ପତ୍ନୀଙ୍କ ମୃତ୍ୟୁର ୭ଦିନ ପରେ ବିମାନ ଦୁର୍ଘଟଣା ନେଲା ସ୍ବାମୀଙ୍କ ଜୀବନ, ଅନାଥ ହେଲେ ୨ଝିଅ

Advertisment
chg

ଅହମଦାବାଦ: ଏୟାର୍‌ ଇଣ୍ଡିଆର ବିମାନ ଏଆଇ-୧୭୧ (ବୋଇଂ ୭୮୭-୮ ଡ୍ରିମ୍‌ଲାଇନର୍) ଗୁରୁବାର ଅହମଦାବାଦରୁ ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଲଣ୍ଡନ ଅଭିମୁଖେ ଯାଉଥିବା ବିମାନଟି ଏକ ଆବାସିକ ଅଞ୍ଚଳ ନିକଟରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨୬୫ଜଣକର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ଭିନ୍ନ ଭିନ୍ନ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିବାରେ ଲାଗିଛି। ଏବେ ଲଣ୍ଡନରେ ରହୁଥିବା ଅର୍ଜୁନଭାଇ ମନୁଭାଇ ପଟୋଲିଆଙ୍କ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି। ଗୋଟାଏ ସପ୍ତାହ ମଧ୍ୟରେ କିଭଳି ୨ଝିଅ ଅନାଥ ହୋଇଗଲେ, ତାହା ଜାଣି ସମସ୍ତଙ୍କ ଛାତି କୋହରେ ଫାଟିପଡ଼ୁଛି। 

କୁହାଯାଉଛି ଯେ, ପତ୍ନୀ ଭାରତୀବେନଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ଅର୍ଜୁନଭାଇ ୨ଝିଅଙ୍କୁ ଲଣ୍ଡନରେ ଛାଡ଼ି ଭାରତ ଆସିଥିଲେ। ଭାରତୀବେନଙ୍କର ଗୋଟିଏ ସପ୍ତାହ ପୂର୍ବରୁ ଲଣ୍ଡନରେ ଦେହାନ୍ତ ହୋଇଥିଲା। ତାଙ୍କର ଶେଷ ଇଚ୍ଛା ଥିଲା ଯେ, ତାଙ୍କ ଅସ୍ତି ତାଙ୍କ ପୈତୃକ ଗାଁର ନଦୀରେ ବିସର୍ଜନ କରାଯାଉ। ଏହାକୁ ପୂରଣ କରିବାକୁ ଅର୍ଜୁନ ତାଙ୍କର ୮ ଓ ୪ବର୍ଷର ଦୁଇ ଝିଅଙ୍କୁ ଲଣ୍ଡନରେ ଛାଡି ଏକାକୀ ଭାରତ ଆସିଥିଲେ। ସବୁ ରୀତିନୀତି କରି ତାଙ୍କ ସ୍ତ୍ରୀଙ୍କ ଇଚ୍ଛା ଅନୁଯାୟୀ ଅସ୍ତିକୁ ଗାଁ ପୋଖରୀ ଏବଂ ନଦୀରେ ବିସର୍ଜନ କରିଥିଲେ ଅର୍ଜୁନଭାଇ। ଏହା ପରେ, ଅର୍ଜୁନ ଲଣ୍ଡନ ଫେରିବା ପାଇଁ ଏୟାର ଇଣ୍ଡିଆ ବିମାନରେ ଚଢ଼ିଥିଲେ। କିନ୍ତୁ ଭାଗ୍ୟର ଯୋଜନା କିଛି ଅଲଗା ଥିଲା। ଉଡ଼ାଣ କରିବାର କିଛି ସେକେଣ୍ଡରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ତାଙ୍କ ସହିତ ଶହ ଶହ ଲୋକଙ୍କର ଜୀବନ ଚାଲି ଯାଇଥିଲା।

ଏବେ ତାଙ୍କ ଅପେକ୍ଷାରେ ବସିରହିଥିବା ୨ଝିଅଙ୍କ ଭବିଷ୍ୟତ କ’ଣ ହେବ, ତାହାର ଉତ୍ତର କାହା ପାଖରେ ନାହିଁ। ଅର୍ଜୁନଙ୍କ ବାପାଙ୍କ ଦେହାନ୍ତ ହୋଇସାରିଥିବା ସହ ମା’ ସୁରଟରେ ରହୁଛନ୍ତି। ଗୋଟାଏ ସପ୍ତାହ ମଧ୍ୟରେ ପୁହ-ବୋହୂଙ୍କୁ ହରାଇ ସେ ଏବେ କଥା କହିବା ଅବସ୍ଥାରେ ନଥିବା କୁହାଯାଉଛି। ଏଭଳି ସ୍ଥିତିରେ ୨ଝିଅଙ୍କୁ କିଏ ସମ୍ଭାଳିବ, ସେ ପ୍ରଶ୍ନ ସମସ୍ତଙ୍କ ମନରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe