ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ‘ଇସ୍ରାଏଲ ଯୁଦ୍ଧ ଆରମ୍ଭ କରି ନଥିଲା, କିନ୍ତୁ ଇସ୍ରାଏଲ ଯୁଦ୍ଧ ଶେଷ କରିବ’ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗତମଙ୍ଗଳବାର କହିଛନ୍ତି।
ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଗତ ଶନିବାର ଆକସ୍ମିକ ଆକ୍ରମଣ କରିବା ପରେ ଇସ୍ରାଏଲ ଛୁଟିରେ ଥିବା ତାର ସମସ୍ତ ସୈନ୍ୟଙ୍କୁ ଡିୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲା। ଅର୍ଥାତ ଯେଉଁ ସୈନ୍ୟମାନେ ଛୁଟିରେ ଥିଲେ କିମ୍ବା କୌଣସି କାମ ହେତୁ ଘରକୁ ଯାଇଥିଲେ ସେମାନଙ୍କୁ ଯଥାଶୀଘ୍ର ଡିୟୁଟିରେ ଯୋଗ ଦେବାକୁ କଲ ଯାଇଥିଲା। ଏହି କଲ ପାଇବା ମାତ୍ରେ ହଜାରହଜାର ସୈନ୍ୟ ଘର ପରିବାର ଛାଡ଼ି ଡିୟୁଟିରେ ଆସି ଯୋଗ ଦେଇଥିଲେ। ଛୁଟି ବାତିଲ କରି ଡିୟୁଟିରେ ଯୋଗ ଦେଇଥିବା ସୈନ୍ୟଙ୍କ ମଧ୍ୟରେ ଉରି ମିଣ୍ଟଜର ଓ ଏଲିନୋର ୟୋସେଫିନ ବି ସାମିଲ ଅଛନ୍ତି। ଯାହାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଉରି ମିଣ୍ଟଜର ଓ ଏଲିନୋର ୟୋସେଫିନ ନିଜନିଜର ୟୁନିଟକୁ ରିପୋର୍ଟ କରିବା ପୂର୍ବରୁ ଗତ ରବିବାର ରାତିରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଉରି ମିଣ୍ଟଜର ଓ ଏଲିନୋର ୟୋସେଫିନ ନିଷ୍ପତ୍ତି ନେଇଥିଲେ କି, ଯୁଦ୍ଧ ପାଇଁ କୌଣସି ସ୍ଥାନକୁ ପୋଷ୍ଟିଂ ହେବା ପୂର୍ବରୁ ଦୁହେଁ ବିବାହ କରିବେ। ଏନେଇ ଦୁହେଁ ପରିବାରଲୋକଙ୍କୁ ଜଣାଇଥିଲେ। ଦୁହିଁଙ୍କ ପରିବାରର ଅଳ୍ପକିଛି ସଦସ୍ୟଙ୍କ ଗହଣରେ ଉରି ମିଣ୍ଟଜର ଓ ଏଲିନୋର ୟୋସେଫିନଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା।
ଏହି ବିବାହକୁ ନେଇ ମିଣ୍ଟଜର କହିଛନ୍ତି, ‘ଶନିବାର ହୋଇଥିବା ଆକସ୍ମିକ ଆକ୍ରମଣ ପରେ ଛୁଟିରେ ଥିବା ସମସ୍ତ ସୈନ୍ୟଙ୍କୁ ଡିୟୁଟିରେ ଯୋଗ ଦେବାକୁ କୁହାଯାଇଥିଲା। ତେଣୁ ଆମେ ଆମ କର୍ତ୍ତବ୍ୟ ପାଳନ କରିବା ପାଇଁ ଡିୟୁଟିରେ ଯୋଗ ଦେଇଥିଲୁ। କିନ୍ତୁ ଏହା ପୂର୍ବବରୁ ମୁଁ ଓ ଏଲିନୋର ୟୋସେଫିନ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। କାରଣ ଯୁଦ୍ଧ ପାଇଁ ପୋଷ୍ଟିଂ ତ ହୋଇଯିବ। କିନ୍ତୁ ସେ ଯୁଦ୍ଧରୁ ଆମେ ଜୀବିତ ଫେରିବୁ କି ନାହିଁ କିଏ ଜାଣିଲା।
ତେଣୁ ଯୁଦ୍ଧ କ୍ଷେତ୍ରକୁ ପୋଷ୍ଟିଂ ହେବାପୂର୍ବରୁ ଆମେ ବିବାହ କରିଥିଲୁ। ଆଉ କଥା ଦେଇଥିଲୁ ଏବେ ତ ଆମ ଜନ୍ମଜନ୍ମର ସାଥୀ ହେଲୁ। ଏବେ ଆମକୁ ଯୁଦ୍ଧକୁ ଯିବାକୁ ପଡ଼ିବ। ଯୁଦ୍ଧରୁ ଫେରିଲେ ତୁମର......।’
Follow Us