Image Courtesy of The Times of India
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀକୁ ସୋମବାର ଦିନ ସୁପ୍ରିମ କୋର୍ଟରୁ ଅସ୍ଥାୟୀ ଆଶ୍ବସ୍ତି ମିଳିଛି। ଆସନ୍ତା ମାସ ୧୨ ତାରିଖ ଯାଏଁ ସେମାନଙ୍କୁ ବିଧାନସଭାର ସଭ୍ୟପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ଚାଲିଥିବା ପ୍ରକ୍ରିୟା ଉପରେ କୋର୍ଟ ରୋକ୍ ଲଗାଇଛନ୍ତି। ଏହି ସମୟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଆଗତ ପିଟିସନ ଉପରେ ଶୁଣାଣି କରି କୋର୍ଟ ଉପବାଚସ୍ପତି, ଶିବ ସେନାର ମୁଖ୍ୟ ସଚେତକ, ଗୃହରେ ଶିବ ସେନାର ନେତା ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।
ଶିବ ସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଉପବାଚସ୍ପତି ନରହରି ଜିରୱାଲ ଯେଉଁ ନୋଟିସ ଦେଇଥିଲେ ତାହାକୁ ଚାଲେଞ୍ଜ କରି ଏହି ଗୋଷ୍ଠୀ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପର୍ଦ୍ଦିୱାଲାଙ୍କୁ ନେଇ ଗଠିତ ଅବକାଶକାଳୀନ ବେଞ୍ଚ ଆଜି ମାମଲାର ଶୁଣାଣି କରି ସେମାନଙ୍କୁ ଏଭଳି ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଜୁନ ୨୭ ତାରିଖ ଅପରାହ୍ନ ୫ଟା ୩୦ ସୁଦ୍ଧା ନୋଟିସର ଉତ୍ତର ଦେବାଲାଗି ଉପବାଚସ୍ପତି ଯେଉଁ ସମୟ ଦେଇଥିଲେ ତାହାକୁ କୋର୍ଟ ୧୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହି ସମୟ ମଧ୍ୟରେ ବିଧାୟକମାନେ ଉପବାଚସ୍ପତିଙ୍କ ନିକଟରେ ଉତ୍ତର ରଖିବା ଲାଗି ବେଞ୍ଚ କହିଛନ୍ତି। ସେମାନଙ୍କୁ ଅଯୋଗ୍ୟ ଘୋଷଣା ସଂପର୍କରେ ଏବେ କୌଣସି ନିଷ୍ପତ୍ତି ନନେବା ଲାଗି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଯୋଗ୍ୟ ଘୋଷଣା ଆବେଦନକୁ ଚାଲେଞ୍ଜ କରି ଆଗତ ପିଟିସନ ଉପରେ କୋର୍ଟ ଉପବାଚସ୍ପତି ନରହରି ଜିରୱାଲ, ମୁଖ୍ୟ ସଚେତକ ସୁନୀଲ ପ୍ରଭୁ, ବିଧାୟକ ଦଳ ନେତା ଅନୀଲ ଚୌଧରୀ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଦେଇଛନ୍ତି। ୫ ଦିନ ଭିତରେ ଉତ୍ତର ରଖିବାକୁ ସେମାନଙ୍କୁ କୁହାଯାଇଛି। ଏହାର ଶୁଣାଣି ଜୁଲାଇ ୧୧ ତାରିଖରେ କରିବାକୁ ଦିନ ଧାର୍ଯ୍ୟ ହୋଇଛି।
/sambad/media/post_attachments/wp-content/uploads/2022/06/mahara-1-300x169.jpg)
ଶୁଣାଣି ବେଳେ ବେଞ୍ଚ କହିଥିଲେ ଯେ ଉପବାଚସ୍ପତିଙ୍କୁ ବହିଷ୍କାର ପାଇଁ ନୋଟିସ ହୋଇଛି। ଏଭଳି ସ୍ଥିତିରେ ଉପବାଚସ୍ପତି ବିଧାୟକମାନଙ୍କ ଅଯୋଗ୍ୟ ଘୋଷଣା ସଂପର୍କରେ ନିଷ୍ପତ୍ତି ନେଇପାରିବେ କି ନାହିଁ, ତାହା ଏବେ ପ୍ରମୁଖ ପ୍ରସଙ୍ଗ। ବିଦ୍ରୋହୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ଉପବାଚସ୍ପତିଙ୍କୁ ହଟାଇବା ଲାଗି ନୋଟିସ ବିଚାରାଧୀନ ଥିବାରୁ ଅଯୋଗ୍ୟ ଘୋଷଣା ସଂପର୍କରେ ନିଷ୍ପତ୍ତି ପାଇଁ ତାଙ୍କର କ୍ଷମତା ନାହିଁ। ଏସଂପର୍କରେ କୋର୍ଟ ଉପବାଚସ୍ପତିଙ୍କୁ ନୋଟିସ ପଠାଇବା ସହିତ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।
ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନଆଣିବା ଲାଗି ଅନ୍ତରୀଣ ଆଦେଶ ଜାରି କରିବାକୁ ଶିବ ସେନା ଅନୁରୋଧ କରିବାରୁ କୋର୍ଟ କହିଲେ ଯେ ସେମିତି ସ୍ଥିତି ଆସିନାହିଁ। ଏଭଳି ଆଦେଶ ଦେଲେ ଏହା ଅଯଥା ଜଟିଳତା ସୃଷ୍ଟି କରିବ। ଯଦି କିଛି ବେଆଇନ ଘଟଣା ଉପୁଜେ ତା’ହେଲେ ତୁମେ ସର୍ବଦା ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କୁ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର କହିଥିଲେ ଯେ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଇଛି। ଅତିରିକ୍ତ ସୁରକ୍ଷା ଦେବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି।
Follow Us