍

ରାୟପୁର: ଛତିଶଗଡ଼ରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ମଙ୍ଗଳବାରଦିନ ରାଜ୍ୟରେ ମୋଟ ୯୯୨୧ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି, ଯାହାକି ଗତ ବର୍ଷ କରୋନା ଆସିବା ପରଠାରୁ ସର୍ବାଧିକ ଦୈନିକ ସଂକ୍ରମଣ । ସ୍ଥିତିକୁ ଦେଖି ରାଜଧାନୀ ରାୟପୁରରେ ଆସନ୍ତା ଏପ୍ରିଲ ୯ରୁ ୧୯ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଏଥିସହିତ ଛତିଶଗଡ଼ ସରକାର ରାୟପୁର ଜିଲ୍ଲାକୁ ଏକ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ରାୟପୁର ଜିଲ୍ଲାପାଳ ଏସ୍.ଭାରତୀ ଦଶନ୍ କହିଛନ୍ତି, ପୂରା ଜିଲ୍ଲାର ସୀମକୁ ସିଲ୍ କରାଯାଇଛି। ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ଆଉ ସବୁ କାର୍ଯ୍ୟକଳାପକୁ ବନ୍ଦ ରଖାଯାଇଛି।

ରାଜ୍ୟରେ ସଂକ୍ରମଣ ବଢିବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଆଜି ଏକ ଜରୁରୀ ବୈଠକ ଡକାଇ ସ୍ଥିତିର ସମୀକ୍ଷା କରିଛନ୍ତି । କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଅତି ଜରୁରୀ ନ ହେଲେ ବାହାରକୁ ନ ବାହାରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ।

ତେବେ ରାୟପୁରରେ କରୋନା ସଂକ୍ରମଣ ବଢିବାର କାରଣ ଭାବେ ଗତ ମାସରେ ଅନୁଷ୍ଠିତ ହୋଇଥିବା ରୋଡ ସେଫଟି କ୍ରିକେଟ ସିରିଜକୁ ଦାୟୀ କରାଯାଉଛି ।  ଏହି ସିରିଜରେ ବିଗତ ଦିନର କ୍ରିକେଟ ତାରକା ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହଓ୍ବାଗ, ଯୁବରାଜ ସିଂ, ଇରଫାନ ପଠାନ ଓ କେତେକ ବିଦେଶୀ ଖେଳାଳୀ ଯୋଗ ଦେଇଥିଲେ । ସେହି ସମୟରେ ଅନୁଷ୍ଠିତ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ବିନା ଦର୍ଶକରେ ଖେଳାଯାଉଥିବା ବେଳେ ରାୟପୁରରେ ଏହି ସିରିଜକୁ ହଜାର ହଜାର ଦର୍ଶକ ଷ୍ଟାଡିୟମରେ ବସି ଉପଭୋଗ କରିଥିଲେ । ଏହା ପରଠାରୁ ରାୟପୁରରେ ସ୍ଥିତି ବିଗିଡ଼ିଯାଇଥିବା ଲକ୍ଷ୍ୟ କରାଯାଉଛି ।

ଏପରିକି ଏହି ଖେଳ ଦେଖିବାକୁ ଓଡ଼ିଶାରୁ ଯାଇଥିବା ବହୁ ବ୍ୟକ୍ତି ସଂକ୍ରମିତ ହୋଇ ଓଡ଼ିଶା ଫେରିଆସିଛନ୍ତି । ଏହି ମ୍ୟାଚ ଖେଳିବା ପରେ ସଚିନ, ଇରଫାନ, ଯୁବରାଜ ଓ ବଦ୍ରିନାଥ କରୋନା ସଂକ୍ରମିତ ହୋଇଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe