ମହାନଦୀ ଜଳ ବିବାଦ ମାମଲା : ଚୂଡ଼ାନ୍ତ ହେଲା ଏକକ ସୂଚନା ସାରଣୀ, ଆଜି ଟ୍ରିବ୍ୟୁନାଲର ଲାଗିବ ମୋହର

Advertisment
ମହାନଦୀକୁ ଡେଇଁ ଯୁବକ ନିଖୋଜ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଛତିଶଗଡ଼ ସମେତ ଅନ୍ୟ ପକ୍ଷଭୁକ୍ତ ରାଜ୍ୟଙ୍କ ମଧ୍ୟରେ ଦସ୍ତାବିଜ/ନଥିପତ୍ର ଆଦାନପ୍ରଦାନ ପାଇଁ ଟ୍ରିବ୍ୟୁନାଲଙ୍କ ଦୁଇ ଆସେସରମାନଙ୍କ ଦ୍ବାରା କମନ ଇନଫରମେସନ ଫର୍ମାଟ୍ (ଏକକ ସୂଚନା ସାରଣୀ)କୁ ଚୂଡ଼ାନ୍ତ କରିଦିଆଯାଇଥିବା ବିଶ୍ବସ୍ତ ସୁତ୍ରରୁ ଜଣାପଡିଛି। ଆସନ୍ତାକାଲି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ରେ ହେବାକୁ ଥିବା ଶୁଣାଣିରେ ଏହି ଏକକ ସୂଚନା ସାରଣୀ ଉପରେ ଟ୍ରିବ୍ୟୁନାଲ ବିଧିବଦ୍ଧ ଭାବେ ଏହାର ବ୍ୟବହାରିତା ଉପରେ ଆଦେଶ ଜାରି କରିବାର ସମ୍ଭାବନା ରହିଛି। କ୍ରିଷ୍ଣା ଓ କାବେରୀ ଜଳ ବିବାଦ ମାମଲାରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଏକକ ସୂଚନା ସାରଣୀ ଆଧାରରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ପାଇଁ ଏକକ ସୂଚନା ସାରଣୀକୁ ଟ୍ରିବ୍ୟୁନାଲଙ୍କ ନିର୍ଦେଶ କ୍ରମେ ଚୂଡ଼ାନ୍ତ କରାଯାଇଛି। କମନ ଇନଫରମେସନ୍ ଫର୍ମାଟ ଉପରେ ଗତ ମାସରେ ଓଡ଼ିଶା ଦ୍ବାରା ସହମତି ପ୍ରଦାନ କରାଯାଇଥିବା ବେଳେ ଛତିଶଗଡ଼ ପକ୍ଷରୁ ଆସେସରମାନଙ୍କ ସହିତ ଦୁଇ ରାଉଣ୍ଡ ବୈଠକରେ ପ୍ରସ୍ତୁତ କରାଯାଇଥିବା ଡ୍ରାଫ୍‌ଟର କିଛି ପ୍ରସଙ୍ଗରେ ଆପତ୍ତି କରାଯାଇଥିଲା। ଏହାପରେ ଛତିଶଗଡ଼ ପକ୍ଷରୁ କମନ ଇନଫରମେସନ ଫର୍ମାଟକୁ ସହମତି ପ୍ରଦାନ କରାଯାଇଥିଲା ବୋଲି ଜଣା ପଡିଛି।

ଆସନ୍ତାକାଲିର ଶୁଣାଣିରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଚଳିତ ମାସ ୨ ତାରିଖରେ ଟ୍ରିବ୍ୟୁନାଲଙ୍କ ପୂର୍ବର ନିର୍ଦ୍ଦେଶ ଅନୁସାରେ ଅନୁଷ୍ଠିତ ହୋଇଥିବା ବୈଷୟିକସ୍ତରୀୟ ବୈଠକର ଫଳାଫଳ ସଂପର୍କରେ ଅବଗତ କରାଯିବ।

ସ୍ମରଣଯୋଗ୍ୟ, ଦୁଇରାଜ୍ୟର ବୈଷୟିକ ଅଧିକାରୀମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ଅନ୍ତରୀଣ ବ୍ୟବସ୍ଥାକୁ ନେଇ କୌଣସି ସହମତି ହୋଇପାରି ନ ଥିଲା। ଓଡ଼ିଶାର ସମସ୍ତ ପ୍ରସ୍ତାବକୁ ଛତିଶଗଡ଼ ଆଗ୍ରହ୍ୟ କରିଦେବା ଯୋଗୁଁ ବୈଠକ ବିଫଳ ହୋଇଥିଲା। ଦୁଇ ରାଜ୍ୟର ସଚିବସ୍ତରୀୟ ବୈଠକ ପାଇଁ ଓଡ଼ିଶା ଦାବି କରୁଥିବାବେଳେ ଆସନ୍ତାକାଲି ଏ ନେଇ ଟ୍ରିବ୍ୟୁନାଲଙ୍କ ଆଭିମୁଖ୍ୟ ଉପରେ ନଜର ରହିବ। ଅପରପକ୍ଷେ ଆସନ୍ତାକାଲିର ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣମୌସୁମୀ ଋତୁ ସଦ୍ୟ ତଥ୍ୟ ଆଧାରରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଜଳ ହୀରାକୁଦ ଜଳଭଣ୍ଡାରକୁ ଛାଡିବା ପାଇଁ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe