ମହାନଦୀ ଜଳ ବିବାଦ : ଓଡ଼ିଶା-ଛତିଶଗଡ଼ ଆଲୋଚନା ବିଫଳ

ମହାନଦୀକୁ ଡେଇଁ ଯୁବକ ନିଖୋଜ

ବୈଷୟିକ ଅଧିକାରୀସ୍ତରୀୟ ବୈଠକ ଥିଲା
ଓଡ଼ିଶା ଦାବିକୁ ଛତିଶଗଡ଼ର ରୋକ୍‌ଠୋକ୍ ଅଗ୍ରାହ୍ୟ
ସଚିବସ୍ତରୀୟ ବୈଠକ ପାଇଁ ଦାବି ବି ଶୁଣିଲାନି
ଆସନ୍ତା ୭ ତାରିଖରେ ଟ୍ରିବ୍ୟୁନାଲରେ ଶୁଣାଣି

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାରେ ଆଜି ସନ୍ଧ୍ୟାରେ ଓଡ଼ିଶା ଓ ଛତିଶଗଡର ବୈଷୟିକ ଅଧିକାରୀସ୍ତରୀୟ ବୈଠକ ବିଫଳ ହୋଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ଓଡ଼ିଶାର ପ୍ରସ୍ତାବଗୁଡ଼ିକୁ ଛତିଶଗଡ଼ ସିଧାସଳଖ ଅଗ୍ରାହ୍ୟ କରିଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ବୈଠକରେ ଉଭୟ ପକ୍ଷରୁ ୫ ଜଣ ଲେଖାଏଁ ବୈଷୟିକ ଅଧିକାରୀ ଆଲୋଚନାରେ ସାମିଲ ଥିଲେ।

ଓଡ଼ିଶା ଦ୍ୱାରା ଅଣମୌସୁମୀ ଋତୁରେ ନିର୍ଦ୍ଦିଷ୍ଟ ପରିମାଣର ଜଳପ୍ରବାହକୁ ଅବ୍ୟାହତ ରଖିବା, ଛତିଶଗଡ଼ ଦ୍ୱାରା ମହାନଦୀର ଉପରମୁଣ୍ଡରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ପ୍ରକଳ୍ପଗୁଡ଼ିକ ଉପରେ ରୋକ ଲଗାଇବା ଭଳି କିଛି ପ୍ରସ୍ତାବଗୁଡ଼ିକ ବିଚାର କରିବା ପାଇଁ ଛତିଶଗଡ଼ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। ହେଲେ ଛତିଶଗଡ଼ର ବୈଷୟିକ ଅଧିକାରୀମାନେ ଓଡ଼ିଶାର କୌଣସି ଗୋଟିଏ ପ୍ରସ୍ତାବକୁ ଗ୍ରହଣ କରିବା ସପକ୍ଷରେ ନଥିଲେ। ସେମାନେ ନିଜର ତର୍କ ରଖିବା ସହିତ ଜିଦ୍‌ରେ ଅଟଳ ରହିବା କାରଣରୁ ବୈଠକ‌ରେ କୌଣସି ନିଷ୍କର୍ଶ ବାହାରି ପାରିନଥିଲା। ଏପରିକି ଓଡ଼ିଶା ଦୁଇ ରାଜ୍ୟର ସଚିବସ୍ତରୀୟ ବୈଠକ ଡାକିବା ପାଇଁ ଦାବି କରିଥିଲେ ମଧ୍ୟ ଛତିଶଗଡ଼ ଓଡ଼ିଶାର ପ୍ରସ୍ତାବକୁ ଗ୍ରହଣ କରିନଥିଲା।

ଆସନ୍ତା ୭ ତାରିଖରେ ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ଥିବା ବେଳେ ଓଡିଶା ଓ ଛତିଶଗଡ଼ର ବୈଷୟିକ ଅଧିକାରୀମାନେ ପୁଣି ଥରେ ବୈଠକ କରିବା ସମ୍ଭାବନା ରହିଛି। ହେଲେ ବୈଠକ କେବେ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ସୂଚନା ମିଳିପାରିନାହିଁ। ସେପଟେ ଓଡ଼ିଶା ସଚିବସ୍ତରୀୟ ବୈଠକ ଡାକିବା ଜିଦ୍‌ରେ ଅଟଳ ରହିଛି।

ଉଲ୍ଲେଖଯୋଗ୍ୟ ଯେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ମୂଳ ମାମଲାର ଶୁଣାଣି ଜାରି ରହିଛି। ଏଭଳି ସ୍ଥିତିରେ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିବା ପାଇଁ ଓଡ଼ିଶା ଦ୍ୱାରା ଅକ୍ଟୋବର ୨୦୧୮ରେ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଥିଲା। ୨୦୧୯ ଫେବ୍ରୁଆରି ୯ ତାରିଖରେ ଟ୍ରିବ୍ୟୁନାଲ ମଧ୍ୟବର୍ତିକାଳୀନ ଆବେଦନର ଶୁଣାଣି ଶେଷ କରି ରାୟ ଶୁଣାଣିବା ପୂର୍ବରୁ ଦୁଇ ରାଜ୍ୟକୁ ଆପୋସ ଆଲୋଚନା ଜରିଆରେ ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ତଦନୁସାରେ, ଅଧିକାରୀସ୍ତରୀୟ ଓ ଆଡଭୋକେଟ୍ ଜେନେରାଲ ସ୍ତରୀୟ ବୈଠକ ହୋଇଥିଲା। କିନ୍ତୁ ସମସ୍ତ ବୈଠକ ବିଫଳ ହୋଇଥିଲା।

ପରେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ପରେ ଦୁଇ ରାଜ୍ୟ ପରସ୍ପର ରାଜ୍ୟରେ ମହାନଦୀ ଅବବାହିକାରେ ଥିବା ପ୍ରକଳ୍ପଗୁଡ଼ିକ ଅନୁଧ୍ୟାନ କରିଥିଲେ। ଟ୍ରିବ୍ୟୁନାଲ ପୁଣି ଥରେ ଅନ୍ତରୀଣ ବ୍ୟବସ୍ଥା ପାଇଁ ବୈଠକ କରିବା ସକାଶେ ଦୁଇ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କରୋନା କଟକଣା ଯୋଗୁଁ ବୈଠକ ବିଳମ୍ବରେ ହୋଇପାରିଥିଲା। ଓଡ଼ିଶାର ସଚିବ ସ୍ତରୀୟ ବୈଠକ ଡକାଯିବା ପାଇଁ ପ୍ରସ୍ତାବକୁ ଛତିଶଗ଼ଡ଼ ମନାକରି ବୈଷୟିକ ଅଧିକାରୀ ସ୍ତରୀୟ ବୈଠକ ପାଇଁ ରାଜି ହୋଇଥିଲା। ହେଲେ ଆଜିର ବୈଠକରେ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe