ସରକାରୀ ବିମାନରେ ଯାତ୍ରା ପାଇଁ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ମିଳିଲାନି ଅନୁମତି; ସରକାରୀ ବିମାନରୁ ଓହ୍ଲାଇ ଘରୋଇ ବିମାନରେ ଯାତ୍ରା କଲେ

ସରକାରୀ ବିମାନରେ ଯାତ୍ରା ପାଇଁ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ମିଳିଲାନି ଅନୁମତି; ସରକାରୀ ବିମାନରୁ ଓହ୍ଲାଇ ଘରୋଇ ବିମାନରେ ଯାତ୍ରା କଲେ

Amarujjala

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ବିଏସ୍‌ କୋଶୟାରୀଙ୍କୁ ଉଦ୍ଧବ ଠାକ୍‌ରେଙ୍କ ସରକାର ରାଜ୍ୟ ସରକାରୀ ବିମାନରେ ଯାତ୍ରା କରିବା ପାଇଁ ଅନୁମତି ନ ଦେଇ ତାଙ୍କୁ ବିମାନରୁ ଓହ୍ଲାଇ ଯିବା ପାଇଁ ବାଧ୍ୟ କରିଥିବା ଘଟଣା ଆଜି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆଜି (ଗୁରୁବାର) ମହାରାଷ୍ଟ୍ର ରାଜ୍ୟପାଳ କୋଶୟାରୀ ରାଜ୍ୟ ସରକାରଙ୍କ ବିମାନରେ ଉତ୍ତରାଖଣ୍ଡର ଡେରାଡୁନ୍‌ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ତେବେ, ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେଙ୍କ ସରକାର ତାଙ୍କୁ ସରକାରୀ ବିମାନରେ ଉଡ଼ିବାକୁ ଅନୁମତି ଦେଇ ନାହାନ୍ତି।

ସୂଚନାନୁସାରେ ରାଜ୍ୟପାଳ କୋଶୟାରୀ ଆଜି ସକାଳ ୧୦ଟାରେ ମୁମ୍ବାଇରୁ ଡେରାଡୁନ ଯିବାକୁ ବାହାରିଥିଲେ। ଶୁକ୍ରବାର ଦିନ ମସୌରୀରେ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ କୋଶୟାରୀଙ୍କ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ଗସ୍ତସୂଚୀ ଅନୁଯାୟୀ ସେ ପ୍ରଥମେ ଡେରାଡୁନ୍‌ ଯିବାର କାର୍ଯ୍ୟକ୍ରମ ଥିଲା ଏବଂ ସେଠାରୁ ସେ ମସୌରୀ ଯାତ୍ରା କରିଥାଆନ୍ତେ। ସେହି ଅନୁଯାୟୀ, ରାଜ୍ୟପାଳଙ୍କ ଗସ୍ତ ନିମନ୍ତେ ଏକ ରାଜ୍ୟ ସରକାରୀ ବିମାନ ବୁକ୍‌ କରାଯାଇଥିଲା। କିନ୍ତୁ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏଥିନେଇ କୌଣସି ଅନୁମତି ରାଜ୍ୟ ସରକାରଙ୍କ ନିକଟରୁ ଆସି ନଥିଲା।

ରାଜ୍ୟ ସରକାରଙ୍କର ବିମାନ ବ୍ୟବହାର କଲାବେଳେ ସାଧାରଣତଃ ରାଜ୍ୟପାଳମାନେ ସରକାରଙ୍କର ଅନୁମତି ଆସିବା ପାଇଁ ଅପେକ୍ଷା କରନ୍ତି ନାହିଁ। ତେଣୁ, ରାଜ୍ୟପାଳ ନିର୍ଦ୍ଧାରିତ ସମୟରେ ଯାତ୍ରା କରିବା ପାଇଁ ଯାଇ ସରକାରୀ ବିମାନରେ ବସିଥିଲେ। କିନ୍ତୁ, ବିମାନର ପାଇଲଟ ତାଙ୍କୁ ଜଣାଇ ଦେଇଥିଲେ ଯେ ସେ ଉଡ଼ାଣ ଭରିପାରିବେ ନାହିଁ। କାରଣ ଡେରାଡୁନ୍‌କୁ ଉଡାଣ ଭରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଅନୁମତି ପାଇ ନାହାନ୍ତି।

publive-image NDTV

ଏକଥା ଶୁଣିବା ପରେ ରାଜ୍ୟପାଳ କୋଶୟାରୀ ସରକାରୀ ବିମାନରୁ ଓହ୍ଲାଇ ଆସିଥିଲେ। ପରେ, ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏକ ଘରୋଇ ବିମାନରେ ତାଙ୍କ ନିମନ୍ତେ ସିଟ୍‌ ବୁକ୍‌ କରିଥିଲା ଏବଂ ସେ ଦିନ ପ୍ରାୟ ୧୨.୧୫ ସମୟରେ ଡେରାଡୁନ୍‌ ଅଭିମୁଖେ ଯାତ୍ରା କରିଥିଲେ।

ଏହି ଘଟଣାକୁ କେନ୍ଦ୍ରକରି ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ପଡ଼ିଛି। ରାଜ୍ୟରେ ବିରୋଧୀ ବିଜେପି ଏଥିପାଇଁ ଉଦ୍ଧବ ଠାକୁରଙ୍କ ନେତୃତ୍ୱାଧୀନ ସରକାର କ୍ଷମା ମାଗିବାକୁ ଦାବି କରିଛି। ମହାରାଷ୍ଟ୍ରର ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମଧ୍ୟ ଏହି ଘଟଣାର ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ ଏ ସଂପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ ଏବଂ ସେ ତଥ୍ୟ ସଂଗ୍ରହ କରିବା ପରେ ଯାଇ ମନ୍ତବ୍ୟ ଦେଇ ପାରିବେ।

ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଶିବସେନା-ଏନସିପି-କଂଗ୍ରେସ ମିଳିତ ସରକାର ଗତ ବର୍ଷ ନଭେମ୍ବରର ପ୍ରଥମ ସପ୍ତାହରେ କୋଶୟାରୀଙ୍କୁ ରାଜ୍ୟପାଳଙ୍କ କୋଟା ଅନୁଯାୟୀ ବିଧାନ ପରିଷଦରେ ନିଯୁକ୍ତି ପାଇଁ ୧୨ଟି ନାମ ସୁପାରିଶ କରିଥିଲେ। କିନ୍ତୁ ରାଜ୍ୟପାଳ ଏଯାବତ୍‌ ଏହି ନାମଗୁଡିକୁ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ କରିନାହାନ୍ତି। ଏହି ଘଟଣାକୁ କେନ୍ଦ୍ର କରି ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଏହି ଘଟଣା ତାହାର ପ୍ରତିଫଳନ ବୋଲି କୁହାଯାଉଥିବା ବେଳେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ନାମକୁ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ କରିବା ରାଜ୍ୟପାଳଙ୍କ ଅଧିକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe