କମ୍‌ କୋଭିଡ୍‌ ମୃତ୍ୟୁ ଯୋଗୁ୍ଁ ଆଶ୍ବସ୍ତି, ଭାରତ ପାଇଁ ତଥାପି ବିପଦ ଟଳିନି

ରାଜ୍ୟର ୧୨% କରୋନା ମୃତ୍ୟୁ ରାଜଧାନୀ‌ରେ

ନୂଆଦିଲ୍ଲୀ: ଦେଶର ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ମହାମାରୀ କୋଭିଡ୍‌ର ପ୍ରାଦୁର୍ଭାବ ବେଳେ ଭାରତ ଅତି ଦୟନୀୟ ସ୍ଥିତିର ସାମନା କରିବ ବୋଲି ଆଶଙ୍କା କରାଯାଉଥିଲା। ଏପରିକି ଯଦି ଆମର ନିରନ୍ତର ଅତିଭିଡ଼ ରହୁଥିବା ଏବଂ ସମ୍ବଳର ଅଭାବ ଥିବା ଡାକ୍ତରଖାଖାନାଗୁଡ଼ିକରେ ଏହି ଲଢ଼େଇ ପହଞ୍ଚେ, ତେବେ ମୃତ୍ୟୁସଂଖ୍ୟା କଳ୍ପନାନୀତ ହେବ ବୋଲି ମଧ୍ୟ ଆଶଙ୍କା ଥିଲା। ତେବେ ସମ୍ପ୍ରତି ଅନେକ ରାଜ୍ୟରେ ସଂକ୍ରମଣ କ୍ଷିପ୍ରତା ପ୍ରବଳ ରହିଥିବା ବେଳେ ବିଗତ ଛଅ ମାସ ଭିତରେ ଏହି ମହାମାରୀରେ ଦେଶରେ ମୋଟାମୋଟି ମାତ୍ର ୪୩ ହଜାର ନାଗରିକ ଆଖି ବୁଜିବା ଘଟଣା ବିଶେଷଜ୍ଞମାନଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ନିଶ୍ଚୟ।

ଅପରପକ୍ଷେ, ଦୃଢ଼ ସ୍ବାସ୍ଥ୍ୟ ବ୍ୟବସ୍ଥା ସତ୍ତ୍ବେ ବିଳମ୍ବରେ ପ୍ରତିକାର ଚିନ୍ତା କରିଥିବା କିଛି ଦେଶ ତୁଳନାରେ ଭାରତ ତ୍ବରିତ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣାର ନୀତିଗତ ନିଷ୍ପତ୍ତି ନେଇଥିଲା। ଏହାଦ୍ବାରା ସ୍ବାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମି ସଜାଡ଼ିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାଳମେଳ ରକ୍ଷା କରିବା ପାଇଁ ମଧ୍ୟ ଅବସର ମିଳିଗଲା। ଅର୍ଥନୈତିକ ଲକ୍‌ଡାଉନ୍‌ ବିଶେଷ କରି ଅସଂଗଠିତ କ୍ଷେତ୍ରରେ କର୍ମଜୀବୀମାନଙ୍କୁ ଅତିଶୟ ବିପନ୍ନ କରିଦେଇଥିଲେ ହେଁ ସମ୍ବଳର ହସ୍ତାନ୍ତର ଏବଂ ସୁବ୍ୟବସ୍ଥିତ ଯୋଗାଣ ପ୍ରଣାଳୀ ହିଁ ପରିସ୍ଥିତିକୁ ହାଲକା କରିଦେଇଥିଲା। ସେହିପରି ଭାରତ ମଧ୍ୟ ତୁରନ୍ତ ମାସ୍କ ପିନ୍ଧିବା ପଦକ୍ଷେପକୁ ଆଦରିନେଇଥିଲା, ଯାହା ଫଳରେ ବର୍ତ୍ତମାନର ଅଧିକ ବିପଜ୍ଜନକ ସଂକ୍ରମଣଶୀଳ ଜନବହୁଳ ଇଲାକାରେ ସଂଖ୍ୟାଧିକ ଦେଶବାସୀ ସୁରକ୍ଷିତ ରହିପାରିଛନ୍ତି। ଏସବୁ ସତ୍ତ୍ବେ ନିକଟ ଭବିଷ୍ୟତରେ ଫଳପ୍ରଦ ଟିକାଟିଏ ବଜାରକୁ ଆସିବା ଯାଏ ଭାରତକୁ ତଥାପି ଅଧିକ ବିପଜ୍ଜନକ ସ୍ଥିତିର ମୁକାବିଲା କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

ଭାରତ ଅବଶ୍ୟ ଏହାର ଭୂତାଣୁ ନମୁନା ପରୀକ୍ଷଣ ଦକ୍ଷତାକୁ ଫେବ୍ରୁଆରିରେ ରହିଥିବା ଦୈନିକ ୧୦୦ରୁ ବର୍ତ୍ତମାନ ଉଲ୍ଲେଖନୀୟ ଭାବେ ଦିନକୁ ୬,୦୦,୦୦୦ରୁ ଅଧିକ ଯାଏ ବଢ଼ାଇ ପାରିଛି। ତଥାପି ଦେଶ ଜନସଂଖ୍ୟାର ଅତି ସ୍ବଳ୍ପ ପରିମାଣ ନମୁନା ପରୀକ୍ଷା କରୁଛି। ବର୍ତ୍ତମାନ ମୋଟ ୨ କୋଟି ନମୁନା ପରୀକ୍ଷା ହୋଇଥିବା ବେଳେ ୫୦ ପ୍ରତିଶତରୁ ଅଧିକ ବାସିନ୍ଦା ସଂକ୍ରମିତ ହୋଇଥିବା କିଛି ସହରରେ ମାତ୍ର ୫ ପ୍ରତିଶତରୁ ଅଳ୍ପ ଅଧିକ ନମୁନା ପରୀକ୍ଷା କରାଯାଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ସଂକ୍ରମିତମାନଙ୍କ ଭିତରୁ ଦୁଇ ତୃତୀୟାଂଶ ହିଁ କେବଳ ୫୦ଟି ଜିଲ୍ଲାର, ତାହା ପୁଣି ଉଚ୍ଚକୋଟୀର ସହରାଞ୍ଚଳ ବୋଲି ଜଣାଯାଇଛି। ବର୍ତ୍ତମାନ ଦିନକୁ ଦିନ ନୂତନ ହଟ୍‌ସ୍ପଟ୍‌(ସଂକ୍ରମଣ କେନ୍ଦ୍ର) ସୃଷ୍ଟି ହେବା ସହ ଉତ୍ତରପ୍ରଦେଶ, ବିହାର, ଆସାମ ଓ ଓଡ଼ିଶା ଆଦି ରାଜ୍ୟରେ ସଂଖ୍ୟାଧିକ ସଂକ୍ରମିତ ମାମଲା ଆସିବାରେ ଲାଗିଛି। ସୁତରାଂ ଦେଶ ପାଇଁ ଆହୁରି ବିପଜ୍ଜନକ ସ୍ଥିତି ଅପେକ୍ଷା କରିଛି ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe