ମହାରାଷ୍ଟ୍ର ହିଂସା: ଜିଗ୍ନେଶ, ଉମର୍‌ଙ୍କ ସମେତ ୩୩ ଜଣଙ୍କ ବିରୋଧରେ ମାମଲା ରୁଜୁ

Advertisment
ମହାରାଷ୍ଟ୍ର ହିଂସା: ଜିଗ୍ନେଶ, ଉମର୍‌ଙ୍କ ସମେତ ୩୩ ଜଣଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦେଖାଦେଇଥିବା ଜାତିଆଣ ହିଂସା ଆଜି ନିୟନ୍ତ୍ରଣକୁ ଆସିଥିବା ବେଳେ ୧୩ଟି ଜିଲ୍ଲାରେ ଏବେ ବି ଉତ୍ତେଜନା ଲାଗି ରହିଛି। ହିଂସା ଆଶଙ୍କାରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଆଜି ଦଳିତ ନେତା ଜିଗ୍ନେଶ ମେଓ୍ଵାନି ଏବଂ ଜେଏନୟୁ ଛାତ୍ରନେତା ଉମର ଖାଲିଦଙ୍କ ସମେତ ୩୩ ଜଣଙ୍କ ବିରୋଧରେ ହିଂସା ଓ ଦଙ୍ଗା ପାଇଁ ଲୋକଙ୍କୁ ଉସୁକାଇବା ଏବଂ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ହିଂସାକୁ ପ୍ରୋତ୍ସାହନ ଦେବା ପାଇଁ ଉମର ଏବଂ ଜିଗ୍ନେଶ ଖୋଲାଖୋଲି ଉଦ୍ୟମ କରୁଥିବାରୁ ସେମାନଙ୍କୁ ଆଜି ସଭା ଆୟୋଜନ ପାଇଁ ଅନୁମତି ଦିଆଯାଇ ନାହିଁ। ଏହାକୁ ନେଇ ସେମାନଙ୍କ ସମର୍ଥକମାନେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ମୁମ୍ବାଇର ଭିଲେ ପାର୍ଲେ ସ୍ଥିତ ଭଇଦାସ ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଗ୍ନେଶ ଏବଂ ଉମର ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ପୁଲିସ ଏହି କାର୍ଯ୍ୟକ୍ରମ ଲାଗି ଅନୁମତି ନଦେବା ଫଳରେ ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୃଥକ୍‌ ଭାବେ ଆଜି ପୁନେ ପୁଲିସ ଜିଗ୍ନେଶ ଏବଂ ଉମରଙ୍କ ବିରୋଧରେ ଆଇପିସିର ଧାରା ୧୫୩, ୫୦୫ ଏବଂ ୧୧୭ରେ ଏଫଆଇଆର ରୁଜୁ କରିଛି। ରାଜ୍ୟ ରାଜଧାନୀରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ମୁମ୍ବାଇ ପୁଲିସ ଉକ୍ତ କାର୍ଯ୍ୟକ୍ରମର ଆୟୋଜକ ଏବଂ କିଛି ସମର୍ଥକଙ୍କୁ ଅଟକ ରଖିଛି। ଏହାବାଦ୍‌ ମୁମ୍ବାଇର କିଛି ଅଂଶରେ ୧୪୯ ଧାରା ଜାରି ହୋଇଛି। ଛାତ୍ର ଗୋଷ୍ଠୀ ‘ଛାତ୍ର ଭାରତୀ’ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଜିଗ୍ନେଶ, ଉମର ଖାଲିଦ, ରିଚା ସିଂହ ଏବଂ କପିଲ ପାଟିଲ ଯୋଗ ଦେଇଥାନ୍ତେ। କିନ୍ତୁ କାର୍ଯ୍ୟକ୍ରମକୁ ଅନୁମତି ନମିଳିବାରୁ ଉତ୍ୟକ୍ତ ଛାତ୍ର ବିଶୃଙ୍ଖଳା ସୃଷ୍ଟି କରିଥିଲେ।

ଗୁଜରାଟକୁ ବ୍ୟାପିଲା ଦଳିତ ଆନ୍ଦୋଳନ

ନୂଆଦିଲ୍ଲୀ ପୁନେର ଭୀମା କୋରେଗାଓଁ ହିଂସାକାଣ୍ଡକୁ ନେଇ ମହାରାଷ୍ଟ୍ର ଅଶାନ୍ତ ରହିଥିବା ବେଳେ ଏବେ ଦଳିତ ଆନ୍ଦୋଳନ ଗୁଜରାଟରେ ପହଞ୍ଚିଛି। ମହାରାଷ୍ଟ୍ରରେ ଦଳିତ ଆନ୍ଦୋଳନଜନିତ ହିଂସାର ୨ ଦିନ ପରେ ଆଜି ଗୁଜରାଟର ଜୁନାଗଡ଼ରେ ଦଳିତମାନେ ଆନ୍ଦୋଳନ କରିଛନ୍ତି। କୋରେଗାଓଁ ହିଂସାକାଣ୍ଡରେ ଦଳିତ ଯୁବକଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନକାରୀମାନେ ଜୁନାଗଡ଼ର ମଧୁରାମ ବାଇପାସ୍‌ ରୋଡ୍‌ ବନ୍ଦ କରିବା ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ସେହିପରି ଗତକାଲି ମହାରାଷ୍ଟ୍ର ବନ୍ଦ ଡାକରାକୁ ନେଇ ମୁମ୍ବାଇ ପୁଲିସ ୧୬ଟି ଏଫଆଇଆର ରୁଜୁ କରିଛି । ଏବଂ ୩୦୦ରୁ ଊର୍ଦ୍ଧ୍ୱ ଉତ୍ୟକ୍ତ ଜନତାଙ୍କୁ ଅଟକ ରଖିଛି। କୋହ୍ଲାପୁର ଜିଲ୍ଲାରେ ହିଂସା ଥମି ନଥିବା ହେତୁ ଏଠାରେ ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe