ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌, ସତ୍ୟପାଠ ଦାଖଲ କଲେ ମହାରାଷ୍ଟ୍ର ସରକାର

Advertisment
୧୦ରେ ଭୁବନେଶ୍ବରରେ ପହଞ୍ଚିବେ ମହାନଦୀ ଟ୍ରିବ୍ୟୁନାଲ୍‌: ଓଡ଼ିଶା‌କୁ ଦୁଇଟି ପର୍ଯ୍ୟାୟରେ ଗସ୍ତ

Patrika

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଆଜି ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ ଓଡ଼ିଶା ଦ୍ବାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନ ଖାରଜ କରିବାପାଇଁ ପ୍ରାର୍ଥନା କରାଯାଇଛି। ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିରୋଧରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଗ୍ରହଣୀୟ ନୁହେଁ ଏବଂ ଏହା ଖାରଜଯୋଗ୍ୟ ବୋଲି ମହାରାଷ୍ଟ୍ର ସରକାରଙ୍କ ସତ୍ୟପାଠରେ ଦର୍ଶାଯାଇଛି। ମହାରାଷ୍ଟ୍ର ଦ୍ବାରା ଟ୍ରିବ୍ୟୁନାଲ୍‌ରେ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଛି ଯେ ଯଦି ଟ୍ରିବ୍ୟୁନାଲ୍‌ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଅନ୍ତରୀଣ ଆଦେଶ ଜାରି କରନ୍ତି, ତା’ହେଲେ ଏହା ପ୍ରାଥମିକ ପର୍ଯ୍ୟାୟରୁ ଓଡ଼ିଶାକୁ ଚୂଡ଼ାନ୍ତ ଆଦେଶ ଦେବା ସଦୃଶ ହେବ। ଅତଏବ ପ୍ରାଥମିକ ପର୍ଯ୍ୟାୟରୁ ହିଁ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଖାରଜ କରିଦିଆଯାଉ। ସେହିପରି ଓଡ଼ିଶା ଦ୍ବାରା ମଧ୍ୟବର୍ତ୍ତୀକାଳୀନ ଆବେଦନ‌ରେ ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ବିରୋଧରେ ଜଳ ବ୍ୟବହାର ନକରିବାପାଇଁ ଅନ୍ତରୀଣ ଆଦେଶ ଜାରି କରିବାପାଇଁ କୌଣସି ଅତିରିକ୍ତ ତଥ୍ୟ ପ୍ରଦାନ କରାଯାଇନଥିବା ସତ୍ୟପାଠରେ ଉଲ୍ଲେଖ ଅଛି। ମହାରାଷ୍ଟ୍ର ସରକାର ମହାନଦୀ ଅବବାହିକାରେ ଅନେକ କ୍ଷୁ୍ଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରିବେ ଯେଉଁଥିରୁ ମହାନଦୀ ଅବବାହିକାରୁ ୭୫୩୩୭ ଜଳ ବ୍ୟବହାର କରାଯିବ। ମହାନଦୀ ଅବବାହିକାରୁ ବ୍ୟବହାର ହେଉଥିବା ସମୁଦାୟ ଜଳରୁ ମହାରାଷ୍ଟ୍ରକୁ ୬ ଟିଏମ୍‌ସି ଜଳ ଆବଶ୍ୟକତା ରହିଥିବା ସତ୍ୟପାଠରେ କୁହାଯାଇଛି। ମହାରାଷ୍ଟ୍ର ସତ୍ୟପାଠର ପ୍ରତ୍ୟୁତ୍ତର ଓଡ଼ିଶା ଡିସେମ୍ବର ୧୪ ସୁଦ୍ଧା ରଖିବ।

ଉଲ୍ଲେଖଯୋଗ୍ୟ ଅକ୍ଟୋବର ୯ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ମଧ୍ୟବର୍ତ୍ତୀକାଳୀନ ଆବେଦନ କରାଯାଇଥିଲା। ଆବେଦନରେ ଅଣ ମୌସୁମୀ ସମୟରେ ଓଡ଼ିଶାକୁ ମହାନଦୀ ଜଳପ୍ରବାହ ୧.୭୪ ଏମ୍‌ଏଏଫ୍‌ ରଖିବାପାଇଁ ଛତିଶଗଡ଼ ସରକାରଙ୍କୁ ଅନ୍ତରୀଣ ନିର୍ଦ୍ଦେଶ ଦେବାପାଇଁ ଟ୍ରିବ୍ୟୁନାଲ୍‌ ନିକଟରେ ପ୍ରାର୍ଥନା କରାଯାଇଥିଲା। ସେହିପରି ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ଅବବାହିକାରୁ ୧୦.୮୩ ଏମ୍‌ଏଏଫ୍‌ରୁ ଅଧିକ ଜଳ ବ୍ୟବହାର ନକରିବାପାଇଁ ମଧ୍ୟ ଓଡ଼ିଶା ମଧ୍ୟବର୍ତ୍ତୀକାଳୀନ ଆବେଦନରେ ଅନ୍ତରୀଣ ଆଦେଶ ପାଇଁ ପ୍ରାର୍ଥନା କରାଯାଇଥିଲା। ଓଡ଼ିଶାର ଆବେଦନ ଉପରେ ସତ୍ୟପାଠ ଜରିଆରେ ପକ୍ଷ ରଖିବାପାଇଁ ମହାନଦୀ ଜଳବିବା‌ଦ ଟ୍ରିବ୍ୟୁନାଲ୍‌ ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe