ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ଆଜିର ଶୁଣାଣି ଶେଷ ହୋଇଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ ଏମ ଖାନ୍ୱିଲକରଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣିରେ ଓଡ଼ିଶା ଓ ଛତିଶଗଡ଼ର ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରାଯାଇଛି। ଓଡ଼ିଶା ପକ୍ଷରୁ କେନ୍ଦ୍ର ସରକାରଙ୍କର ସି ଡବ୍ଲୁସି, ଆଇଏମଡି ଓ ଭୂତଳ ଜଳ ବୋର୍ଡ ଆଦି ୩ଟି ସଂସ୍ଥାରୁ କିଛି ତଥ୍ୟ ପାଇଁ ଆବେଦନ କରଯାଇଥିବା ହେତୁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରାଯାଇଥିବା ଜଣାଯାଇଛି। ଏହି ମାମଲାର ପରବର୍ତୀ ଶୁଣାଣି ଅଗଷ୍ଟ୨୯ ତାରିଖରେ ହେବ।
ସେହିପରି କାବେରୀ ଓ କ୍ରୀଷ୍ଣା ଜଳ ବିବାଦକୁ ଆଧାର କରି ମହାନଦୀ ଜଳ ବିବାଦର ସମସ୍ତ ନଥିପତ୍ର ଓ ତଥ୍ୟକୁ ଗୋଟିଏ ସାଧାରଣ ଫର୍ମାଟରେ ପଞ୍ଜିକୃତ କରାଯିବ ବୋଲି ଟ୍ରିବୁନାଲ୍ କହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ମୂଳ ମାମଲାରେ ଇସ୍ୟୁ ଫ୍ରେମ୍ କରିବା ପାଇଁ ଦୁଇ ରାଜ୍ୟମାନଙ୍କ ଭିତରେ ସହମତି ହୋଇ ନପାରିବାରୁ ପୂର୍ବରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଦ୍ବାରା ପ୍ରସଙ୍ଗ ଗୁଡ଼ିକର ନିର୍ଦ୍ଧାରଣ କରାଯାଇଛି। ଗତମାସରେ ପ୍ରଥମ ଥର ପାଇଁ ଭିଡିଓ କନିଫରେନ୍ସିଂ ଜରିଆରେ ହୋଇଥିବା ଟ୍ରିବ୍ୟୁନାଲର ଶୁଣାଣିରେ ୪୦ଟି ପ୍ରସଙ୍ଗ ନିର୍ଦ୍ଧାରଣ କରାଯାଇଛି।
ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଶୁଣାଣି ଆରମ୍ଭରେ ଲିଙ୍କ୍ ଫେଲ୍ ହେବା ସତ୍ତ୍ବେ ଏକ ଘଣ୍ଟା ଧରି ଟ୍ରିବ୍ୟୁନାଲ ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ। ମହାନଦୀ ଜଳ ବିବାଦ ପ୍ରସଙ୍ଗ ବିଚାର ଓ ଅନୁଧ୍ୟାନ ପାଇଁ ଆବଶ୍ୟକ ଥିବା ନଥିପତ୍ର ଓ ଦସ୍ତାବିଜ୍ ଆଦିକୁ ଯୋଗାଇ ଦେବା ପାଇଁ ଛତିଶଗଡ଼ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ଟ୍ରିବ୍ୟୁନାଲ କେନ୍ଦ୍ର ସରକାର ଓ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ନୋଟିସ୍ ଜାରି କରି ତିନି ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଥିଲେ। ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ଅତିରିକ୍ତ ନଥିପତ୍ରକୁ ଟ୍ରିବ୍ୟୁନାଲ ରେକର୍ଡକୁ ନେଇଥିଲେ ଏବଂ ଛତିଶଗଡ଼କୁ ଅତିରିକ୍ତ ନଥିପତ୍ର ଦାଖଲ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଏତଦବ୍ୟତୀତ ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର କାଗଜପତ୍ର ଯାଞ୍ଚ ଲାଗି ମଧ୍ୟ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୮ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରାଯାଇଥିଲା।
Follow Us