Image Courtesy of The Times of India
କୋଲ୍କାତା: ୨୦୦୨ରେ ଲୁଟ୍ ହୋଇଥିବା ପ୍ରାୟ ୧୫ କୋଟି ଟଙ୍କାର ଗୋଟାଏ ୩୨ କ୍ୟାରେଟ୍ ଗୋଲ୍କୋଣ୍ଡା ହୀରା ‘ସୁଇଚ୍ବୋର୍ଡ’ରୁ ଉଦ୍ଧାର କରାଯାଇଥିବା ଜାଣି କୋଲକାତା ଅଦାଲତର ଜଣେ ବିଚାରପତି ଏହି ଘଟଣାକୁ ସତ୍ୟଜିତ ରାୟଙ୍କ ପ୍ରସିଦ୍ଧ ଗୁଇନ୍ଦା ଚଳଚ୍ଚିତ୍ର ‘ଜୟ ବାବା ଫେଲୁନାଥ’ ଘଟଣା ସହିତ ତୁଳନା କରିଛନ୍ତି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଏହି ହୀରା ପାଇଁ ଦୀର୍ଘ ଦିନରୁ ଚାଲିଥିବା ମାମଲାର ଅବସାନ ଘଟିଥିଲା। ହୀରାର ମାଲିକଙ୍କୁ ଏହି ହୀରାଖଣ୍ଡିକ ଦେବା ବେଳେ ବିଚାରପତି ଏହାକୁ ‘ଜୟ ବାବା ଫେଲୁନାଥ’ ଚଳଚ୍ଚିତ୍ରର ଘଟଣା ବୋଲି କହିଥିଲେ। ପାର୍ଥକ୍ୟ ଏତିକି ଯେ, ‘ଜୟ ବାବା ଫେଲୁନାଥ’ରେ ରତ୍ନପଥରଟିକୁ ଦୁର୍ଗା ପ୍ରତିମାର ସିଂହ ପାଟିରେ ରଖାଯାଇଥିଲା। କିନ୍ତୁ, ଏଠାରେ ଲୁଟେରାମାନେ ଘର ସିଡ଼ି ତଳେ ଥିବା ବିଦ୍ୟୁତ୍ ‘ସୁଇଚ୍ବୋର୍ଡ’ ଭିତରେ ହୀରାଖଣ୍ଡିକ ଲୁଚାଇ ଥିଲେ।
Image Courtesy of Wikipediaସଂଗୃହୀତ ସୂଚନା ଅନୁସାରେ, ଘଟଣାଟି ୨୦୦୨ରେ ଘଟିଥିଲା। ହୀରାର ମାଲିକ ଦକ୍ଷିଣ କୋଲ୍କାତା ନିବାସୀ ପ୍ରଣବ କୁମାର ରାୟ ଜଣେ ହୀରା ମୂଲ୍ୟାୟନକାରୀ ସନ୍ଧାନରେ ଥିଲେ। ସେ ବର୍ଷ ଜୁନ୍ ମାସରେ ଇନ୍ଦ୍ରଜିତ ତପଦାର ନାମରେ ଜଣେ ହୀରା ଦଲାଲ ଜଣେ ମୂଲ୍ୟନିର୍ଦ୍ଧାରକଙ୍କୁ ସାଥିରେ ନେଇ ରାୟଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ, ହୀରାଟିକୁ ଗୋଟାଏ ସୁନାମୁଦିରେ ବସାଇ ସେମାନଙ୍କୁ ହସ୍ତାନ୍ତର କରିବାକୁ କହିବାରୁ ରାୟଙ୍କର ସନ୍ଦେହ ହୋଇଥିଲା। ଠିକ୍ ସେତିକି ବେଳେ ତପଦାର ପିସ୍ତଲ ବାହାର କରିବା ସହିତ ହୀରାଖଣ୍ଡିକ ମୂଲ୍ୟ ନିର୍ଦ୍ଧାରକଙ୍କ ହାତକୁ ବଢ଼ାଇ ଦେଇଥିଲେ। ଏହା ଦେଖି ରାୟ ତପଦାରଙ୍କ ସହିତ ବିବାଦ କରିଥିଲେ। ଏହି ସମୟରେ , ମୂଲ୍ୟ ନିର୍ଦ୍ଧାରକ ରାୟଙ୍କୁ ଠେଲି ତଳେ ପକାଇ ଦେଇ ହୀରାଟିକୁ ଧରି ଚମ୍ପଟ୍ ମାରିଥିଲେ। ତା’ପରେ ତପଦାର ବି ଖସି ପଳାଇଥିଲେ। ରାୟ ଯାଇ ଥାନାରେ ଅଭିଯୋଗ କରିଥିଲେ।
ତଦନ୍ତ କରି ପୁଲିସ ତୁରନ୍ତ ତପଦାରଙ୍କ ବାସଭବନ ଠାବ କରିଥିଲା। ହୀରା ନିଶ୍ଚୟ ତାଙ୍କ ଘରେ ଅଛି ବୋଲି ପୁଲିସର ହୃଦ୍ବୋଧ ହୋଇଥିଲା। ବହୁବାର ତଲାସ କରିଥିଲେ ବି ସେମାନେ ତାହା ପାଇ ନ ଥିଲେ। ଶେଷରେ ସେମାନଙ୍କ ମଧ୍ୟରୁ ଜଣେ ସିଡ଼ି ତଳେ ଥିବା ମିଟର୍ ବକ୍ସ୍ ପାଖରେ ଥିବା ବିଦ୍ୟୁତ୍ ସୁଇଚ୍ବୋର୍ଡ ଖୋଲିବାରୁ ହୀରାଟି ମିଳିଥିଲା। ଆଗରୁ ତଲାସ କଲାବେଳେ ବି ସେମାନେ ସେ ସୁଇଚ୍ବୋର୍ଡ ଦେଖିଥିଲେ। କିନ୍ତୁ, ସେଥିରେ ଯେ ହୀରା ଥିବ, ତାହା ସେମାନଙ୍କ ମୁଣ୍ଡକୁ ଜୁଟି ନ ଥିଲା।
ଏ ସବୁ କଥା ଜାଣିବା ପରେ ବିଚାରପତି ଅନ୍ନଦାଶଙ୍କର ମୁଖୋପାଧ୍ୟାୟ ‘ଜୟ ବାବା ଫେଲୁନାଥ’ ପ୍ରସଙ୍ଗ ଉଠାଇଥିଲେ।
Follow Us