Image Courtesy of Zee News
ନୂଆଦିଲ୍ଲୀ: ଗୁଜରାଟ ‘ବିଜେପି’ ବିଧାୟକ ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଘଟଣା ଲାଗି ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବା ପାଇଁ କହିବାକୁ ସୋମବାର ଦିନ ବିରୋଧୀ ନେତାଙ୍କୁ ମାଇକ୍ରୋଫୋନ୍ ଦେବା ଲାଗି ଆଜି ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ନିବେଦନ କରିଛନ୍ତି।
ଏଥିସହ ସେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମଧ୍ୟ ପରୋକ୍ଷରେ ସମାଲୋଚନା କରିଛନ୍ତି।
ଟୁଇଟ୍ କରି ମହୁଆ ଲେଖିଛନ୍ତି: ଗୁଜରାଟ ‘ବିଜେପି’ ମନ୍ତ୍ରୀ ଅର୍ଜୁନ ସିଂହ ଚୌହାନ୍ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରି ୫ ବର୍ଷ ବନ୍ଦିନୀ କରିଥିଲେ। ଆଶା କରେ ସୋମବାର ଦିନ ସେ (ପ୍ରଧାନମନ୍ତ୍ରୀ) ଲୋକସଭାରେ ପ୍ରବେଶ କରିବା କ୍ଷଣି ସମ୍ମାନୀୟ ବାଚସ୍ପତି ଓମ୍ ବିର୍ଲା ବିରୋଧୀମାନଙ୍କୁ ମାଇକ୍ରୋଫୋନ୍ ଦେବେ। ତେବେ କ୍ଷମା ମାଗିବା ପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ କହିପାରିବୁ। ଆଇନ ଆଗରେ ସଭିଏଁ ସମାନ, ଆଜ୍ଞା। ଡ୍ରାମା ବୋହୂ ବ୍ରିଗେଡ୍ଙ୍କର ଭୟ ଉଦ୍ରେକକାରୀ ନିରବତା।
Image Courtesy of ABP Liveମହୁଆଙ୍କ ‘ଡ୍ରାମା ବୋହୂ ବ୍ରିଗେଡ୍’ ଟିପ୍ପଣୀ ହେଉଛି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରତି ପରୋକ୍ଷ ସମାଲୋଚନା। ଉଲ୍ଲେଖଯୋଗ୍ୟ, ‘କ୍ୟୁଁକି ସାସ୍ ଭି କଭି ବହୁ ଥି’ ଟେଲିଭିଜନ୍ ସୋ’ରେ ଅଭିନୟ କରି ସ୍ମୃତି ଇରାନୀ ବେଶ୍ ଲୋକପ୍ରିୟ ହୋଇଥିଲେ।
ସୂଚନାଯୋଗ୍ୟ, କଂଗ୍ରେସ ନେତା ଅଧୀରରଞ୍ଜନ ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ଟିପ୍ପଣୀ ପ୍ରସଙ୍ଗ ସଂସଦରେ ଉତ୍ଥାପନ କରି ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କ୍ଷମାଭିକ୍ଷା କରିବାକୁ କହିବା ପରେ ଗୁରୁବାର ଦିନ ସଂସଦରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ଓ ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ ରହିଥିଲା। ଏହି ଘଟଣା ପରେ ‘ତୃଣମୂଳ କଂଗ୍ରେସ’ ସାଂସଦ ଉପରୋକ୍ତ ବିବରଣୀ ଦେଇଛନ୍ତି।
Follow Us