ଲକ୍‌ଡାଉନ୍‌ ୩୭ହଜାରରୁ ୭୮ହଜାର ମୃତ୍ୟୁକୁ ରୋକି ପାରିଛି

Advertisment
ଲକ୍‌ଡାଉନ୍‌ ପରେ ବଦଳିଯିବ ଜୀବନଶୈଳୀ

Deccan Herald

ନୂଆଦିଲ୍ଲୀ : ଭାରତ ପାଇଁ ଲକ୍‌ଡାଉନ୍‌ ବରଦାନ ସାବ୍ୟସ୍ତ ହୋଇଛି। ଲଗାତାର ୪ଟି ପର୍ଯ୍ୟାୟ ଲକ୍‌ଡାଉନ୍‌ ଯୋଗୁଁ ଦେଶରେ କରୋନାଜନିତ ବଡ଼ ବିପର୍ଯ୍ୟୟକୁ ଟାଳି ଦିଆଯାଇପାରିଛି। ଲକ୍‌ଡାଉନ୍‌ ଯୋଗୁଁ ୧୪-୨୯ ଲକ୍ଷ ସଂକ୍ରମଣ ମାମଲାକୁ ରୋକି ହୋଇଛି ଏବଂ ୩୭ ହଜାରରୁ ୭୮ ହଜାର ମୃତ୍ୟୁକୁ ରୋକାଯାଇ ପାରିଛି। ପ୍ରଥମ ୨ ପର୍ଯ୍ୟାୟର ଲକ୍‌ଡାଉନ୍‌ ସଂକ୍ରାନ୍ତ ସମୀକ୍ଷାକୁ ଉପସ୍ଥାପନ କରି ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭିକେ ପଲ୍‌‌ କହିଛନ୍ତି, କଡ଼ା କଟକଣା ଯୋଗୁଁ କ‌ରୋନା ବ୍ୟାପିବାର ତୀବ୍ରତାକୁ କମାଇ ଦିଆଯାଇଛି। ଏପ୍ରିଲ ୩ରେ ଦେଶରେ ଦିନକୁ ୨୨.୬ ପ୍ରତିଶତ ନୂଆ ମାମଲା ଥିଲା। କିନ୍ତୁ ଏପ୍ରିଲ ୪ ପରେ ସଂକ୍ରମଣର ମାତ୍ରା ବହୁତ କମିଗଲା। ଲକ୍‌ଡାଉନ୍‌ ଯୋଗୁଁ କେବଳ ସଂକ୍ରମଣ କମିନାହିଁ ବରଂ ଚିକିତ୍ସା କ୍ଷେତ୍ରରେ ଅଧିକ ଦୃଢ଼ ପଦକ୍ଷେପ ଗ୍ରହଣ କରିବାପାଇଁ ସରକାରଙ୍କୁ ଆଗୁଆ ସମୟ ମିଳିଥିଲା। ବିସିଜି (ବୋଷ୍ଟନ୍‌ କନସଲ୍ଟିଙ୍ଗ୍‌ ଗ୍ରୁପ୍‌) ଅନୁଯାୟୀ ଲକ୍‌ଡାଉନ୍‌ ଯୋଗୁଁ ୩୬-୭୦ ଲକ୍ଷ ସଂକ୍ରମଣ ମାମଲା ଏବଂ ୧.୨-୨.୧ ଲକ୍ଷ ମୃତ୍ୟୁକୁ ରୋକିବା ସମ୍ଭବ ହୋ‌ଇଛି।

ଦେଶରେ ସଂକ୍ରମଣ ବଢ଼ି ଚାଲିଥିଲେ ମଧ୍ୟ ଲକ୍‌ଡାଉନ୍‌ ଯୋଗୁଁ କ‌ରୋନା ଭାଇରସ୍‌ର ତୀବ୍ରତାକୁ ହ୍ରାସ କରିବା ସମ୍ଭବ ହୋଇଛି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଲକ୍‌ଡାଉନ୍‌ ଯୋଗୁଁ କୋଭିଡ୍-୧୯ର ତୀବ୍ରତା ୬୦ ପ୍ରତିଶତରୁ ଅଧିକ କମିଯାଇଛି । ୫୪ ଦିନର କଡ଼ା କଟକଣା ପରେ ଭାରତରେ ଲକ୍‌ଡାଉନ୍‌ ୪.୦ରେ ନିୟମକୁ ଅଧିକ କୋହଳ କରାଯାଇଥିଲା। ମାର୍ଚ୍ଚ ୨୫ରେ ପ୍ରଥମେ ୫୦୦ ମାମଲା ଥିବା ବେଳେ ମେ' ୧୮ ରେ ଲକ୍‌ଡାଉନ୍‌ କଟକଣା କୋହଳ ହେବାପରେ ମାମଲା ୧ ଲକ୍ଷ ଟପିଛି। ମେ' ୭ ପରଠାରୁ ଦେଶରେ ପ୍ରତିଦିନ ସଂକ୍ରମଣ ମାମଲ‌ା ୩ ହଜାରରୁ ଅଧିକ ରହିଛି। ୨୨ ତାରିଖରେ ସର୍ବାଧିକ ୬ ହଜାର ମାମଲା ରେକର୍ଡ କରାଯାଇଛି। ସଂକ୍ରମଣର ବୃଦ୍ଧି ହାର ଆକଳନ ଏ ନେଇ ଏକ ଭିନ୍ନ ଚିତ୍ର ପ୍ରଦାନ କରିଛି। ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ମାର୍ଚ୍ଚ ୨୪ ତାରିଖରେ ତଥା ଲକ୍‌ଡାଉନ୍‌ର ଦିନକ ପୂର୍ବରୁ ଦେଶରେ ଆର୍-୦ (ଭାଇରସ୍‌ ପୀଡ଼ିତଙ୍କ ଦ୍ବାରା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ହାର) ୩.୩୬ ଥିଲା। ଅର୍ଥାତ୍‌ ଜଣେ ସଂକ୍ରମିତ ବ୍ୟକ୍ତି ୩ ଜଣରୁ ଅଧିକଙ୍କୁ ସଂକ୍ରମିତ କରିପାରୁଥିଲେ। କିନ୍ତୁ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହେବାପରେ ତଥା ଏପ୍ରିଲ ୧୪ରେ ଆର୍-୦ ୧.୭୧କୁ କମିଆସିଲା। ମେ' ୩ରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବାପରେ ଆର୍-୦ ପୁଣି ୧.୪୬କୁ କମିଆସିଲା। ମେ' ୧୬ରେ ଏହା ପୁଣି ୧.୨୭ ରହିଛି। ଏହାର ଅର୍ଥ ହେଉଛି ଲକ୍‌ଡାଉନ୍‌ ଯୋଗୁଁ ସଂକ୍ରମଣର ବୃଦ୍ଧିହାର ୩ ଗୁଣା କମିଯାଇଛି। କିନ୍ତୁ ଭାରତରେ ଆର୍-୦ ଏବେ ବି ୧ରୁ ଅଧିକ ରହିଛି। ରାଜ୍ୟୱାରି ତଥ୍ୟରୁ ଏହା ଜଣାପଡ଼ିଛି ଯେ, ଅଧିକାଂଶ ରାଜ୍ୟରେ ଆର୍-୦ ୧ରୁ ଅଧିକ ରହିଛି। ଆର୍-୦ ଅନୁଯାୟୀ ମଧ୍ୟ ରାଜ୍ୟମାନଙ୍କୁ ୪ ଭାଗରେ ବିଭକ୍ତ କରାଯାଇଛି। ଆର୍-୦ ୨ରୁ ଅଧିକ ରହିଲେ ଏହା ରେଡ୍‌ ଷ୍ଟେଟ୍‌ , ଆର୍-୦ଓ ୧ରୁ କମ୍‌ ରହିଲେ ଏହା ଗ୍ରିନ୍‌ ଷ୍ଟେଟ୍‌ରେ ରହିବ। ସେହିପରି ଅନ୍ୟ କିଛି ରାଜ୍ୟଙ୍କୁ ଜାତୀୟ ହାରାହାରି ଠାରୁ ଆର୍-୦ ଅଧିକ ଥିବା ରାଜ୍ୟ ଏବଂ ଜାତୀୟ ହାରାହାରିଠାରୁ ଆର୍-୦ କମ୍‌ ଥିବା ରାଜ୍ୟ ଭାବେ ବିଭକ୍ତ କରାଯାଇଛି। ତେବେ ରେଡ୍‌ ଜୋନ୍‌ରେ ଓଡ଼ିଶା ରହିଛି। ଓଡ଼ିଶାରେ ଆର୍-୦ ୩ ଅଛି। ଓଡ଼ିଶା ପଛକୁ ତ୍ରିପୁରାରେ ୨.୪ , ତେଲେଙ୍ଗାନାରେ ୨.୩୪ ଏବଂ ବିହାରରେ ଆର୍-୦ଏବେ ୨.୨୪ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe