thebetterindia.com
ନାଗପୁର: ମହାରାଷ୍ଟ୍ର ସରକାର ଆଜି ରାଜ୍ୟର କୃଷକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କୃଷକମାନଙ୍କ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ କୃଷିଋଣ ଛାଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ। ରାଜ୍ୟ ବିଧାନସଭାରେ ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେପ୍ଟେମ୍ବର ୩୦, ୨୦୧୯ ସୁଦ୍ଧା ଥିବା ଫସଲ ଋଣକୁ ସରକାର ଛାଡ଼ କରିବେ। ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା ଏହି ଯୋଜନାକୁ ମହାତ୍ମା ଜ୍ୟୋତିରାଓ ଫୁଲେ ଋଣଛାଡ଼ ଯୋଜନା କୁହାଯିବ ବୋଲି ଠାକ୍ରେ କହିଛନ୍ତି। ଏହାବାଦ୍ ଯେଉଁ କୃଷକମାନେ ସମୟ ମଧ୍ୟରେ ସେମାନଙ୍କ ଋଣ ପରିଶୋଧ କରିଛନ୍ତି ବା କରିବେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ ହେବ। ଅର୍ଥ ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି, ଏହି ଋଣଛାଡ଼ ପାଇଁ କୌଣସି ସର୍ତ୍ତ ନାହିଁ ଏବଂ ଏସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଖୁବ୍ ଶୀଘ୍ର ପ୍ରକାଶ କରାଯିବ। ଅନ୍ୟପକ୍ଷେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଦ୍ବାରା ଘୋଷଣା କରାଯାଇଥିବା କୃଷି ଋଣ ଛାଡ଼ ଯୋଜନା ବିରୋଧରେ ବିଜେପି ଆନ୍ଦୋଳନ କରିବ। ଏହି କୃଷିଋଣ ଛାଡ଼ କୃଷକମାନଙ୍କ ପାଇଁ ଏକ ଠକାମି ବୋଲି ସେ କହିଛନ୍ତି। ଏ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଫଡ଼ନାବିସ କହିଛନ୍ତି।
Follow Us