ଇତିହାସର ଛାତ୍ର ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଦ୍ବିତୀୟ ଅଣଅର୍ଥନୀତିଜ୍ଞ-ପ୍ରଶାସନିକ ଅଧିକାରୀ ଗଭର୍ଣ୍ଣର

Advertisment
ଇତିହାସର ଛାତ୍ର ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଦ୍ବିତୀୟ ଅଣଅର୍ଥନୀତିଜ୍ଞ-ପ୍ରଶାସନିକ ଅଧିକାରୀ ଗଭର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)ର ନୂତନ ଗଭର୍ଣ୍ଣର ରୂପେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ୍‌) ଶକ୍ତିକାନ୍ତ ଦାସଙ୍କୁ କେନ୍ଦ୍ର ସରକାର ମଙ୍ଗଳବାର ସନ୍ଧ୍ୟାରେ ନିଯୁକ୍ତି ପ୍ରଦାନ କରିବା ପରେ ତାଙ୍କୁ ନେଇ ଏବେ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି। କାରଣ, ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ କେନ୍ଦ୍ର ସରକାର ଜଣେ ଅଣ ଅର୍ଥନୀତିଜ୍ଞ, ପ୍ରଶାସନିକ ଅଧିକାରୀ  ଶକ୍ତିକାନ୍ତ ଦାସଙ୍କୁ ଆର୍‌ବିଆଇ ପରି ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର ଗଭର୍ଣ୍ଣର ପରି ଏକ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ କରାଇଛନ୍ତି। ଶକ୍ତିକାନ୍ତ ଦାସଙ୍କ ପୂର୍ବରୁ ଆଉ ଜଣେ ପ୍ରଶାସନିକ ଅଧିକାରୀ ଏସ୍‌ ଭେଙ୍କଟରମଣ ବିଗତ ୧୯୯୦ରେ ଏହି ପଦବୀରେ ଅବସ୍ଥାପିତ ହୋଇଥିଲେ। ତେବେ, ଭେଙ୍କଟରମଣ ଥିଲେ ଜଣେ  ଅର୍ଥନୀତିଜ୍ଞ। ଭେଙ୍କଟରମଣଙ୍କ ପରେ ଏବେ ଶକ୍ତିକାନ୍ତ ଦାସ ହେଉଛନ୍ତି ପରବର୍ତ୍ତୀ ପ୍ରଶାସନିକ ଅଧିକାରୀ ଯିଏ କି ଆର୍‌ବିଆଇର ଗଭର୍ଣ୍ଣର ହେଲେ। ହେଲେ, ଶକ୍ତିକାନ୍ତ ଦାସ ଅର୍ଥନୀତିର ଛାତ୍ର ନୁହନ୍ତି ବରଂ ଇତିହାସର ଛାତ୍ର।

publive-image

ଆର୍‌ବିଆଇର ଇତିହାସକୁ ଅନୁଶୀଳନ କଲେ ଜଣାଯାଏ ଯେ ଆର୍‌ବିଆଇର ପ୍ରତିଷ୍ଠା କାଳରୁ ଏ ଯାବତ୍‌ ରହି ଆସିଥିବା ୨୫ ଜଣ ଗଭର୍ଣ୍ଣରଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ପ୍ରଶାସକ। ଏମାନଙ୍କ ମଧ୍ୟରେ ଅଛନ୍ତି ୧୨ ଜଣ ଆଇଏଏସ୍‌/ ଆଇସିଏସ୍‌ ଅଧିକାରୀ। ତେବେ, ଶକ୍ତିକାନ୍ତ ଦାସଙ୍କ ପୂର୍ବରୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିବା ଡ. ଉର୍ଜିତ ପଟେଲ ଥିଲେ ଜଣେ ଅର୍ଥନୀତିଜ୍ଞ। ଆର୍‌ବିଆଇର ଗଭର୍ଣ୍ଣର ନିଯୁକ୍ତି ପାଇଁ ସେପରି କୌଣସି ଧରାବନ୍ଧା ନିୟମ କିମ୍ବା କୌଣସି ପ୍ରକାର ନିର୍ଦ୍ଦିଷ୍ଟ ଯୋଗ୍ୟତାର ଆବଶ୍ୟକତା ନାହିଁ। ଆର୍‌ବିଆଇର ଆକ୍ଟ ଅନୁଯାୟୀ, ଅର୍ଥମନ୍ତ୍ରୀଙ୍କ ସୁପାରିଶ କ୍ରମେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଆର୍‌ବିଆଇ ଗଭର୍ଣ୍ଣରଙ୍କୁ ନିଯୁକ୍ତି ପ୍ରଦାନ କରିଥାଏ। ଏବେ ଆର୍‌ବିଆଇର ୨୫ ତମ ଗଭର୍ଣ୍ଣର ରୂପେ ନିଯୁକ୍ତି ପାଇଥିବା ଶକ୍ତିକାନ୍ତ ଦାସ ହେଉଛନ୍ତି ଗଭର୍ଣ୍ଣର ତାଲିକାରେ ୧୪ତମ ବ୍ୟକ୍ତି ଯିଏ କି ଅଣ ଅର୍ଥନୀତିଜ୍ଞ ହୋଇ ସୁଦ୍ଧା ପ୍ରଶାସନିକ ସେବା କ୍ଷେତ୍ରରୁ ଆସି ଦେଶର ଏହି ଗୁରତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇ ପାରିଛନ୍ତି। ଶକ୍ତିକାନ୍ତ ଦାସଙ୍କ ପୂର୍ବରୁ ଯେଉଁ ଦୁଇଜଣ ଆର୍‌ବିଆଇର ଗଭର୍ଣ୍ଣର ଥିଲେ ସେମାନେ ଥିଲେ ଅର୍ଥନୀତିଜ୍ଞ। ସେହିପରି ଶକ୍ତିକାନ୍ତ ଦାସଙ୍କ ପୂର୍ବରୁ ଆରବିଆଇର ଗଭର୍ଣ୍ଣର ଥିବା ଆଇଏଏସ୍‌ ଅଧିକାରୀ ଡି. ସୁବାରାଓ ମଧ୍ୟ ତାଙ୍କ ପୂର୍ବସୂରୀ ଓ୍ଵାଇ ଭି ରେଡ୍ଡୀଙ୍କ ପରି ଥିଲେ ଜଣେ ଅର୍ଥନୀତିଜ୍ଞ।

publive-image

ହେଲେ, ଆର୍‌ବିଆଇର ନବ ନିଯୁକ୍ତ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ କ୍ଷେତ୍ରରେ ରହିଛନ୍ତି ଏକ ବିରଳ ବ୍ୟତିକ୍ରମ। କାରଣ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ଫାଇନାନ୍‌ସିଆଲ ମ୍ୟାନେଜ୍‌ମେଣ୍ଟରେ ଆଇଆଇଏମ୍‌ ବାଙ୍ଗାଲୋରରୁ ଏକ କୋର୍ସ କରିଛନ୍ତି। ହେଲେ, ତାଙ୍କର ଦୁଇ ପୂର୍ବସୁରୀ ଉର୍ଜିତ ପଟେଲ ଓ ରଘୁରାମ ରାଜନ୍‌ ଥିଲେ ଖ୍ୟାତନାମା ଅର୍ଥନୀତିଜ୍ଞ। ଶକ୍ତିକାନ୍ତ ଦାସ ଅବଶ୍ୟ ପୂର୍ବରୁ ଭାରତ ସରକାରଙ୍କ ରାଜସ୍ୱ ସଚିବ ଓ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମୁଦ୍ରାୟନ ଯୋଜନା ପଛରେ ରହି ସବୁ କାର୍ଯ୍ୟ କରିଛନ୍ତି। ହେଲେ, ଦେଶର ଅର୍ଥନୀତି ଏବେ ନିମ୍ନଗାମୀ ହେବା ସହ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ନୂତନ ଆର୍‌ବିଆଇ ଗଭର୍ଣ୍ଣର ରୂପେ ଶକ୍ତିକାନ୍ତ ଦାସ ତାଙ୍କର ନୂତନ ନିଯୁକ୍ତି ଓ ଦାୟିତ୍ୱକୁ କେତେ ସଫଳତାର ସହ ତୁଲାଉଛନ୍ତି ତାହାକୁ ଦେଖିବା ପାଇଁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe