india tv
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଆହୁରି ଅଧିକ ସୁଦୃଢ଼ ହୋଇଛି। ସିନ୍ଦେ ଆଜି ଶକ୍ତି ପ୍ରଦର୍ଶନ କରି ଗୌହାଟିର ଏକ ହୋଟେଲ୍ରୁ ଏକ ସଙ୍ଗେ ୪୨ ବିଦ୍ରୋହୀ ବିଧାୟକଙ୍କ ଭିଡିଓ ଜାରି ହୋଇଛି। ପ୍ରଥମ ଥର ପାଇଁ ୪୨ ବିଦ୍ରୋହୀ ବିଧାୟକଙ୍କୁ ଗୋଟିଏ ଫ୍ରେମ୍ରେ ଦେଖିବାକୁ ମିଳିଛି। ଏହି ଭିଡିଓ ଜାରି ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସଙ୍କଟ ଆହୁରି ଜଟିଳ ହୋଇଛି ଏବଂ ଦଳ ଉପରେ ଠାକରେ ପରିବାର ନିୟନ୍ତ୍ରଣ ହରାଇଥିବା ସ୍ପଷ୍ଟ ହୋଇଯାଇଛି। ସିନ୍ଦେଙ୍କ ସମର୍ଥକମାନେ ‘ ଶିବସେନା ଜିନ୍ଦାବାଦ’ ଏବଂ ‘ବାଲସାହେବ ଠାକ୍ରେ କି ଜୟ’ ସ୍ଲୋଗାନ୍ ଦେଉଥିବା ଏହି ଭିଡିଓରେ ଜାରି ହୋଇଛି। ପ୍ରଥମ ଥର ପାଇଁ ସିନ୍ଦେ ଶିବିରର ବିଦ୍ରୋହୀ ଗୋଷ୍ଠୀଙ୍କୁ ଏକାଠି ଦେଖିବାକୁ ମିଳିଛି। ବିଦ୍ରୋହୀ ନେତାମାନେ ଶିବସେନା, ଏକନାଥ ସିନ୍ଦେ ଏବଂ ବାଲ୍ ଠାକ୍ରେଙ୍କ ନାଁ ନେଇ ସ୍ଲୋଗାନ୍ ଦେଇଥିଲେ। କିନ୍ତୁ ସେମାନେ ଉଦ୍ଧବ ଠାକ୍ରେଙ୍କ ନାଁ ନେଇନଥିଲେ। ଆଉ ଏକ ଭିଡିଓରେ ଏକନାଥ ସିନ୍ଦେ ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଉଦ୍ବୋଧନ ଦେଇ ତାଙ୍କ ପଥରେ ବିଜେପିର ସମର୍ଥନ ଥିବା ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କର ଏହି ପଦକ୍ଷେପକୁ ଏକ ବଡ଼ ଜାତୀୟ ରାଜନୈତିକ ଦଳ ସମର୍ଥନ କରିଛି।
ଅନ୍ୟପକ୍ଷେ ଆଜି ସକାଳେ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଭାବପ୍ରବଣ ଭାଷଣରେ ପ୍ରତିକ୍ରିୟା ପ୍ରକାଶ କରି ଏକ ୩ ପୃଷ୍ଠାର ଚିଠି ଜାରି କରିଛନ୍ତି। ଉଦ୍ଧବ ଠାକ୍ରେଙ୍କୁ ଟାର୍ଗେଟ୍ କରି ଆଜି ଏହି ଖୋଲା ଚିଠି ଜାରି ହୋଇଛି। ଏହି ଚିଠି ମାଧ୍ୟରେ କରାଯାଇଥିବା ଅଭିଯୋଗ ଅନୁଯାୟୀ ରାଜ୍ୟରେ ଶିବସେନା ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବାପାଇଁ ସୁଯୋଗ ପାଇନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କେଉଁମାନେ ଭେଟିବେ ତାହା ତାଙ୍କ ପାଖରେ ଥିବା ଲୋକମାନେ ନିଷ୍ପତ୍ତି ନେଇଥାନ୍ତି। ଏହା ଆମକୁ ଖୁବ୍ ଅପମାନ ଦେଇଛି ବୋଲି ସିନ୍ଦେ ଶିବିରର ବିଦ୍ରୋହୀ ବିଧାୟକମାନେ କହିଛନ୍ତି। ବିଦ୍ରୋହୀ ବିଧାୟକଙ୍କ ଦାବି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସେମାନଙ୍କ ପାଇଁ ଗତ ଅଢ଼େଇ ବର୍ଷ ହେବ ବନ୍ଦ ହୋଇସାରିଛି। ସିନ୍ଦେ ଗୋଷ୍ଠୀର ବିଦ୍ରୋହୀ ବିଧାୟକମାନେ ମଧ୍ୟ ରାମ ମନ୍ଦିର ପ୍ରସଙ୍ଗ ଉଠାଇଛନ୍ତି। ହିନ୍ଦୁତ୍ବ ଏବଂ ରାମ ମନ୍ଦିର ଦଳର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ଦଳ ଏବେ ଏଥିରୁ ଦୂରେଇ ଯାଇ ଏନ୍ସିପି, କଂଗ୍ରେସ କଥାରେ ପରିଚାଳିତ ହେଉଥିବା ସେମାନେ କହିଛନ୍ତି।
Follow Us