ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକିଆ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୪୨ତମ ସଂସ୍କରଣରେ ଆଜି ସେ ଚାଷୀଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେଇଛନ୍ତି। ସେହିପରି ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସହଜ ଓ ସୁବିଧାରେ ଉପଲବ୍ଧ କରାଇବା ଉପରେ ମଧ୍ୟ ସରକାର ଲକ୍ଷ୍ୟ ରଖିଥିବା କଥା ମୋଦି ସୂଚନା ଦେଇଛନ୍ତି। ସେଥିପାଇଁ ‘ସୁସ୍ଥ ଭାରତ’ ଅଭିଯାନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠୀଙ୍କୁ ଆହ୍ଵାନ କରିଛନ୍ତି। ସମ୍ପ୍ରତି କୃଷିକ୍ଷେତ୍ରରେ ଚାଷୀ ସାମନା କରୁଥିବା ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ଚାଷାବସ୍ଥାରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଜି ତାଙ୍କ ‘ମନ୍ କୀ ବାତ୍’ରେ ପ୍ରାଧାନ୍ୟ ଦେଇଛନ୍ତି। ଉତ୍ତରପୂର୍ବ ରାଜ୍ୟରେ ରେକର୍ଡ ପରିମାଣର କୃଷି ଉତ୍ପାଦନ ପାଇଁ ସେ ଅଞ୍ଚଳବାସୀଙ୍କୁ ସାଧୁବାଦ ଜଣାଇବା ସହ କୃଷକମାନଙ୍କ ସମସ୍ୟା ସମାଧାନ ପାଇଁ ତାଙ୍କ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ଚାଷୀ ଉଚିତ ପାଉଣା ପାଇବା ପାଇଁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ଚାଷଖର୍ଚ୍ଚର ଦେଢ଼ ଗୁଣା ରଖିବା ବ୍ୟବସ୍ଥା ଗତ ବଜେଟ୍ରେ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ସେହିପରି ଚାଷୀର ରୋଜଗାର ବଢ଼ାଇବା ପାଇଁ କୃଷି ଉତ୍ପାଦର ବିକ୍ରିବଟାରେ ବ୍ୟାପକ ସଂସ୍କାର ଅଣାଯାଉଛି। ସେଥିପାଇଁ ୨୨,୦୦୦ ଗ୍ରାମ୍ୟ ହାଟକୁ ଉନ୍ନୀତ କରାଯାଇ କୃଷି ଉତ୍ପାଦ ବିପଣନ ପରିଷଦ(ଏପିଏମ୍ସି)ରେ ପରିଣତ କରାଯିବା ସହ ତାହାକୁ ଜାତୀୟସ୍ତରୀୟ ବଜାର ସହ ମଧ୍ୟ ସଂଯୋଗୀକରଣ କରାଯାଉଛି। ସେହିପରି ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକରଙ୍କୁ ମନେ ପକାଇ ସେ ହିଁ ଉନ୍ନତ ଭିତ୍ତିଭୂମି ସଂପନ୍ନ ଭାରତୀୟ ସହରର ପରିକଳ୍ପନା କରିଥିଲେ ବୋଲି ମୋଦି କହିଛନ୍ତି। ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଆମେ ଆତ୍ମନିର୍ଭରଶୀଳ ହେବା ସହ ବିଶ୍ୱ ଅର୍ଥନୀତିରେ ସ୍ୱତନ୍ତ୍ର ପରିଚିତି ଆଣିପାରିଛନ୍ତି। ଏହି ଅବସରରେ ବିଭିନ୍ନ ପ୍ରାନ୍ତରରୁ ତାଙ୍କ ପାଖକୁ ଆସିଥିବା ବାର୍ତ୍ତା ଏବଂ ଚିଠିପତ୍ରର ମଧ୍ୟ ସେ ତର୍ଜମା କରିଥିଲେ। ଆସାମରେ ଗରିବ ପିଲାଙ୍କ ପାଇଁ ୯ଟି ସ୍କୁଲ୍ ସ୍ଥାପନ କରିଥିବା କରିମଗଞ୍ଜର ରିକ୍ସାବାଲା ଅହମ୍ମଦ ଅଲ୍ଲିଙ୍କର ସେ ଭୂୟସୀ ପ୍ରଶଂସା କରିଥିଲେ। ସେହିପରି ଚିକିତ୍ସା ଆଶାୟୀ ରାସ୍ତାକଡ଼ବାସୀଙ୍କୁ ତତ୍କାଳ ଔଷଧପତ୍ର ଓ ସେବା ଯୋଗାଇ ସେମାନଙ୍କ ଦେବଦୂତ ସାଜିଥିବା କାନପୁରର ଡାକ୍ତର ଅଜିତ ମୋହନ ଚୌଧୁରୀଙ୍କୁ ମଧ୍ୟ ମୋଦି ମନର କଥାରେ ଉଲ୍ଲେଖ କରିଥିଲେ। ଏହି ସବୁ ଉଦାହରଣ ଦେଶରେ ଜାରି ରହିଥିବା ମହାନ ଭ୍ରାତୃଭାବର ଚରମ ନିଦର୍ଶନ ବୋଲି ସେ କହିଛନ୍ତି।
‘ମନ୍ କୀ ବାତ୍’ରେ ଚାଷୀ ଚିନ୍ତା
Advertisment
Follow Us