ମହାନଦୀ ଟ୍ରିବ୍ୟୁନାଲ୍‌‌ : ଛତିଶଗଡ଼ ପାଇଁ ଶୁଣାଣି ଅଟକିଲା

Advertisment

ଓଡ଼ିଶାର ଆବେଦନ ଉପରେ ଛତିଶଗଡ଼କୁ ନୋଟିସ୍‌, ୧ ସୁଦ୍ଧା ଜବାବ ଦାଖଲ ନିର୍ଦ୍ଦେଶ, ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫ରେ

ଓଡ଼ିଶାର ଆବେଦନ ଉପରେ ଛତିଶଗଡ଼କୁ ନୋଟିସ୍‌, ୧ ସୁଦ୍ଧା ଜବାବ ଦାଖଲ ନିର୍ଦ୍ଦେଶ, ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫ରେ

ଛତିଶଗଡ଼ କେତେ ବ୍ୟାରେଜ୍ ନିର୍ମାଣ ଶେଷ କରୁଛି ‌ତଥ୍ୟ ନାହିଁ: ମନ୍ତ୍ରୀ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଆଜି ପ୍ରଥମ ଶୁଣାଣି ଆରମ୍ଭ ହୋଇଛି। ସୁପ୍ରିମକୋର୍ଟର ବିଚାରପତି ଏ ଏମ୍‌ ଖାନ୍‌ୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ମହାନଦୀ ଟ୍ରିବ୍ୟୁନାଲ୍‌ରେ ଆଜି ୧୨ ମିନିଟ୍‌ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ୍‌ ସୂର୍ଯ୍ୟ ମିଶ୍ର ଓ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ମୋହନ ବି କାଟାର୍କି ଓଡ଼ିଶା ଦାଖଲ କରିଥିବା‌ ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ତ୍ବରିତ ଶୁଣାଣି ପାଇଁ ଦାବି କରିଥିଲେ।

ଛତିଶଗଡ଼ ଦ୍ବାରା ମହାନଦୀର ଉପର ମୁଣ୍ଡରେ ବ୍ୟା‌େରଜ୍‌ ନିର୍ମାଣ ଉପ‌ରେ ରହିତା‌ଦେଶ ଜାରି କରିବା ସହ ଅଣମୌସୁମୀ ଋତୁରେ ଛତିଶଗଡ଼କୁ ମୁଖ୍ୟ ମହାନଦୀ ସୀମାରୁ, ଇବ୍‌ ନଦୀ ସୀମାରୁ ତଥା କେଲୋ ନଦୀ ସୀମାରୁ ୧.୭୪ ଏମଏଏଫ୍‌ ଜଳ ଓଡ଼ିଶାକୁ ଛାଡ଼ିବା ପାଇଁ ଆବେଦନରେ ଓଡ଼ିଶା ଦାବି କରିଛି। ସମସ୍ତ ପ୍ରସଙ୍ଗ ଗୁଡ଼ିକ ଉପରେ ତ୍ବରିତ ଶୁଣାଣି କରାଯାଇ ଅନ୍ତରୀଣ ଆଦେଶ ଜାରି କରାଯାଉ ବୋଲି ରାଜ୍ୟ ସରକାରଙ୍କ ଓକିଲ ଦାବି କରିଥିଲେ।

କିନ୍ତୁ ଛତିଶଗଡ଼ର ବରିଷ୍ଠ ଓକିଲ ଅତୁଲ୍‌ ଝା ଓଡ଼ିଶାର ଆବେଦନ ଉପରେ ପ୍ର‌ଶ୍ନ ଉଠାଇଥିଲେ ଏବଂ ଏଥିରେ ଅସଙ୍ଗତି ଥିବା କହିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଟ୍ରିବ୍ୟୁନାଲ୍‌ ଛତିଶଗଡ଼ ସମେତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡକୁ ମଧ୍ୟ ନୋଟିସ୍‌ କରିଛନ୍ତି। ଡିସେମ୍ବର ୧ ସୁଦ୍ଧା ଜବାବ ଦାଖଲ କରିବା ପାଇଁ ୪ ରାଜ୍ୟକୁ ନିର୍ଦ୍ଦେଶ ଜାରି କରିଛନ୍ତି। ୪ ରାଜ୍ୟଙ୍କ ଜବାବ ଦାଖଲ ପରେ ଓଡ଼ିଶାକୁ ଡିସେମ୍ବର ୧୪ ସୁଦ୍ଧା ପ୍ରତିଜବାବ ଦାଖଲ କରିବା ପାଇଁ ଟ୍ରିବ୍ୟୁନାଲ୍‌ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ ବିଧାନସଭା ନିର୍ବାଚନ ପାଇଁ ଅଧିକାରୀମାନେ ବ୍ୟସ୍ତ ଥିବାରୁ ଛତିଶଗଡ଼ର ଓକିଲ ଜବାବ ଦାଖଲ ପାଇଁ ୩ ମାସ ସମୟ ଲୋଡ଼ିଥିଲେ। କିନ୍ତୁ ଟ୍ରିବ୍ୟୁନାଲ୍‌ ୪ ସପ୍ତାହ ସମୟ ଦେଇଥି‌ଲେ।

ଓଡ଼ିଶା ଦ୍ବାରା ଦାଖଲ ହୋଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଡିସେମ୍ବର ୧୫ରେ ଶୁଣାଣି ହେବ ଏବଂ ଆବଶ୍ୟକ ପଡ଼ିଲେ ୧୬ରେ ମଧ୍ୟ ଶୁଣାଣି ଜାରି ରହିବ ବୋଲି ଟ୍ରିବ୍ୟୁନାଲ୍‌ କହିଥିଲେ।

ଅନ୍ୟପ‌େକ୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ମହାନଦୀ ଜଳବିବାଦକୁ ନେଇ ‌ଯେଉଁ ମୂଳ ଆବେଦନ ସୁପ୍ରିମକୋର୍ଟରେ ଦ‌ାଖଲ ହୋଇଥିଲା ତାହା ମଧ୍ୟ ଶୁଣାଣି କରିବା ପାଇଁ ଟ୍ରିବ୍ୟୁନାଲ୍‌ ତାରିଖ ଧାର୍ଯ୍ୟ କରିଛନ୍ତି। ତେବେ ଓଡ଼ିଶାର ମୂଳ ଆବେଦନ ଉପ‌େର ପକ୍ଷଭୁକ୍ତ ରାଜ୍ୟମାନେ ଟ୍ରିବ୍ୟୁନାଲ୍‌ରେ ସେମାନଙ୍କ ଦାବି ଓ ଆପତ୍ତି ନେଇ ଜବା‌ବ ରଖିବା ପାଇଁ ଟ୍ରିବ୍ୟୁନାଲ୍‌ ୮ ସପ୍ତାହ ସମୟ ଧାର୍ଯ୍ୟ କରିଥିଲେ ଏବଂ ଏହାପରେ ମୂଳ ଆବେଦନର ଶୁଣାଣି ଜାନୁଆରି ୧୨ ତାରିଖରେ ହେବ ବୋଲି ଟ୍ରିବ୍ୟୁନାଲ୍‌ ତାରିଖ ଧାର୍ଯ୍ୟ କରିଥିଲେ।

ଆଜିର ଶୁଣାଣି ସମୟରେ ପାଟନା ହାଇକୋର୍ଟର ବିଚାରପତି ଡ. ରବିରଂଜନ ଓ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଇନ୍ଦରମିତ କୌର କୋଚର ଉପସ୍ଥିତ ଥିଲେ। ଓଡ଼ିଶା, ଛତିଶଗଡ଼ ସରକାରଙ୍କ ଜଳ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ ଏବଂ ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ସରକାରଙ୍କ ଜଳବିଭାଗ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ତେବେ ବାତ୍ୟା ତିତଲି ପରର ସ୍ଥିତି ଥଇଥାନ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଟ୍ରିବ୍ୟୁନାଲ୍‌ର ପ୍ରଥମ ଶୁଣାଣି‌େର ଉପସ୍ଥିତ ହୋଇପାରିନଥିଲେ ବୋଲି ଆଡଭୋକେଟ୍‌ ‌େଜନେରାଲ ଟ୍ରିବ୍ୟୁନାଲ୍‌ଙ୍କୁ ଅବଗତ କରିଥିଲେ। ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟର ବରି‌ଷ୍ଠ ଆଇନଜୀବୀ ମୋହନ ବି କାଟାର୍କିଙ୍କ ସମେତ ମହେଶ ଅଗ୍ରୱାଲ୍‌, ରନବୀର ସିଂହ, ରାଧେଶ୍ୟାମ ଜେନା, ଡକ୍ଟର ଅନିନ୍ଦିତା ପୂଜାରୀ, ଅଭିନବ ଅଗ୍ରୱାଲ୍, ପାରୁଲ୍‌ ଶୁକ୍ଳା ଓ ଗୁଣିକା ଗୁପ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe