ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ଦେଶ କରୋନା ମହାମାରୀ ସହ ଯୁଝୁ ଥିବାବେଳେ ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ବହିରାଗତ ପଙ୍ଗପାଳ ଦଙ୍ଗଲର ଆକ୍ରମଣ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ସବୁ ରାଜ୍ୟରେ ପଙ୍ଗପାଳ ଆକ୍ରମଣ ଆଗକୁ ଏକ ବଡ଼ ଏବଂ ମାରାତ୍ମକ ଆକ୍ରମଣର ପୂର୍ବ ସୂଚନା ମାତ୍ର! ଆଗକୁ ଜୁନ୍ ମଧ୍ୟଭାଗରୁ ଜୁଲାଇ ଶେଷ ମଧ୍ୟରେ ଏହି ପଙ୍ଗପାଳ ଦଙ୍ଗଲ ଦେଶର ଶସ୍ୟକ୍ଷେତ୍ର ଉପରେ ଶଣ୍ଢୁଆଶୀ ଆକ୍ରମଣ କରି ଶସ୍ୟକ୍ଷେତ୍ରମାନଙ୍କରେ ବିଭୀଷିକା ସୃଷ୍ଟି କରିବାର ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ନପାରେ ବୋଲି ସତର୍କବାଣୀ ଶୁଣାଇଛି ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍ଏଓ)।
ଏଫ୍ଏଓର ଆକଳନ ଅନୁଯାୟୀ, ଭାରତ ଦୁଇ ପାର୍ଶ୍ୱରୁ ଆରବ ସାଗର ଠାରୁ ଗୁଜୁରାଟ ଉପକୂଳ ପର୍ଯ୍ୟନ୍ତ ଏବଂ ପାକିସ୍ତାନ ସୀମାରୁ ରାଜସ୍ଥାନର ବାରମେର, ଜିସାଲଲମେର, ନାଗୋର, ବିକାନେର ପ୍ରମୁଖ ବାଟ ଦେଇ ସମଗ୍ର ଦେଶ ପଙ୍ଗପାଳ ଆକ୍ରମଣର ସମ୍ମୁଖୀନ ହେବ।
Outlookindiaଏଫ୍ଏଓ ଠାରୁ ସତର୍କ ସୂଚନା ପାଇବା ପରେ ରାଜସ୍ଥାନ ଏବଂ ଗୁଜୁରାଟରେ ସେମାନଙ୍କୁ ରୋକିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଛନ୍ତି କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ଲାଣ୍ଟ ପ୍ରୋଟେକସନ, କ୍ୱାରାଣ୍ଟିନ୍ ଏବଂ ଷ୍ଟୋରେଜ୍ (ପିପିଏକ୍ୟୁଏସ୍) ଡେପୁଟି ଡାଇରେକ୍ଟର କେ.ଏଲ୍ ଗୁଜ୍ଜର। ସେ ସ୍ୱୀକାର କରିଛନ୍ତି ଯେ ପଙ୍ଗପାଳ ଦଙ୍ଗଲ ଆମ ଫସଲ ଉପରେ ଅବାଞ୍ଛିତ କ୍ଷତି ଘଟାଇ ପାରନ୍ତି। ଏମାନେ ବିହାର ଏବଂ ପଶ୍ଚିମବଙ୍ଗକୁ ମଧ୍ୟ ଅକ୍ତିଆର କରିନେବା କିଛି ଅସମ୍ଭବ ନୁହେଁ; କାରଣ ସେମାନେ ଦିନକୁ ୧୫୦ କିଲୋମିଟରରୁ ଅତିକ୍ରମ କରିପାରିବାର କ୍ଷମତା ରଖୁଛନ୍ତି।
ଉଲ୍ଲେଖଯୋଗ୍ୟ, ସଂପ୍ରତି ବିଶ୍ୱର ୩୦ଟି ଦେଶ ପଙ୍ଗପାଳଙ୍କ ଶିକାରର ସମ୍ମୁଖୀନ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍ତମ ପାରସ୍ପରିକ ସହଯୋଗ ଏବଂ ସମନ୍ଵୟ ପାଇଁ ଏହି ଦେଶଗୁଡ଼ିକୁ ତିନିଟି ଆଞ୍ଚଳିକ ଆୟୋଗରେ ବିଭକ୍ତ କରାଯାଇଛି- ପାଶ୍ଚାତ୍ୟ, ମଧ୍ୟ ଏବଂ ପୂର୍ବ ଅଞ୍ଚଳ ରୂପେ। ଆଫଗାନିସ୍ତାନ, ଭାରତ, ଇରାନ ଏବଂ ପାକିସ୍ତାନ ପୂର୍ବ-ଆୟୋଗର ଏକ ଅଂଶ ଯାହାକି ଦକ୍ଷିଣ-ପଶ୍ଚିମ ଏସିଆର ମରୁଭୂମି ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଏଫ୍ଏଓର ଆୟୋଗ ଭାବରେ ଜଣାଶୁଣା।
ରୋମରେ ଥିବା ଏଫ୍ଏଓର ମୁଖ୍ୟାଳୟରେ ବରିଷ୍ଠ ପଙ୍ଗପାଳ ପୂର୍ବାନୁମାନ ଅଧିକାରୀ କିଟ୍ କ୍ରସମ୍ୟାନ୍ ମଧ୍ୟ ଏହି ଆୟୋଗର କାର୍ଯ୍ୟନିର୍ବାହୀ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ଉପଗ୍ରହ ମାଧ୍ୟମରେ ମିଳୁଥିବା ରିଅଲ-ଟାଇମ ଜରିଆରେ ସେ ପଙ୍ଗପାଳମାନଙ୍କର ଗତିବିଧିକୁ ଯ୍ରାକ୍ କରନ୍ତି ଓ ସେହି ଆଧାରରେ ସେ ସମ୍ପୃକ୍ତ ଦେଶମାନଙ୍କୁ ସେ ଅପଡେଟ୍ ଏବଂ ଆଲର୍ଟ ପ୍ରଦାନ କରୁଛନ୍ତି ବୋଲି ଗୁଜ୍ଜର କହିଛନ୍ତି।
ସେ କହିଛନ୍ତି, କ୍ରସମ୍ୟାନ୍ଙ୍କ ସଦ୍ୟତମ ସୂଚନା ଅନୁଯାୟୀ ଜୁନ୍ ଶେଷ ସୁଦ୍ଧା ଗୁଜୁରାଟ ଉପକୂଳରେ ଆରବ ସାଗର ଦେଇ ପୂର୍ବ ଆଫ୍ରିକାରୁ ପଙ୍ଗପାଳ ଆସିବେ। ଦ୍ୱିତୀୟ ଆକ୍ରମଣ ଇରାନ ଏବଂ ବାଲୁଚିସ୍ତାନ ପଟୁ ହେବ। ଏହି ଦୁଇ ଆକ୍ରମଣ ପ୍ରାୟ ଏକ ସମୟରେ ହେବ। ତେଣୁ, ଜୁନ୍ ଏବଂ ଜୁଲାଇ ଶେଷ ପର୍ଯ୍ୟନ୍ତ, ଆମେ ଏକାଧିକ ଆକ୍ରମଣର ଆଶା କରୁଛୁ। ବର୍ତ୍ତମାନ ଯାହା ଦେଖିବା ପାଇଁ ମିଳୁଛି ତାହା ତା’ଠାରୁ ବହୁଗୁଣ ଅଧିକ ହେବ।
Follow Us