Image Courtesy of India.com
ନୂଆଦିଲ୍ଲୀ: କଙ୍ଗନା ରଣାୱତ୍ଙ୍କ ଘଟଣା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କୁ ଆଉ ଅଯୋଧ୍ୟାରେ ସ୍ବାଗତ କରାଯିବ ନାହିଁ ବୋଲି ଅଯୋଧ୍ୟାର ସାଧୁସନ୍ଥ ଓ ବିଶ୍ବ ହିନ୍ଦୁ ପରିଷଦ୍ ଘୋଷଣା କରିଛନ୍ତି।
ହନୁମାନ ଗଡ଼ି ମନ୍ଦିରର ପୁରୋହିତ ମହନ୍ତ ରାଜୁ ଦାସ ‘ବିଏମ୍ସି’ ରଣାୱାତଙ୍କ ଅଫିସ୍ ଭାଙ୍ଗିବା ଘଟଣାରେ ପ୍ରଶ୍ନ କରି କହିଛନ୍ତି, ଉଦ୍ଧବ ଠାକ୍ରେ ଓ ଶିବସେନାଙ୍କୁ ଆଉ ଅଯୋଧ୍ୟାକୁ ସ୍ବାଗତ କରାଯିବ ନାହିଁ। ଯଦି ଏଠାକୁ ଆସିବେ ଅଯୋଧ୍ୟାର ସାଧୁସନ୍ଥମାନଙ୍କ ଠାରୁ ତୀବ୍ର ପ୍ରତିରୋଧର ସମ୍ମୁଖୀନ ହେବେ।
ଆହୁରି ବୁଝାଇବାକୁ ଯାଇ ସେ କହିଛନ୍ତି, ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାରାଷ୍ଟ୍ର ସରକାର ଆଦୌ କାଳବିଳମ୍ବ କରିନାହାନ୍ତି। କିନ୍ତୁ, ସେହି ସରକାର ପାଲଗାର୍ରେ ଦୁଇ ସାଧୁଙ୍କ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।
Image Courtesy of Free Press Journalବିଶ୍ବ ହିନ୍ଦୁ ପରିଷଦ୍ର ଆଞ୍ଚଳିକ ମୁଖପାତ୍ର ଶରଦ ଶର୍ମା କହିଛନ୍ତି, ଜାତୀୟତାବାଦୀ ଶକ୍ତିକୁ ସମର୍ଥନ ଏବଂ ମୁମ୍ବାଇରେ ଡ୍ରଗ୍ ମାଫିଆଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିବା କାରଣରୁ ଶିବସେନା ଜାଣିଶୁଣି ଅଭିନେତ୍ରୀଙ୍କୁ ଆକ୍ରମଣ କରିଥିବା କଥା ସୁସ୍ପଷ୍ଟ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ମନ୍ଦ ଚିନ୍ତାଧାରାରେ ପରିଚାଳିତ ହୋଇ କଙ୍ଗନା ରଣାୱତ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
ଅଯୋଧ୍ୟା ସନ୍ଥ ସମାଜର ମୁଖ୍ୟ ମହନ୍ତ କହ୍ନୈୟା ଦାସ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଅସାମାଜିକ କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିବିଶେଷଙ୍କୁ ମହାରାଷ୍ଟ୍ର ସରକାର ଘଣ୍ଟ ଘୋଡ଼ାଉଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଅଯୋଧ୍ୟା ଆଗମନକୁ ସେ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି, ଏବେ ଠାକ୍ରେଙ୍କୁ ଆଉ ଅଯୋଧ୍ୟାକୁ ସ୍ବାଗତ କରାଯିବ ନାହିଁ। ଶିବସେନା କଙ୍ଗନାଙ୍କୁ ଆକ୍ରମଣ କରୁଛି କାହିଁକି? ସମସ୍ତେ ବୁଝିପାରୁଥିବେ। ଏକଥା ଆଉ ରହସ୍ୟାବୃତ ହୋଇ ରହିନାହିଁ। ବାଲାସାହେବ ଠାକ୍ରେ ଅମଳରେ ଯାହା ଥିଲା ଶିବସେନା ଆଉ ତାହା ହୋଇ ନାହିଁ।
୨୦୧୮, ନଭେମ୍ବର ୨୪ରେ ଉଦ୍ଧବ ଅଯୋଧ୍ୟା ଗସ୍ତରେ ଯାଇଥିଲେ। ଗତବର୍ଷ ଜୁନ୍ ୧୬ ତାରିଖରେ ଏବଂ ପୁଣି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ଜୁନ୍ ୧୬ ତାରିଖ ଦିନ ଅଯୋଧ୍ୟା ଯାଇଥିଲେ।
Follow Us