Parliament Photograph: (sambad.in)
ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ସ୍ଥଗିତ ରହିବା ପରେ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଧନ୍ୟବାଦ ପ୍ରସ୍ତାବ ପାରିତ କରିଦିଆଯାଇଛି। ୨୦୦୪ ପରେ ପ୍ରଥମ ଥର ଏପରି ହୋଇଛି। ୨୦୦୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହଟ୍ଟଗୋଳ ଯୋଗୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଜାରି ବିତର୍କରେ ଅଂଶଗ୍ରହଣ କରିପାରିନଥିଲେ। ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା।
ଆଜି ରାଜ୍ୟସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପ୍ରତି ଦେଇଥିବା ଅବୋଧ ବାଳକ ମନ୍ତବ୍ୟକୁ ନେଇ ରାଜ୍ୟସଭାରେ ଗୃହର ନେତା ନଡ୍ଡା ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ତୀବ୍ର ବିତର୍କ ଲାଗି ରହିଥିଲା। ଖଡ଼ଗେ ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିନକ ପୂର୍ବରୁ ଲୋକସଭାରେ ହୋଇଥିବା ଘଟଣାକୁ ଉଠାଇ କହିଥିଲେ, ବିରୋଧୀ ଦଳ ନେତାଙ୍କୁ କହିବାକୁ ଦିଆଯାଉନି। ନଡ୍ଡା ଏହା ଉପରେ ଆପତ୍ତି ଉଠାଇ ଅନ୍ୟ ସଦନ କଥା ଏଠାରେ କହିପାରିବେ ନାହିଁ ବୋଲି କହିଥିଲେ। ନଡ୍ଡା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଖଡ଼ଗେଙ୍କୁ ପରାମର୍ଶ ଦେଇ କହିଥିଲେ, ନିଜ ଦଳକୁ ଅବୋଧ ବାଳକ ହାତରେ ଚଳାଇବାକୁ ନଦେଇ ନିଜେ ସ୍ବାଧୀନ ଭାବେ ଗଣତାନ୍ତ୍ରିକ ଉପାୟରେ ଦଳକୁ ପରିଚାଳନା କରନ୍ତୁ। ପ୍ରଧାନମନ୍ତ୍ରୀ ଜବାବ ରଖିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ଆପଣ ଗୃହ ଚାଲିବାକୁ ଦେଇନଥିଲେ।
ଖଡ଼ଗେ ପ୍ରତିବାଦ କରି କହିଥିଲେ ସରକାର ବିତର୍କକୁ ଦମନ କରିବାକୁ ଚାହୁଛନ୍ତି ଓ ବିରୋଧୀଙ୍କ ସ୍ବର ଲୋକସଭାରେ ଚାପି ଦେବାକୁ ଚାହୁଛନ୍ତି। ଖଡ଼ଗେ କହିଥିଲେ, ସଂସଦ ଉଭୟ ଗୃହକୁ ନେଇ ଗଠିତ, କାହିଁକି ଗୃହରେ ଜାତୀୟ ପ୍ରସଙ୍ଗ ସ୍ବାଧୀନ ଭାବେ ଉଠାଇ ହେବନାହିଁ ବୋଲି ପ୍ରଶ୍ନ କରିଥିଲେ। ତୁମେମାନେ କେମିତି ଏହିପରି ଭାବେ ଗୃହକୁ ଚଳାଇ ପାରିବ ବୋଲି ଖଡ଼ଗେ ପ୍ରଶ୍ନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ କହିଥିଲେ, ରାହୁଲ ଗାନ୍ଧୀଙ୍କୁ କହିବାକୁ ପୂରା ସୁଯୋଗ ଦିଆଯାଇଛି। ଗୃହ ନିୟମ ଦ୍ବାରା ଚାଲିବ କିନ୍ତୁ ସେ ନିୟମ ମାନୁନାହାନ୍ତି। ଅର୍ଥମନ୍ତ୍ରୀ ଖଡ଼ଗେଙ୍କ ‘ହତ୍ୟା’ ମନ୍ତବ୍ୟକୁ ସଂସଦର କାର୍ଯ୍ୟଧାରାରୁ ହଟେଇବାକୁ ଦାବି କରିଥିଲେ। ସେ କେରଳରେ ଶିକ୍ଷକଙ୍କ ହାତ କାଟି ଦିଆଯିବା ପରି ପୁରୁଣା ପ୍ରସଙ୍ଗ ଉଠାଇ ତତ୍କାଳୀନ କଂଗ୍ରେସ ସରକାର କ’ଣ ପଦକ୍ଷେପ ନେଇଥିଲେ ବୋଲି ପ୍ରଶ୍ନ କରିଥିଲେ। ଗୋଟିଏ ସମୟରେ ଖଡଗେଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଅଧ୍ୟକ୍ଷଙ୍କ ଦ୍ୱାରା ସରକାରୀ ରେକର୍ଡରୁ ବାହାର କରିଦିଆଯାଇଥିଲା। ହଟ୍ଟଗୋଳ ବଢ଼ିବାରୁ କଂଗ୍ରେସ ସଦସ୍ୟ ରାଜ୍ୟସଭାରୁ ଚାଲି ଯାଇଥିଲେ। ସୋମବାର ରାହୁଲ ଗାନ୍ଧୀଙ୍କୁ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀରୁ କିଛି ଅଂଶ ପଢ଼ିବାକୁ ନଦେବାକୁ ନେଇ ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା।
ଅନ୍ୟପକ୍ଷରେ ଗୁରୁବାର ଲୋକସଭାରେ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଗୃହକାର୍ଯ୍ୟ ଦିନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ମଧ୍ୟାହ୍ନ୧୨ଟାରେ ପୁଣି ଥରେ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳ ସଦସ୍ୟ ପୁଣି ଥରେ ଗୃହ ମଧ୍ୟକୁ ଚାଲି ଆସିଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଓମ୍ ବିର୍ଲା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଭୋଟିଂ ପାଇଁ ଧନ୍ୟବାଦ ପ୍ରସ୍ତାବ ଗ୍ରହଣ କରିଥିଲେ ଏବଂ ଏହା ଭଏସ୍ ଭୋଟ (ବାଚନିକ ଭୋଟ) ଦ୍ୱାରା ଗୃହୀତ ହୋଇଥିଲା। ଧନ୍ୟବାଦ ପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ବଜେଟ୍ ଉପରେ ଚର୍ଚ୍ଚା କରିବାକୁ କହିଥିଲେ। କିନ୍ତୁ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଆଗକୁ ବଢ଼ି ପାରିନଥିଲା। ବାଚସ୍ପତି ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସ୍ଥଗିତ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ଣ ୫ଟାରେ ରାଜ୍ୟସଭାକୁ ସମ୍ବୋଧିତ କରିବେ।
Follow Us