Image Courtesy of India Today
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ସମ୍ପୃକ୍ତ ଥିବା ଉଭୟ ଗୋଷ୍ଠୀର ‘ଶିବସେନା’ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ମାମଲା ଉପରେ ଆଜି ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିଛନ୍ତି।
ଉଦ୍ଧବ ଠାକ୍ରେଙ୍କ ଗୋଷ୍ଠୀ ତରଫରୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଓକିଲ କପିଲ୍ ସିବଲ୍ ଜୁନ୍ ୨୭ରେ କହିଥିଲେ ଯେ, ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ୩୯ଜଣ ବିଧାୟକଙ୍କ ଅଯୋଗ୍ୟତା ସଂକ୍ରାନ୍ତ ମାମଲାର ଶୁଣାଣି ଜୁଲାଇ ୧୧ରେ ହେବ। କିନ୍ତୁ, ସୁପ୍ରିମ୍ କୋର୍ଟ ଆଜି କହିଛନ୍ତି ଯେ, ମାମଲାରେ ଜଡ଼ିତ ଥିବା ସବୁ ପକ୍ଷଙ୍କ କଥା ଶୁଣିବା ପରେ ଯାହା କିଛି ନିଷ୍ପତ୍ତି ଗ୍ରହଣ କରାଯିବ।
Image Courtesy of Telegraph Indiaମାମଲାର ନିଷ୍ପତ୍ତି ନିମନ୍ତେ ନୂତନ ଖଣ୍ଡପୀଠ ଗଠନ କରା ନ ଯିବା ପର୍ଯ୍ୟନ୍ତ ବିଧାୟକମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କିଂବା ଶୁଣାଣି କରାଯାଇ ପାରିବ ନାହିଁ ବୋଲି ବାଚସ୍ପତିଙ୍କୁ ଜଣାଇ ଦେବା ଲାଗି ମଧ୍ୟ ସୁପ୍ରିମ୍ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି।
ଏହି ମାମଲାରେ ରାଜ୍ୟପାଳଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ସୁପ୍ରିମ୍ କୋର୍ଟଙ୍କୁ ଭରସା ଦେଇ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ସେ ବାଚସ୍ପତିଙ୍କୁ ଅବଗତ କରାଇ ଦେବେ।
ସୂଚନାଯୋଗ୍ୟ, ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସଂକ୍ରାନ୍ତରେ ଅନ୍ୟୂନ ୪ଟି ପିଟିସନ୍ ଏବେ ସୁପ୍ରିମ୍ କୋର୍ଟରେ ବିଚାର ପାଇଁ ପଡ଼ିରହିଛି।
Follow Us