ଚେନ୍ନାଇ: ୩୨ ବର୍ଷ ହେବ ମାଆଙ୍କୁ ଦେଖି ନାହାନ୍ତି ବୋଲି ତ୍ରିଚୀ ସେଣ୍ଟ୍ରାଲ୍ ଜେଲ୍ ପରିସରରେ ସ୍ବତନ୍ତ୍ର ଶିବିରରେ ରଖାଯାଇଥିବା ରାଜୀବ ଗାନ୍ଧୀ ହତ୍ୟା ମାମଲାର ଅନ୍ୟତମ ଦୋଷୀ ଶ୍ରୀଲଙ୍କୀୟ ନାଗରିକ ସାନ୍ତନ ଓରଫ୍ ଟି. ସୁତେନ୍ତିରାରାଜା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିବା ୭ଜଣ ଦୋଷୀଙ୍କ ମଧ୍ୟରୁ ଟି. ସୁତେନ୍ତିରାରାଜା ଅନ୍ୟତମ।
୨୦୨୨ ନଭେମ୍ବର ୧୧ ତାଙ୍କୁ ମୁକ୍ତ କରିବା ଲାଗି ସୁପ୍ରିମ୍ କୋର୍ଟ ଆଦେଶ ଦେଇଥିଲେ ବି ମୁରୁଗାନ୍, ରବର୍ଟ ପାୟାସ୍ ଏବଂ ଜୟକୁମାର ଆଦି ଅନ୍ୟ ଦୋଷୀମାନଙ୍କ ସହିତ ଟି. ସୁତେନ୍ତିରାରାଜାଙ୍କୁ ମଧ୍ୟ ତ୍ରିଚୀ କେନ୍ଦ୍ରୀୟ କାରାଗାର ପରିସରସ୍ଥିତ ସ୍ବତନ୍ତ୍ର ଶିବିରରେ ରଖାଯାଇଛି।
Image Courtesy of The News Minuteଦେହରେ ସୂର୍ଯ୍ୟ କିରଣ ପଡୁ ନ ଥିବା ଉକ୍ତ ସ୍ବତନ୍ତ୍ର ଶିବିର ଭିତରେ ତାଙ୍କ ଜୀବନ ବିଷୟରେ ଉଲ୍ଲେଖ କରି ଟି. ସୁତେନ୍ତିରାରାଜା ଏ ଚିଠି ଲେଖିଛନ୍ତି। ଏଥିରେ ସେ ସମଗ୍ର ବିଶ୍ବରେ ଥିବା ତାମିଲ୍ମାନଙ୍କୁ ଅନୁରୋଧ କରିଛନ୍ତି କି, ସେମାନଙ୍କ ସମର୍ଥନ ପାଇଲେ ସେ ସ୍ବଦେଶକୁ ଫେରି ତାଙ୍କ ଘରକୁ ଯାଇପାରନ୍ତେ।
ସେ କହିଛନ୍ତି ଯେ, ଶ୍ରୀଲଙ୍କାକୁ ପଠାଇ ଦେବା ପାଇଁ ଅଥବା ତାଙ୍କର ପରିଚୟ ପତ୍ର ନବୀକରଣ ଲାଗି ଚେନ୍ନାଇସ୍ଥିତ ଶ୍ରୀଲଙ୍କୀୟ ଡେପୁଟି କମିସନ୍ଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଇ ଦେବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖି ମଧ୍ୟ କୌଣସି ଉତ୍ତର ମିଳୁନାହିଁ।
Image Courtesy of India Todayସେ ଆହୁରି ମଧ୍ୟ ଲେଖିଛନ୍ତି, ଅନ୍ୟୂ ୬ ମାସ ହେବ ମତେ ଏହି ସ୍ବତନ୍ତ୍ର ଶିବିରରେ ରଖାଯାଇଛି। ଏଥିରେ ଥିବା ୧୨୦ରୁ ଅଧିକ ବିଦେଶୀ ନାଗରିକଙ୍କ ମଧ୍ୟରୁ ପ୍ରାୟ ୯୦ଜଣ ହେଉଛନ୍ତି ଶ୍ରୀଲଙ୍କାବାସୀ। ଏଠାରେ ତାମିଲୀ, ସିଂହଳୀ ଅଥବା ମୁସଲ୍ମାନଙ୍କ ମଧ୍ୟରେ କିଛି ବାଛବିଚର ରହୁନାହିଁ। ସରକାରଙ୍କ ତରଫରୁ ଆମକୁ ଦୈନିକ ୧୭୫ ଟଙ୍କା ମିଳୁଛି।
ରାଜୀବ ଗାନ୍ଧୀ ମାମଲାରେ ସୁପ୍ରିମ୍ କୋର୍ଟରୁ ମୁକ୍ତ ହେବା ପାଇଁ ଆଦେଶ ପାଇଥିବା ଆମ ୪ଜଣଙ୍କୁ ଯେଉଁ କୋଠରିରେ ରଖାଯାଇଛି ତା’ର ଝରକାଗୁଡ଼ିକୁ ଟିଣ ଚାଦର ବାଡ଼ାଇ ବନ୍ଦ କରିଦିଆଯାଇଛି। ଫୋନ୍ କରିବାକୁ ବି ଅନୁମତି ମିଳୁନାହିଁ। କେବଳ ରକ୍ତ ସମ୍ପର୍କୀୟମାନଙ୍କୁ ଭେଟିବାକୁ ସୁଯୋଗ ମିଳୁଛି। ମୋ ଭଳି ଜଣେ ବିଦେଶୀର ଭାରତରେ ରକ୍ତ ସମ୍ପର୍କୀୟ ଆସିବେ କେଉଁଠୁ ?
୩୨ ବର୍ଷ ହେଲାଣି ମାଆଙ୍କୁ ଦେଖି ନାହିଁ। ଶେଷ ଅବସ୍ଥାରେ ବାପାଙ୍କ ପାଖରେ ରହି ପାରି ନ ଥିବାରୁ ଭାରି ବିଚଳିତ ଲାଗୁଛି। ଏବେ ମାଆଙ୍କର ଶେଷ ଦିନମାନଙ୍କରେ ରହିବାକୁ ଇଚ୍ଛା କରିବା ଯଦି ମୋର ଭୁଲ୍ ତେବେ ମତେ କେହି ସହଯୋଗ କରିବା ଅନାବଶ୍ୟକ।
Follow Us