India Legal
ନୂଆଦିଲ୍ଲୀ : ଜଣେ ନାବାଳିକାର ମାଆ ଝିଅର ନାବାଳକ ପ୍ରେମିକ ବିରୋଧରେ ଝିଅ ପ୍ରତି ଯୌନ ଆକ୍ରମଣର ଅଭିଯୋଗ କରି କୋର୍ଟରେ ମାମଲା ରୁଜୁ କରିଥିବା ବେଳେ ମେଘାଳୟ ହାଇକୋର୍ଟ ଉକ୍ତ ମାମଲାକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆଇନକାନୁନ ବିଷୟରେ ଜାଣି ନ ଥିବା ଦୁଇ ନାବାଳିକା-ନାବାଳକ ପରସ୍ପରକୁ ଭଲପାଇ ସମ୍ପର୍କ ରଖିଲେ ପୋକ୍ସୋ ଆଇନ ଅନୁସାରେ ତାକୁ ଯୌନ ଅପରାଧ ଭାବେ ଗଣାଯିବନି।
ଅକ୍ଟୋବର ୨୭ରେ ମାମଲାର ଶୁଣାଣି କରି ଜଷ୍ଟିସ୍ ଡବ୍ଲୁ ଡିଙ୍ଗଡୋହ କହିଲେ ଯେ, ଯଦିଚ ନାବାଳିକା କ୍ଷେତ୍ରରେ ସହମତିର କିଛି ମାନେ ନାହିଁ, ତଥାପି ଉଭୟଙ୍କ ବୟସ ବହୁତ କମ୍ ହୋଇଥିବାରୁ ନାବାଳକର ଏପରି କାର୍ଯ୍ୟକୁ ନାବାଳିକା ପ୍ରତି ଯୌନ ଆକ୍ରମଣ ଭାବେ ଗଣାଯାଇପାରିବ ନାହିଁ। ଏହା କହି ସେ ମାମଲାଟିକୁ ଖାରଜ କରିଦେଇଥିଲେ।
ସୂଚନାଯୋଗ୍ୟ, ବାଳିକାଟି ତା’ ମାଆଙ୍କ ସହ ଏକ ସ୍କୁଲରେ ରହୁଥିଲା ଏବଂ ତା’ ମାଆ ଜଣେ ଶିକ୍ଷୟିତ୍ରୀ। ଝିଅର ଏକ ବାଳକ ବନ୍ଧୁ ଅଛି ଓ ସେ ତା’ ସହ ସମ୍ପର୍କ ରଖୁଛି ବୋଲି ଜାଣିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ପୋକ୍ସୋ ଆଇନ ଅନୁସାରେ ମାମଲା ରୁଜୁ କରି ବାଳକକୁ ଗିରଫ କରିଥିଲା। ତଳ କୋର୍ଟରୁ ହାଇକୋର୍ଟ ଯାଏ ମାମଲା ଚାଲିବା ଭିତରେ ବାଳକଟି ଜାମିନ ପାଇବା ପୂର୍ବରୁ ୧୦ ମାସ ଜେଲରେ ରହି ସାରିଥିବା ଜଣାପଡ଼ିଛି।
Follow Us