ମହାନଦୀ ଜଳବିବାଦ : ଓଡ଼ିଶା-ଛତିଶଗଡ଼ ଆପୋସ ଆଲୋଚନାକୁ ଅଟକାଇଛି କରୋନା

Advertisment
ତଥ୍ୟ ଲୁଚାଉଛି ଛତିଶଗଡ଼! ବ୍ୟାରେଜ୍‌, ଡ୍ୟାମ୍‌ ସଂଖ୍ୟାରେ ତାଳମେଳ ନାହିଁ

NewsClick

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାର ସମାଧାନ ପାଇଁ ଗଠିତ ହୋଇଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ଆସନ୍ତା ମାସରେ ତିନି ବର୍ଷ ପୂରିବ। ବର୍ତ୍ତମାନ ସୁଦ୍ଧା ଟ୍ରିବ୍ୟୁନାଲ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ କୌଣସି ରାୟ ପ୍ରକାଶ କରିନାହାନ୍ତି। ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମୂଳ ଆବେଦନର ଶୁଣାଣି ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇନାହିଁ। ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ରାୟ ପ୍ରକାଶ କରିବା ପୂର୍ବରୁ ଟ୍ରିବ୍ୟୁନାଲ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ପରାମର୍ଶ ଦେଇଥିଲେ। ମାତ୍ର, କରୋନା ପାଇଁ ଆଲୋଚନାର ଅଗ୍ରଗତି ହୋଇପାରିନାହିଁ।

ଗତ ଅଗଷ୍ଟ ୨୯ ତାରିଖ ଶୁଣାଣି ସମୟରେ ଟ୍ରିବ୍ୟୁନାଲ ମାମଲା ବିଚାରାଧୀନ ସ୍ଥିତି ଥିବାବେଳେ ଅନ୍ତରୀଣ ବ୍ୟବସ୍ଥା ପାଇଁ ଆପୋଷ ଆଲୋଚନା ପାଇଁ ଆଦେଶରେ କୁହାଯାଇଥିଲା। ଟ୍ରିବ୍ୟୁନାଲଙ୍କ ପ୍ରସ୍ତାବରେ ଓଡ଼ିଶା ଓ ଛତିଶଗଡ଼ ସହମତି ପ୍ରକାଶ କରିଥିଲେ। ଉଭୟ ରାଜ୍ୟ ଦୁଇଟି ପ୍ରସଙ୍ଗରେ ଆଲୋଚନା କରିବାର ଧାର୍ଯ୍ୟ ହୋଇଥିଲା। ପ୍ରଥମଟି ଅନ୍ତରୀଣ ବ୍ୟବସ୍ଥା ତଥା ଦ୍ୱିତୀୟଟି କମନ୍ ଇନ୍‌ଫର୍ମେସନ୍ ଫର୍ମାଟ୍ ଉପରେ ଦୁଇ ରାଜ୍ୟର ବୈଷୟିକ ଆକଳନ ଟିମ୍‌ର ବିଚାରବିମର୍ଶ। ଦୁଇ ରାଜ୍ୟ କମନ୍ ଇନ୍‌ ଫରମେସନ୍ ଫର୍ମାଟ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ଟ୍ରିବ୍ୟୁନାଲଙ୍କ ଆସେସର୍‌ଙ୍କୁ ସୂଚନା ଉପଲବ୍ଧ କରାଇବାର ଥିଲା। ଯାହାର ଆଧାରରେ ଆସେସର୍ ଏକ ରିପୋର୍ଟ ଜରିଆରେ ଟ୍ରିବ୍ୟୁନାଲଙ୍କ ନିକଟରେ ଉପସ୍ଥାପନ କରିଥା’ନ୍ତେ। ହେଲେ, ଦୁଇ ରାଜ୍ୟର ଆଲୋଚନାରେ କରୋନା ପ୍ରତିବନ୍ଧକ ସାଜିଛି।

ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ର ବୈଷୟିକ ଦଳର ସଦସ୍ୟମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିସହିତ, ଛତିଶଗଡ଼ରେ କରୋନା ପାଇଁ ଅନେକ କଟକଣା ଲାଗିରହିଥିଲା। ସମସ୍ତ ପ୍ରତିବନ୍ଧକ ଭିତ୍ତିକରି ଛତିଶଗଡ଼ ପକ୍ଷରୁ ଦୁଇଟି ଅଲଗା ଅଲଗା ଚିଠି ଦ୍ୱାରା ଓଡ଼ିଶାକୁ ଅବଗତ କରାଯାଇଥିଲା। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ପରେ ଦୁଇ ରାଜ୍ୟ କଥାବାର୍ତ୍ତା ପାଇଁ ତତ୍ପରତା ପ୍ରକାଶ କରିଥିଲେ ମଧ୍ୟ କରୋନା ଏଥିରେ ରୋକ୍ ଲଗାଇ ଦେଇଛି। ଦୁଇ ରାଜ୍ୟ ମଧ୍ୟରେ ପରବର୍ତ୍ତୀ ଆଲୋଚନା କେବେ ହେବ, ସେନେଇ ସ୍ପଷ୍ଟ ରୂପେ କିଛି ସୂଚନା ମିଳିପାରିନାହିଁ। ଅନ୍ୟପକ୍ଷରେ, ଟ୍ରିବ୍ୟୁନାଲର ପକ୍ଷରୁ ଆଗାମୀ ୩ ତାରିଖରେ ହେବାକୁ ଥିବା ଶୁଣାଣି ସମୟରେ ଏ ସମ୍ପର୍କରେ ଉଭୟ ରାଜ୍ୟ ଅବଗତ କରିବେ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଓଡ଼ିଶାର ଅନ୍ତରୀଣ ଆବେଦନର ଶୁଣାଣିକୁ ମାର୍ଚ୍ଚ ୯, ୨୦୧୯ରେ ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe