ଏପ୍ରିଲ ୧୪ ପରେ ବି ବଢ଼ିପାରେ ଲକ୍‌ଡାଉନ୍, ୧୪ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଲକ୍‌ଡାଉନ୍‌ ଅବଧି ବଢ଼ାଇବା ପାଇଁ ରାଜ୍ୟ ଓ ବିଶେଷଜ୍ଞମାନଙ୍କ ଅନୁରୋଧ

ଲକଡାଉନ ନିୟମ ଠିକଭାବରେ ପାଳନ ହେଉନଥିବାରୁ ଗୃହ ମନ୍ତ୍ରାଳୟ କ୍ଷୁବଧ

businesstoday

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଏବଂ ବ୍ୟାପକ ସତର୍କତ‌ା ସତ୍ତ୍ବେ ଦେଶରେ କ‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ୧୪ଟି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରହିଛି। ବିଭିନ୍ନ ସ୍ଥାନରେ ଏବେ କରୋନା ହଟ୍‌ସ୍ପଟ୍‌ ଚିନ୍ତା ବଢ଼ାଇଲାଣି। ଏବେ ଦେଶର କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବାବେଳେ ଭାରତ ଏବେ ଷ୍ଟେଜ୍‌ ୨ ଏବଂ ଷ୍ଟେଜ୍‌ ୩ ମଧ୍ୟରେ ଅଛି ବୋଲି ଜଣାପଡ଼ିଥିବାରୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧି ବଢ଼ାଇବାପାଇଁ ବିଚାରବିମର୍ଶ ଜାରି ରଖିଛନ୍ତି।

ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ଆଜି ୨ ସପ୍ତାହ ପୂରିଛି। ଆସନ୍ତା ଏପ୍ରିଲ ୧୪ ତାରିଖରେ ୨୧ଦିନିଆ ଲକ୍‌ଡାଉନ୍‌ ଅବଧି ସରୁଥିବା ବେଳେ ବିଭିନ୍ନ ରାଜ୍ୟ ମୁଖ୍ୟ ଏବଂ ବିଶେଷଜ୍ଞମାନେ ଲକ୍‌ଡାଉନ୍‌ ଅବଧି ବଢ଼ାଇବାପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ତେଣୁ ସରକାର ଲକ୍‌ଡାଉନ୍‌ ଅବଧି ବଢ଼ାଇବା ନେଇ ବିଚାର କରୁଛନ୍ତି ବୋଲି ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି। ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରି ଦେଶରେ କରୋନା ନିୟନ୍ତ୍ରଣ ପାଇଁ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ କହିଥିଲେ। ଲକ୍‌ଡାଉନ୍‌ ହଟିଲେ ଦେଶରେ ଅନେକ ଜୀବନହାନି ହେବ ବୋଲି ଶ୍ରୀ ରାଓ କହିଥିଲେ। କେସିଆରଙ୍କ ପୂର୍ବରୁ ଉତ୍ତରପ୍ରଦେଶ ସରକାର ବି ୧୪ ତାରିଖରେ ଲକ୍‌ଡାଉନ୍‌ ହଟିବନି ବୋଲି ପୂର୍ବରୁ ସୂଚାଇ ଦେଇଛନ୍ତି। ସେହିପରି ପଞ୍ଜାବରେ ଜଣେ ବରିଷ୍ଠ ଅମଲା ଏବଂ ମହାରାଷ୍ଟ୍ରରେ ଜଣେ ମନ୍ତ୍ରୀ ମଧ୍ୟ ସମାନ ମତ ରଖିଛନ୍ତି। ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ଆଜି କହିଛନ୍ତି, ଲକ୍‌ଡାଉନ୍‌ର ଶେଷ ସପ୍ତାହ ଅତ୍ୟନ୍ତ ଚିନ୍ତାଜନକ। କରୋନା ଭାଇରସ୍‌ ବ୍ୟାପିବା ତଥ୍ୟକୁ ଆଧାର କରି ସରକାର କିଛି ନିଷ୍ପତ୍ତି ନେ‌ବେ। ତେବେ ସରକାର ଯେ କୌଣସି ନିଷ୍ପତ୍ତି ନେଲେ ବି ସମସ୍ତ ଲୋକ ଏହାକୁ ମା‌ନିନେବାପାଇଁ ନାଇଡ଼ୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ସରକାରଙ୍କ ପୋର୍ଟାଲ୍‌ ‘ମାଇଁଗଭ୍‌ଇଣ୍ଡିଆ’ର ଟ୍ବିଟର ହ୍ୟାଣ୍ଡେଲ୍‌ରେ ଲକ୍‌ଡାଉନ୍‌ ଅବଧି ବଢ଼ିବାର କୌଣସି ଯୋଜନା ନାହିଁ ବୋଲି କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ଟ୍ବିଟ୍‌ କରିଥିଲେ। ତେବେ ଏହି ଟ୍ବିଟ୍‌କୁ ପ୍ରତ୍ୟା‌ହାର କରି ନିଆଯାଇଥିବାରୁ ଏହା ଲକ୍‌ଡାଉନ୍‌ ଅବଧି ବଢ଼ିବା ସଙ୍କେତ ଦେଉଛି ‌ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe