ମନ ଜିଣିଚାଲିଛନ୍ତି ମାଡାମ୍

ମନ ଜିଣିଚାଲିଛନ୍ତି ମାଡାମ୍

OdishaTV

ଗତବର୍ଷ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୈାପଦୀ ମୁର୍ମୁଙ୍କ ନାମ ଘୋଷଣା ଓଡ଼ିଶାବାସୀଙ୍କୁ ଯେତିକି ଚକିତ କରିଥିଲା, ସେତିକି ଉଲ୍ଲସିତ ମଧ୍ୟ କରିଥିଲା। ତାଙ୍କୁ ନେଇ କିଛି ମହଲରେ ଦ୍ବନ୍ଦ୍ବ ମଧ୍ୟ ଥିଲା। ଗୋଟିଏ ପଟେ ତାଙ୍କ ବ୍ୟକ୍ତିଗତ ଜୀବନର ସଂଘର୍ଷ ଦୃଷ୍ଟିକୋଣରୁ ଏପରି ଏକ ବିରାଟ ଉପଲବ୍‌ଧିକୁ ନେଇ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ସେ ଜଣେ ଭଲ ରାଷ୍ଟ୍ରପତି ହୋଇପାରିବେ ନା ପୁଣି ସେମିତି ପୂର୍ବର ଆଉ ଜଣେ ମହିଳାଙ୍କ ପରି ଅତି ସାଧାରଣ ରାଷ୍ଟ୍ରପତି ବିବେଚିତ ହେବେ, ସେ ନେଇ ସଂଶୟ ରହୁଥିଲା। ଝାଡ଼ଖଣ୍ଡ ରାଜ୍ୟପାଳ ଥିବାବେଳେ ନିଜ ଦଳର ସରକାରର ବିଲ୍ ପୁନର୍ବିଚାର ପାଇଁ ଫେରାଇଦେବାକୁ ଯିଏ ହିମ୍ମତ କରିଛନ୍ତି ସେ କେବେ ବିଫଳ ହେବେନାହିଁ ବୋଲି ସେଦିନ ଯୋଉମାନେ ଯୁକ୍ତି କରୁଥିଲେ, ସେମାନେ କଥା ସତ ହେବାକୁ ଯାଉଛି। ରାଷ୍ଟ୍ରମୁଖ୍ୟ ହେବାର ଦେଖୁଦେଖୁ ବର୍ଷେ ହୋଇଯିବ।

ଧୀରେଧୀରେ ସେ ଜଣେ ଭଲ ରାଷ୍ଟ୍ରପତି ଭାବେ ଗଣାହେବା ଆରମ୍ଭ ହେଲାଣି। ତାଙ୍କ ବ୍ୟକ୍ତିତ୍ବ ଓ ଆଚରଣ ସମସ୍ତଙ୍କୁ ଖୁସି କଲାଭଳି ଅନୁଭୂତ ହେଉଛି। ବାରମ୍ବାର ‌ପ୍ରୋଟକଲ ଭାଙ୍ଗି ଲୋକଙ୍କ ସହ ମିଶିବା; ରାଷ୍ଟ୍ରପତି ଭବନର ବିଳାସ ଭିତରେ ବୁଡ଼ି ନଯାଇ ଅପେକ୍ଷାକୃତ ଅଧିକ ଗସ୍ତ କାର୍ଯ୍ୟକ୍ରମମାନ ରଖିବା ଇତିମଧ୍ୟରେ ତାଙ୍କ ଗ୍ରହଣୀୟତାକୁ ଆହୁରି ବଢ଼ାଇ ଦେଇଛି। ଦେଶର ବୁଦ୍ଧିଜୀବୀମାନେ ମଧ୍ୟ ଆମ ରାଷ୍ଟ୍ରପତି ମହୋଦୟାଙ୍କୁ କିପରି ଶ୍ରଦ୍ଧା ଓ ସମ୍ମାନର ସହ ଦେଖନ୍ତି, ଗୋଟିଏ ଉଦାହରଣରୁ ସ୍ପଷ୍ଟ ହେବ। ସାଧାରଣତଃ ଦେଖାଯାଏ, ଦେଶର ନ୍ୟାୟପାଳିକାର ସଭ୍ୟସଭ୍ୟା ଆଜେବାଜେ ଲୋକଙ୍କୁ ଗୁରୁତ୍ବ ଦିଏନାହିଁ। ସୁପ୍ରିମ୍ କୋର୍ଟ ବାର୍ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆୟୋଜନ କରିଥିବା ସଭାରେ ତାଙ୍କୁ ଯେ ଏତେ ସମ୍ମାନ ମିଳିବ କେହି ଭାବି ନଥିଲେ। ଯେ କେହି ଆଶା କରିବେ, ପ୍ରଧାନ ବିଚାରପତିଙ୍କ ସଭାପତିତ୍ବରେ ହେଉଥିବା ସଭାରେ ରାଷ୍ଟ୍ରପତି ଔପଚାରିକ ଭାବେ ଲିଖିତ ଅଭିଭାଷଣଟିଏ ପଢ଼ିବେ; ଉପସ୍ଥିତ ବିଚାରପତି ଓ ଆଇନଜୀବୀ କରତାଳି ଦେବେ। ଏହି ସଭାଟିରେ କିନ୍ତୁ କିଛି ଭିନ୍ନ ଦେଖିବାକୁ ମିଳିଲା। ଲିଖିତ ଅଭିଭାଷଣ ପଢ଼ିସାରିବା ପରେ ମାଡାମ୍ ନିଜ ମନରୁ ସେଦିନ କିଛି ସମୟ ବିଚାରାଧୀନ ଅସହାୟ ବନ୍ଦୀଙ୍କ ଦୁଃଖକାହାଣୀ କଥା ରଖିଲେ। ଆପଣମାନେ ଚାହିଲେ ଏହି ମାନବୀୟ ସମ୍ବେଦନଶୀଳ ସମସ୍ୟାର ବେଶ୍ କିଛିଟା ସମାଧାନ ହୋଇପାରିବ ବୋଲି ହୃଦୟରୁ ବାର୍ତ୍ତା ଦେଲେ। ସାରା ହଲ୍ ଛିଡ଼ାହୋଇ କରତାଳି ଦେଲା। ନ୍ୟାୟପାଳିକାର ମୁଣ୍ଡିଆଳମାନେ ତାଙ୍କ କଥାଟିକୁ ଯଥେଷ୍ଟ ଗୁରୁତ୍ବ ଦେଇଥିବା ମଧ୍ୟ ବିଭିନ୍ନ ପଦକ୍ଷେପରୁ ଜଣାପଡ଼ୁଛି।

publive-image

ବଡ଼ କଥା ହେଲା, ନିଜ ରାଜ୍ୟ ପ୍ରତି ସ୍ବତନ୍ତ୍ର ମମତା ତାଙ୍କର ପ୍ରତିଟି କାର୍ଯ୍ୟରୁ ଫୁଟିଉଠୁଛି। ଓଡ଼ିଶାରୁ ଯାଉଥିବା ଲୋକଙ୍କୁ ରାଇସିନା ହିଲ୍‌ରେ ଦିଆଯାଉଥିବା ଆତିଥ୍ୟ ବହୁ ଲୋକଙ୍କ ଜୀବନର ଅନ୍ୟତମ ସ୍ମରଣୀୟ ମୁହୂର୍ତ୍ତ ହେବାକୁ ଯାଉଛି। ତାଙ୍କର ଏଇ ପାଞ୍ଚବର୍ଷର କାର୍ଯ୍ୟକାଳ ଭିତରେ ଓଡ଼ିଶାର ସଚେତନ ବର୍ଗଙ୍କ ମଧ୍ୟରୁ ଅନେକ ଏହି ସୈାଭାଗ୍ୟର ଅଧିକାରୀ ହେବା ଆଶା କରାଯାଏ। ପୂର୍ବରୁ ତାଙ୍କୁ ବ୍ୟକ୍ତିଗତ ସ୍ତରରେ ଜାଣିଥାନ୍ତୁ କି ଜାଣି ନଥାନ୍ତୁ, ଯିଏ ତାଙ୍କୁ ଦେଖାକରିକି ଫେରୁଛି ସେ କହୁଛି, ରାଷ୍ଟ୍ରପତି ହେବା ପରେ ଟିକେ ବି ବଦଳିନାହାନ୍ତି ମାଡାମ୍। ଗତ ନଭେମ୍ବର ୧୮ରେ ‘ସମ୍ବାଦ’ର ସାମ୍ବାଦିକଙ୍କ ଗହଣରେ ଆମେ ତାଙ୍କୁ ଅଧଘଣ୍ଟା ପାଇଁ ପାଇବା ଭିତରେ ତାଙ୍କଠିଁ ଯେପରି ନିଆରାପଣ ଦେଖିଲୁ ତାହା ଆମକୁ ଆଚମ୍ବିତ କରିଥିଲା। ନିଜ ପରିବାରର କଠିନ ମୁହୂର୍ତ୍ତଠାରୁ ଆରମ୍ଭ କରି ଜୀବନ ପ୍ରତି ତାଙ୍କର ପରିବର୍ତ୍ତିତ ଦୃଷ୍ଟିଭଙ୍ଗୀ ବର୍ଣ୍ଣନା କରିବା ଭିତରେ ଜଣେ ରାଷ୍ଟ୍ରନାୟକର ଛବି ତାଙ୍କଠାରେ ବେଶ୍ କିଛିଟା ଦେଖିଥିଲୁ। ତେବେ ଯୋଉ କଥାଟି ସବୁଠୁ ବେଶି ପ୍ରଭାବିତ କରିଥିଲା ତାହା ହେଲା, ଆମେ ଏମିତି ଅନେକ କଥା ସେଦିନ ତାଙ୍କୁ ପଚାରିଥିଲୁ, ଯାହା ତାଙ୍କ ସ୍ଥାନରେ ଅନ୍ୟ ଯେ କେହି ଥିଲେ ସ୍ମିତହାସ୍ୟର ସହ ଏଡ଼ାଇ ଯାଇଥାନ୍ତେ। ସେ କିନ୍ତୁ ମନଖୋଲି ଗୋଟିଗୋଟି କରି ସବୁ କଥାର ଉତ୍ତର ଦେଉଥିଲେ। ନିଜ ରାଜ୍ୟର ସାମ୍ବାଦିକମାନଙ୍କ ଉପରେ ଏପରି ଗଭୀର ବିଶ୍ବାସ ଦେଖି ସେଦିନ ଆଶ୍ଚର୍ଯ୍ୟ ହୋଇଥିଲୁ ଆମେ। ମନକୁ ସ୍ବତଃ ଏହି ଭାବନାଟି ଆସୁଥିଲା, ଆମର ସବୁ ରାଜନେତା ଏମିତି ହୁଅନ୍ତେନି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe