www.indiatoday.in
ମୁମ୍ବାଇ: ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ହେବ ବୋଲି ଜଣାପଡ଼ିଛି । ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣରେ ପ୍ରାୟ ୧୫ରୁ ୧୮ ଜଣ ମନ୍ତ୍ରୀ ଶପଥ ନେଇ ପାରନ୍ତି। ଏଥିରେ ବିଜେପିର ୧୧ରୁ ୧୨ ଜଣ ବିଧାୟକ ଏବଂ ସିନ୍ଦେ ଗୋଷ୍ଠୀରୁ ୫ ରୁ ୭ଜଣ ବିଧାୟକଙ୍କୁ ସୁଯୋଗ ଦିଆଯାଇପାରେବୋଲି ଚର୍ଚ୍ଚା ହେଉଛି। ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ପରେ ହେବ।
ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ସାୟଦ୍ରୀ ଗେଷ୍ଟ୍ ହାଉସ୍ରେ ନିଜ ଗୋଷ୍ଠୀର ବିଧାୟକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏକ ବୈଠକ ଡକାଇଛନ୍ତି। ଏହି ବୈଠକରେ ସିନ୍ଦେ ମନ୍ତ୍ରିମାନଙ୍କ ନାମ ପ୍ରକାଶ କରିବେ ବୋଲି ସୂଚନା ରହିଛି।
ଅନ୍ୟପକ୍ଷରେ ଉଦ୍ଧବ ଠାକ୍ରେଙ୍କ ଗୋଷ୍ଠୀ ପକ୍ଷରୁ ବିରୋଧୀ ଦଳ ନେତା ଭାବେ ଅମ୍ବାଦାସ୍ ଦନ୍ଭେଙ୍କ ନାମ ସୁପାରିସ କରାଯାଇଛି। ଏ ନେଇ ଠାକ୍ରେ ବିଧାନ ପରିଷଦ ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି।
ତେବେ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସାମିଲ କରାଯିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବ ସରକାରର କେଉଁମାନଙ୍କୁ ବାଦ ଦିଆଯିବ ଓ କେଉଁମାନଙ୍କୁ ସାମିଲ କରାଯିବ ସେନେଇ ଏବେ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଚାଲିଛି। ତେବେ ସୂତ୍ର ମୁତାବକ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକମାନଙ୍କ ପାଇଁ ସ୍ୱତନ୍ତ୍ର ସର୍ତ୍ତ ରଖାଯାଇଛି। ଏହି ଅନୁଯାୟୀ କେବଳ ସ୍ୱଚ୍ଛ ଭାବମୂର୍ତ୍ତି ଥିବା ବିଧାୟକମାନଙ୍କୁ ମନ୍ତ୍ରୀ ପଦ ଦିଆଯିବ।
ଅନ୍ୟପକ୍ଷରେ, ସୂତ୍ରରୁ ମିଳିଥିବା ସୂଚନା ମୁତାବକ କ୍ୟାବିନେଟ ସମ୍ପ୍ରସାରଣରେ ବିଜେପି ହାତରେ ଅର୍ଥ, ଗୃହ ଏବଂ ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିବ। ସେହିପରି ପ୍ରଥମ ପର୍ଯ୍ୟାୟରେ ନଅ ଜଣ ପୂର୍ବତନ ମନ୍ତ୍ରୀଙ୍କୁ ସୁଯୋଗ ଦେବାକୁ ସିନ୍ଦେ ଦାବି କରିଛନ୍ତି। ବିଦ୍ରୋହ ପରେ ଉଦ୍ଧବ ସରକାରଙ୍କ ଏହି ନଅଜଣ ମନ୍ତ୍ରୀ ସିନ୍ଦେଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଏହି ୯ ଜଣଙ୍କ ମଧ୍ୟରୁ ଦୁଇରୁ ତିନି ଜଣଙ୍କ ନାମ କଟାଯାଇପାରେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗତକାଲି ସକାଳେ ଏକନାଥ ସିନ୍ଦେଙ୍କୁ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା।
Follow Us