Vartha Bharathi
ମୁମ୍ବାଇ/ବେଙ୍ଗାଲୁରୁ : ସୀମା ବିବାଦକୁ ନେଇ ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଫୋନ୍ରେ କଥା ହୋଇ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜି ହୋଇଛନ୍ତି। ତଥାପି ସୁରକ୍ଷା ଦୃଷ୍ଟିରୁ ଦୁଇ ରାଜ୍ୟ ପକ୍ଷରୁ ସୀମାନ୍ତରେ ୧୦୦୦ରୁ ଅଧିକ ପୁଲିସ ମୁତୟନ କରାଯାଇଛି। ବୁଧବାର ସୀମା ବିବାଦ ତୀବ୍ର ହୋଇଥିଲା। ଦୁଇ ରାଜ୍ୟର ଗାଡ଼ିଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଏହି ବିବାଦ ଖୁବ୍ଶୀଘ୍ର ଯାଇ ସୁପ୍ରିମ୍କୋର୍ଟରେ ପହଞ୍ଚିବ। କର୍ଣ୍ଣାଟକରେ ଆସନ୍ତା ଏପ୍ରିଲ-ମେ ମାସରେ ନିର୍ବାଚନ ବି ଅଛି।
ବୁଧବାର କର୍ଣ୍ଣାଟକର ବେଲଗାବି ଜିଲ୍ଲାରେ ପ୍ରବେଶ କରିଥିବା ମହାରାଷ୍ଟ୍ରର ୬ଟି ଟ୍ରକ୍ ଉପରେ ଆକ୍ରମଣ କରାଯାଇଥିଲା। ବେଦିକ କାର୍ଯ୍ୟକର୍ତ୍ତାମାନେ ଟେକା ପକାଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ପୁଣେଠାରେ କର୍ଣ୍ଣାଟକର ୪ଟି ବସ୍କୁ ଉଦ୍ଧବ ଠାକରେଙ୍କ ଶିବସେନା କର୍ମୀମାନେ ଟେକାପଥର ପକାଇ ବସ୍ଗୁଡ଼ିକର ଆଗପଟକୁ ବିକୃତ କରିଦେଇଥିଲେ। ସନ୍ଧ୍ୟାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ବସବରାଜ ବୋମାଇ ଫୋନ୍ରେ କଥା ହୋଇ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ରାଜି ହୋଇଥିଲେ।
ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଥିଲେ ଯେ ଏପରି ଘଟଣା ଗ୍ରହଣୀୟ ନୁହେଁ। ରାଜ୍ୟ ନ ଶୁଣିଲେ ଆମେ କେନ୍ଦ୍ର ଆଗରେ ନିବେଦନ କରିବୁ। ସୁପ୍ରିମ୍କୋର୍ଟ ବୁଝିବେ। କିନ୍ତୁ ହିଂସାରୁ ଲୋକମାନେ ଦୂରେଇ ରହିବା ଉଚିତ। ଶରଦ ପାୱାର ହିଂସା ବନ୍ଦ କରିବାକୁ ବୋମାଇଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି। ନ ହେଲେ ସେ ନିଜେ ବେଲଗାବି ଯିବେ ବୋଲି କହିଛନ୍ତି। ବୋମାଇ କହିଛନ୍ତି ଯେ ତାଙ୍କ ମତରେ ସେ ଦୃଢ଼ ଅଛନ୍ତି। କିନ୍ତୁ ଏ ନେଇ ଖୁବ୍ଶୀଘ୍ର ସେ ସୁପ୍ରିମ୍କୋର୍ଟ ଯିବେ ଏବଂ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହାକୁ ସେ ଗ୍ରହଣ କରିବେ।
Follow Us