ପ୍ରୟାଗରାଜ୍: ପୌଷ ପୂର୍ଣ୍ଣିମା ଅବସରରେ ପ୍ରଥମ 'ଶାହୀ ସ୍ନାନ'ରେ ଗଙ୍ଗା-ଯମୁନା-ସରସ୍ବତୀର ସଙ୍ଗମରେ ବୁଡ଼ ପକାଇବା ସହିତ ସୋମବାର ଦିନ ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ବିଶ୍ୱର ସର୍ବବୃହତ ଧାର୍ମିକ ସମ୍ମେଳନ ‘ମହାକୁମ୍ଭ ମେଳା’ ଆରମ୍ଭ ହୋଇଛି।
ମନ୍ଦିର ସହର ପ୍ରୟାଗରାଜରେ ଭକ୍ତମାନେ ସହରର ଘାଟରେ ଏକତ୍ରିତ ହୋଇ ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ଏହି ସ୍ନାନ ଦ୍ବାରା ସେମାନଙ୍କର ପାପ ଧୋଇହୋଇ ଯାଏ ବୋଲି ବିଶ୍ବାସ ରହିଛି। ସରକାରୀ ତଥ୍ୟ ଅନୁଯାୟୀ, ସୋମବାର ସକାଳ ୮ଟାରେ ପ୍ରାୟ ୬୦ ଲକ୍ଷ ଭକ୍ତ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ଏଥିଲାଗି ପ୍ରୟାଗରାଜ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
୧୪୪ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଉଥିବା ୪୫ ଦିନିଆ ମହାକୁମ୍ଭ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଆରମ୍ଭ ହୋଇଛି। ମହାକୁମ୍ଭକୁ ୪୫ କୋଟିରୁ ଅଧିକ ଭକ୍ତ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି। କେବଳ ଭାରତରୁ ନୁହେଁ, ବରଂ ସାରା ବିଶ୍ୱରୁ ଲୋକମାନେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏହି ମହାକାର୍ଯ୍ୟକ୍ରମ ପୂର୍ବରୁ, ରାଜ୍ୟ ମୁଖ୍ୟ ସଚିବ ମନୋଜ କୁମାର ସିଂହ ସମସ୍ତ ବ୍ୟବସ୍ଥା ସମୀକ୍ଷା କରିଥିଲେ ଏବଂ ଅଧିକାରୀମାନଙ୍କୁ ସୁପରିଚାଳନା ଲାଗି ନିର୍ଦ୍ଦେଶ ଦେଇଥିଲେ।
"୨୦୧୯ ମସିହାରେ କୁମ୍ଭ ଥିଲା। ଏଥର ମହାକୁମ୍ଭ। ଗତ କୁମ୍ଭରେ ଆମେ ୨୪ କୋଟି ତୀର୍ଥଯାତ୍ରୀଙ୍କୁ ପାଇଥିଲୁ ଏବଂ ଏଥର ଆମେ ୧୫ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୪୫ କୋଟିରୁ ଅଧିକ ତୀର୍ଥଯାତ୍ରୀ ଆଶା କରୁଛୁ। ସେହିପରି ବ୍ୟବସ୍ଥା ମଧ୍ୟ କରାଯାଉଛି" ବୋଲି ସେ କହିଛନ୍ତି।
ମନୋଜ ସିଂହ ଆହୁରି କହିଛନ୍ତି ଯେ ୪୫ ଦିନ ବ୍ୟାପୀ ଏହି ମହାକାର୍ଯ୍ୟକ୍ରମ ପାଇଁ ରାଜ୍ୟ ବଜେଟ୍ ପ୍ରାୟ ୭,୦୦୦ କୋଟି ଟଙ୍କା ରହିଛି। ଗତ କୁମ୍ଭ ପରିମଳ ବ୍ୟବସ୍ଥା ପାଇଁ ପ୍ରଶଂସିତ ହୋଇଥିଲା। ଏଥରର ମହାକୁମ୍ଭରେ ପରିମଳ, ସୁରକ୍ଷା ଏବଂ ଡିଜିଟାଲ୍ ପରିଚାଳନାକୁ ଗୁରୁତ୍ବ ଦିଆଯାଇଛି।
Follow Us