ନୂଆଦିଲ୍ଲୀ: ଆଜି ସକାଳ ୮.୩୦ରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଖପାଖ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସଂଘଠିତ ହୋଇ ରହିଥିବା ଲଘୁଚାପ କ୍ଷେତ୍ର ୮ ତାରିଖ ସନ୍ଧ୍ୟାସୁଦ୍ଧା ସାମୁଦ୍ରିକ ବାତ୍ୟା ପାଲଟି ଯିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।
ସୃଷ୍ଟ ଲଘୁଚାପ କ୍ଷେତ୍ରଟି କ୍ରମଶଃ ଉତ୍ତରପଶ୍ଚିମ ଆଡ଼କୁ ଗତି କରି ୭ ତାରିଖ ସନ୍ଧ୍ୟାସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହେବା ପରେ ୮ ତାରିଖ ସନ୍ଧ୍ୟା ଆଡ଼କୁ ପୂର୍ବକ୍ରେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସାମୁଦ୍ରିକ ଝଡ଼ ପାଲଟିବାର ସମ୍ଭାବନା ଅଛି। ଏହାପରେ ଉକ୍ତ ବାତ୍ୟା ବଙ୍ଗୋପସାଗରର ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ପ୍ରାନ୍ତ ଦେଇ ମେ ୧୦ ତାରିଖରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବାର ବିଶେଷ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।
ଲଘୁଚାପର ପ୍ରଭାବରେ ମେ ୧୦ ତାରିଖରେ ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ମେ ୧୦ ତାରିଖ ଦିନ ଘଣ୍ଟାପ୍ରତି ୧୦୦ କିଲୋମିଟର ପବନ ଝୁଙ୍କ ସହ ୮୦ରୁ ୯୦ କିଲୋମିଟର ବତାସ ବହିବ।
ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ମନା କରାଯାଇଛି। ଗଂଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
Follow Us