ମହାନଦୀ ଜଳ ବିବାଦ ମାମଲା: ଅଗଷ୍ଟ ୨୭କୁ ଘୁଞ୍ଚିଲା ଶୁଣାଣି

Advertisment
ମହାନଦୀ ଜଳ ବିବାଦ: ତେଜୁଛି ରାଜନୀତି

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଆଜି ୨୮ତମ ଶୁଣାଣି କରିଥିଲେ। ଅପ୍ରତ୍ୟକ୍ଷ (ଭର୍ଚୁଆଲ୍‌) ବ୍ୟବସ୍ଥାରେ ଏହାର ଶୁଣାଣି ହୋଇଥିଲା। ଆଜିର ଶୁଣାଣିରେ ମାମଲାର ସମାଧାନ ତଥା ନିଷ୍କର୍ଷକୁ ନେଇ ସେଭଳି କିଛି ଅଗ୍ରଗତି ହୋଇନାହିଁ। ତେବେ ଓଡ଼ିଶା ଓ ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ଦୁଇଟି ସାକ୍ଷୀ ସତ୍ୟପାଠକୁ ଟ୍ରିବ୍ୟୁନାଲ ରେକର୍ଡକୁ ନେଇଥିଲେ।

ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାମାନଙ୍କ ଠାରୁ ମହାନଦୀ ଅବବାହିକା ସଂପର୍କିତ ନଥିପତ୍ର ହାସଲ କରିବାକୁ ନେଇ ହୋଇଥିବା ଅଗ୍ରଗତି ସଂପର୍କରେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଥି‌ଲେ। ଏନ୍‌ଡିଏମ୍‌ଏ ଏବଂ ନୀତି ଆୟୋଗ ପାଖରୁ ଉପଲବ୍ଧ ହୋଇନଥିବା ନଥିପତ୍ର ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ଶୁଣାଣିବେଳେ ଟ୍ରିବ୍ୟୁନାଲ କହିଥିଲେ। ଆଜି ପୁଣି ଥରେ ଶୁଣାଣି ଅବସରରେ ଟ୍ରିବ୍ୟୁନାଲ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ଉଭୟ ରାଜ୍ୟର ବାକି ଥିବା ନଥି ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ବେଳେ ଟ୍ରିବ୍ୟୁନାଲ ସ୍ପଷ୍ଟ କରିଥିଲେ ଯେ କେନ୍ଦ୍ରୀୟ ସଂସ୍ଥାମାନଙ୍କ ପାଖରୁ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ଯେଉଁସବୁ ବଳକା ନଥିର ଆବଶ୍ୟକତା ରହିଛି, ରାଜ୍ୟଗୁଡ଼ିକ ଟ୍ରିବ୍ୟୁନାଲରେ ମଧ୍ୟବର୍ତ୍ତୀକାଳୀନ ଆବେଦନ (ଆଇଏ) ଦାଖଲ କରି ଦସ୍ତାବିଜ୍‌ଗୁଡ଼ିକ ଲୋଡ଼ିପାରିବେ।

ଶୁଣାଣି ବେଳେ ମହାନଦୀ ଜଳ ଓ ଅବବାହିକା ସମ୍ବନ୍ଧିତ ଏକାଧିକ ତଥ୍ୟ ମଧ୍ୟପ୍ରଦେଶ ଯୋଗାଉନଥିବା ଛତିଶଗଡ଼ ଟ୍ରିବ୍ୟୁନାଲଙ୍କ ନିକଟରେ ଅଭିଯୋଗ କରିଥିଲା। ଛତିଶଗଡ଼ ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟ ବିଭାଜନ ପୂର୍ବରୁ ମହାନଦୀ ସଂପର୍କିତ ନଥିପତ୍ର ମଧ୍ୟପ୍ରଦେଶ ପାଖରେ ରହିଛି। ମଧ୍ୟପ୍ରଦେଶ ତଥ୍ୟ ଯୋଗାଇ ନଦେବା ଫଳରେ ଛତିଶଗଡ଼ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଟ୍ରିବ୍ୟୁନାଲଙ୍କ ପୂର୍ବ ଆଦେଶକୁ ପାଳନ ଆଜି ଶୁଣାଣି ସମୟରେ ମଧ୍ୟପ୍ରଦେଶ ଓକିଲ ଉପସ୍ଥିତ ଥିଲେ। ଛତିଶଗଡ଼ର ଅଭିଯୋଗ ଉପରେ ସେ ଉତ୍ତର ରଖି କହିଥିଲେ, ପ୍ରକୃତରେ ତଥ୍ୟ ମଧ୍ୟପ୍ରଦେଶ ପାଖରେ ଉପଲବ୍ଧ ଅଛି ନା ନାହିଁ ସେ ସଂପର୍କରେ ଅନୁଧ୍ୟାନ ଓ ପରୀକ୍ଷାନିରୀକ୍ଷା କରି ଜଣାଇବେ। ଏଥି ପାଇଁ ଟ୍ରିବ୍ୟୁନାଲ ମଧ୍ୟପ୍ରଦେଶ ଆଇନଜୀବୀଙ୍କୁ ଚାରି ସପ୍ତାହର ସମୟ ପ୍ରଦାନ କରିଥିଲେ।

ଓଡ଼ିଶା ପକ୍ଷରୁ କମନ ଫର୍ମାଟ୍‌ ଅଫ ଇନଫରମେସନ୍‌ (ସିଏଫ୍‌ଆଇ) ସୂଚୀରୁ ‘ଏନଭାର୍ନମେଣ୍ଟ ଫ୍ଲୋ ଅଫ ୱାଟର’ର ତଥ୍ୟକୁ ଟ୍ରିବ୍ୟୁନାଲ ଆସେସର୍‌ମାନଙ୍କ ଦ୍ବାରା ସିଏଫ୍‌ଆଇ ଫର୍ମାଟ୍‌ରୁ ହଟାଇ ଦିଆଯାଇଥିବା ନେଇ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଛତିଶଗଡ଼ ନିକଟରୁ ଏନଭାର୍ନମେଣ୍ଟ ଫ୍ଲୋ ଅଫ୍‌ ୱାଟରର ଡାଟା ହାସଲ କରାଯାଇଥିଲା। ସାକ୍ଷ୍ୟ ପ୍ରମାଣ ପ୍ରକ୍ରିୟା ଶେଷ ହେବା ପରେ ଓଡ଼ିଶା ଟ୍ରିବ୍ୟୁନାଲରେ ମଧ୍ୟବର୍ତ୍ତୀକାଳୀନ ଆବେଦନ (ଆଇଏ) ଦାଖଲ କରି ଛତିଶଗଡ଼ ପାଖରୁ ‘ଏନଭାର୍ନମେଣ୍ଟ ଫ୍ଲୋ ଅଫ ୱାଟର’ର ତଥ୍ୟ ପାଇଁ ଆବେଦନ କରିପାରିବ ବୋଲି ଟ୍ରିବ୍ୟୁନାଲ କହିଥିଲେ। ଟ୍ରିବ୍ୟୁନାଲ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୨୭ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଅଗଷ୍ଟ ୨୭ ତାରିଖରୁ ପ୍ରତ୍ୟକ୍ଷ ଶୁଣାଣି ହେବ ବୋଲି ଟ୍ରିବ୍ୟୁନାଲ ଆଜି ସ୍ପଷ୍ଟ କରିଥିଲେ। ଚଳିତମାସ ୨୯ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏଏମ୍‌ ଖାନୱିଲକର ସୁପ୍ରିମକୋର୍ଟର ବିଚାରପତି ଭାବେ ଅବସର ନେବେ। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟ ଜାରି ରହିବ ଏବଂ ମାମଲାର ଶୁଣାଣିରେ ତୀବ୍ରତା ଆସିବା ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe