ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାରେ ଟ୍ରିବ୍ୟୁନାଲ୍ ଦେଇଥିବା ଆପୋସ ସମାଧାନ ପ୍ରସ୍ତାବ ପାଇଁ ବୈଠକ କେବେ ଓ କେଉଁଠି ହେବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ହୋଇପାରିନି। ସୂଚନାନୁଯାୟୀ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ଙ୍କ ଆପୋସ ସମାଧାନର ପ୍ରସ୍ତାବ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି। ଆଲୋଚନା ପାଇଁ ଛତିଶଗଡ଼କୁ ଚଳିତ ସପ୍ତାହରେ ପ୍ରସ୍ତାବ ମଧ୍ୟ ପଠାଯାଇଛି। ଫେବ୍ରୁଆରି ୧୮ ତାରିଖ ଦିନ ଦିଲ୍ଲୀରେ ବୈଠକ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ତରଫରୁ ଟ୍ରିବ୍ୟୁନାଲ୍ରେ ମାମଲା ପରିଚାଳନା କରୁଥିବା ଜଣେ ଆଇନଜୀବୀଙ୍କ ଜରିଆରେ ଛତିଶଗଡ଼ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିବା ସୁତ୍ରରୁ ଜଣାପଡ଼ିଛି। ହେଲେ ଛତିଶଗଡ଼ ପକ୍ଷରୁ ବିଧାନସଭରେ ବଜେଟ୍ ଅଧିବେଶନ ଚାଲିଥିବା ତଥା ଅଧିକାରୀମାନଙ୍କ ବ୍ୟସ୍ତତା ଯୋଗୁଁ ଫେବ୍ରୁଆରି ୧୮ରେ ଆଲୋଚନା ସମ୍ଭବ ହୋଇପାରିବ ନାହିଁ ବୋଲି ଅସମର୍ଥତା ପ୍ରକାଶ କରାଯାଇଥିବା କୁହାଯାଉଛି। ଫେବ୍ରୁଆରି ୮ ତାରିଖରୁ ଆରମ୍ଭ ହୋଇଥିବା ଛତିଶଗଡ଼ ବିଧାନସଭାର ବଜେଟ୍ ଅଧିବେଶନ ମାର୍ଚ୍ଚ ୮ରେ ଶେଷ ହେବ। ତେବେ ଅଦ୍ୟାବଧି ବୈଠକର କୌଣସି ଚୁଡ଼ାନ୍ତ ତାରିଖ ଉଭୟ ରାଜ୍ୟ ପକ୍ଷରୁ ଧାର୍ଯ୍ୟ କରାଯାଇନାହିଁ। ଏକ ବିଶେଷ ସୂତ୍ରରୁ ଜଣାଯାଇଛି ଯେ ବୈଠକରେ କେବଳ ଉଭୟ ରାଜ୍ୟର ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଭାଗ ନେବେ। ଆପୋସ ସମାଧାନରେ କେବଳ ଅଣମୌସୁମୀ ସମୟରେ ଅର୍ଥାତ୍ ନଭେମ୍ବରରୁ ମେ’ ମଧ୍ୟରେ ଦୈନିକ କେତେ ଫୁଟ୍ ପାଣି ଓଡ଼ିଶାକୁ ଛଡ଼ାଯିବ ସେନେଇ ବିଚାର ବିମର୍ଶ କରାଯିବ। ସୂଚନାଯୋଗ୍ୟ ଓଡ଼ିଶା ଦ୍ବାରା ଟ୍ରିବ୍ୟୁନାଲ୍ରେ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନରେ ଅଣ ମୌସୁମୀ ସମୟରେ ଦୈନିକ ୧.୭୪ ନିୟୁତ ଏକର ଫୁଟ୍ (ଏମ୍ଏଫ୍) ପାଣି ଛାଡ଼ିବାକୁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବାପାଇଁ ପ୍ରାର୍ଥନା କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us