mackenzie scott
ନୂଆଦିଲ୍ଲୀ: ମ୍ୟାକେଞ୍ଜି ସ୍କଟ୍ ହେଉଛନ୍ତି ବିଶ୍ବର ପ୍ରମୁଖ ଇ-କମର୍ସ କମ୍ପାନି ଆମାଜନ୍ର ସହ ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କ ପୂର୍ବତନ ପତ୍ନୀ। ବେଜୋସ୍ଙ୍କ ସହିତ ତାଙ୍କର ବିଚ୍ଛେଦ ୨୦୧୯ ମସିହାରୁ ହୋଇସାରିଛି। କ୍ଷତିପୂରଣ ବାବଦରେ ମଧ୍ୟ ଆମାଜନ୍ର ବିପୁଳ ସଂଖ୍ୟକ ସେୟାର ସ୍କଟ ପାଇଛନ୍ତି। କିନ୍ତୁ ସେସବୁ ସଂପତ୍ତିକୁ ସ୍କଟ୍ ଖୋଲା ମନରେ ଦାନ କରିବାରେ ଲାଗିଛନ୍ତି।
ଏଭଳି ଦାନ କରିବା ପଛର କାରଣ ନିକଟରେ କହିଛନ୍ତି ସ୍କଟ୍। ସେ ତାଙ୍କ ଦାତବ୍ୟ ସଂଗଠନ ‘ୟିଲ୍ଡ ଗିଭିଂ’ ୱେବସାଇଟ୍ରେ ପ୍ରକାଶିତ ଏକ ନିବନ୍ଧରେ ତାଙ୍କର ଏହି ମାନସିକତା ପଛର ରହସ୍ୟକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି କଲେଜରେ ପଢ଼ୁଥିବା ସମୟରେ ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ତାଙ୍କୁ ସେହି ସମୟରେ ଅନେକ ଲୋକ ସାହାଯ୍ୟ କରିଥିଲେ। ଆର୍ଥିକ ଅଭାବ କାରଣରୁ ସେ କଲେଜରେ ପଢ଼ିବାକୁ ଯେତେବେଳେ ଅସମର୍ଥ ଥିଲେ ସେତେବେଳେ ତାଙ୍କର ଜଣେ ବାନ୍ଧବୀ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ।
ସେହିଭଳି ଖରାପ ଦାନ୍ତର ଚିକିତ୍ସା ମଧ୍ୟ କରି ପାରି ନଥିଲେ। ଏଥିପାଇଁ ତାଙ୍କୁ ଜଣେ ସ୍ଥାନୀୟ ଦାନ୍ତ ଡାକ୍ତର ମାଗଣାରେ ଚିକିତ୍ସା ଯୋଗାଇ ଦେଇଥିଲେ। ସେସବୁ କଥାଗୁଡ଼ିକୁ ସେ ଅଧିକାଂଶ ସମୟରେ ମନେ ପକାନ୍ତି। ତାଙ୍କ ମନରେ ଏସବୁର ଗଭୀର ପ୍ରଭାବ ପଡ଼ିଛି। ଅନ୍ୟକୁ ଦାନ କରିବା ଲାଗି ଏସବୁ ତାଙ୍କୁ ଶକ୍ତି ଯୋଗାଇଛି। ୨୦୧୯ରେ ବେଜୋସ୍ଙ୍କଠାରୁ ସ୍କଟଙ୍କର ବିଚ୍ଛେଦ ହୋଇଥିଲା। ବିଚ୍ଛେଦ ପରେ ସ୍କଟଙ୍କୁ ଆମାଜନରେ ପ୍ରାୟ ୪ ପ୍ରତିଶତ ଅଂଶଧନ ମିଳିଥିଲା। ସେଗୁଡ଼ିକର ସଂଖ୍ୟା ପ୍ରାୟ ୧୩୯ ନିୟୁତ ରହିଥିଲା। ୨୦୨୨ ମସିହାରେ ସେ ଆରମ୍ଭ କରିଥିବା ୟିଲ୍ଡ ଗିଭିଂ ସଂସ୍ଥା ମାଧ୍ୟମରେ ପ୍ରାୟ ୨୬ ବିଲିଅନ ଡଲାର ଦାନ କରିସାରିଲେଣି।ଏସବୁ ସତ୍ତ୍ବେ ସ୍କଟ୍ଙ୍କ ନିକଟରେ ବର୍ତ୍ତମାନ ୨୮ ବିଲିଅନ ଡଲାରର ସଂପତ୍ତି ରହିଛି। ୟିଲ୍ଡ ଗିଭିଂ ସଂସ୍ଥା ଶିକ୍ଷା, ବିବିଧତା, ସମତା ଏବଂ ଅନ୍ତର୍ଭୁକ୍ତୀକରଣ (ଡିଇଆଇ), ବିପର୍ଯ୍ୟୟ ରିଲିଫ ଏବଂ ଗୋଷ୍ଠୀର ବିକାଶ ପାଇଁ ସହାୟତା ଯୋଗାଇ ଆସୁଛି।
Follow Us