ପ୍ରୟାଗରାଜ୍: ୧୪୪ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ମହାକୁମ୍ଭ ଫେବ୍ରୁଆରି ୨୬ରେ ଶେଷ ହୋଇଛି। ଏହି ମହାପର୍ବ ଆସ୍ଥା ସହିତ ଅର୍ଥନୀତିର ମହାକୁମ୍ଭ ବୋଲି ପ୍ରମାଣିତ ହୋଇଛି। ୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ, ବିଶ୍ୱର ୧୦୦ରୁ ଅଧିକ ଦେଶରୁ ଭକ୍ତମାନେ ପ୍ରୟାଗରାଜରେ ପହଞ୍ଚିଥିଲେ ବୋଲି ଜଣାଯାଇଛି। ଏହି କାରଣରୁ, ପରିବହନ କ୍ଷେତ୍ରଠାରୁ ଆରମ୍ଭ କରି ଆତିଥ୍ୟ, ପର୍ଯ୍ୟଟନ ପର୍ଯ୍ୟନ୍ତ ଶହ ଶହ କ୍ଷେତ୍ରର ବ୍ୟବସାୟରେ ଆଶାତୀତ ବୃଦ୍ଧି ଘଟି ମୋଟ ବ୍ୟବସାୟ ୪ଲକ୍ଷ କୋଟି ଟଙ୍କାରୁ ଅଧିକରେ ପହଞ୍ଚିଥିବା ସୂଚନା ମିଳିଛି।
ବିଶ୍ୱ ଇତିହାସର ସବୁଠାରୁ ବଡ଼ ମହାକୁମ୍ଭ ଉତ୍ତରପ୍ରଦେଶର ଅର୍ଥନୀତି ପାଇଁ ଏକ ବରଦାନ ପ୍ରମାଣିତ ହୋଇଛି। ମହାକୁମ୍ଭର ୪୫ ଦିନ ମଧ୍ୟରେ, ୬୫ କୋଟିରୁ ଅଧିକ ଭକ୍ତ ପ୍ରୟାଗରାଜରେ ପହଞ୍ଚି ସଙ୍ଗମରେ ବୁଡ଼ ପକାଇଥିଲେ। ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଶାଠାରୁ ଦୁଇଗୁଣ ଅଧିକ ଥିଲା। ଏହି କାରଣରୁ, ୟୁପିର ଅର୍ଥନୀତି ମଧ୍ୟ ବଢ଼ିଥିବା ସାମ୍ନାକୁ ଆସିଛି। ଏହି ମହାପର୍ବ ଆରମ୍ଭରୁ ୭୦୦୦କୋଟି ଖର୍ଚ୍ଚ କରି ୟୁପି ସରକାର ୨ଲକ୍ଷ କୋଟି ଟଙ୍କା ଆୟ କରିବେ ବୋଲି କୁହାଯାଉଥିଲା। ହେଲେ କୁମ୍ଭ ସରୁ ସରୁ ଆୟ ଆଶାଠାରୁ ୨ଗୁଣ ଅଧିକ ହୋଇଥିବା ଜଣାଯାଇଛି।
କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସର ସାଧାରଣ ସମ୍ପାଦକ ତଥା ଦିଲ୍ଲୀର ଚାନ୍ଦିନୀ ଚୌକ ଆସନରୁ ଲୋକସଭା ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ମହାକୁମ୍ଭକୁ ଆସିଥିବା ବହୁ ସଂଖ୍ୟକ ଭକ୍ତ କାଶୀ, ଅଯୋଧ୍ୟା ଏବଂ ଚିତ୍ରକୂଟ ମଧ୍ୟ ପରିଦର୍ଶନ କରିଥିଲେ। ସେଥିପାଇଁ ଏହି ଐତିହାସିକ ଅଞ୍ଚଳରେ ମୋଟ କାରବାର ୪ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। କେବଳ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରୁ ୩ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି ୟୁପି ସରକାର।
Follow Us