ମୋତେ ଅପହରଣ କରାଯାଇଥିଲା; ନାଗପୁରରେ ପହଞ୍ଚିବା ପରେ ଏଭଳି କହିଲେ ଶିବସେନା ବିଧାୟକ

Advertisment
ମୋତେ ଅପହରଣ କରାଯାଇଥିଲା; ନାଗପୁରରେ ପହଞ୍ଚିବା ପରେ ଏଭଳି କହିଲେ ଶିବସେନା ବିଧାୟକ

ମୁମ୍ବାଇ: ମୋ ସହ ୪୬ଜଣ ବିଧାୟକ ଅଛନ୍ତି ବୋଲି ଗତକାଲି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଦାବି କରିଥିଲେ। ଏହା ସହ ବିଜେପି ସହ ମେଣ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବାଧ୍ୟ କରିଥିଲେ। ତେବେ ଏହି ସମୟ ମଧ୍ୟରେ ତାଙ୍କ ଶିବିରରୁ ଜଣେ ଶିବସେନା ବିଧାୟକ ନାଗପୁରକୁ ଫେରିଛନ୍ତି। ସିନ୍ଦେ ଶିବିରରୁ ଫେରିଥିବା ଶିବସେନା ବିଧାୟକ ନିତିନ ଦେଶମୁଖ ନାଗପୁରରେ ପହଞ୍ଚି ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସେ ବାଲାସାହେବ ଠାକରେଙ୍କର ପ୍ରକୃତ ଶିବ ସୈନିକ୍ ଏବଂ ସେଥିପାଇଁ ପୁଣି ଥ‌ରେ ସେ ଶିବସେନାକୁ  ଫେରିଛନ୍ତି। ନିତିନ ଅକୋଲା ଜିଲ୍ଲାର ବାଲାପୁରରୁ ଶିବସେନାର ବିଧାୟକ ଥିବା ଜଣାପଡ଼ିଛି।

ସେ କହିଛନ୍ତି ଯେ ସେ ନିଜେ ସୁରଟରୁ ନାଗପୁରକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ୧୦୦-୨୦୦ ପୁଲିସ କର୍ମଚାରୀ ଜଗି ବସିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ତାଙ୍କୁ ସେଠାରୁ ଫେରିବାକୁ ଦିଆଯାଇ ନଥିଲା। ମୋର ହୃଦଘାତ ହୋଇଥିବା ଖବର ମିଛରେ ପ୍ରଚାର କରି ମୋତେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ମୁଁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଅଛି।

ଗତକାଲି ସିନ୍ଦେ ସୁରଟରେ ଥିବା ଜାଣି ଶିବସେନା ନେତା ମିଲିନ୍ଦ ନରଭେକର ମଙ୍ଗଳବାର ଦିନ ଗୁଜୁରାଟର ସୁରଟରେ କ୍ୟାମ୍ପ କରିଥିବା ଏକନାଥ ସିନ୍ଦେ ଏବଂ ଅନ୍ୟ ବିଦ୍ରୋହୀ ଦଳର ବିଧାୟକଙ୍କୁ ଭେଟିଥିଲେ। ପ୍ରାୟ ୨ଘଣ୍ଟା ଧରି ବୈଠକ ଚାଲିବା ପରେ ଉଦ୍ଧବ ଠାକରେଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ସିନ୍ଦେ।

ଏହି ବାର୍ତ୍ତାଳାପ ସମୟରେ ସିନ୍ଦେ ଉଦ୍ଧବ ଠାକରେଙ୍କୁ ବିଜେପି ସହ ମେଣ୍ଟ କରିବାକୁ ପ୍ରସ୍ତାବ ଦେଇଥିଲେ। ସୂତ୍ର ଅନୁଯାୟୀ ଏକନାଥ ସିନ୍ଦେ ଦାବି କରିଥିଲେ ଯେ ତାଙ୍କ ସହ ୩୫ଜଣ ବିଧାୟକ ଅଛନ୍ତି ଏବଂ ଯଦି ଉଦ୍ଧବ ଠାକରେ ବିଜେପି ସହ ମେଣ୍ଟ କରିବାକୁ ପ୍ରସ୍ତୁତ ହୁଅନ୍ତି, ତେବେ ଶିବସେନା ଦଳରେ ବିଭାଜନ ହେବ ନାହିଁ। ଏହା ସହ ସେ ଉଦ୍ଧବ ଠାକରେଙ୍କୁ କହିଥିଲେ ଯେ, ମୋର ମୁଖ୍ୟମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ। ତେଣୁ ମୋତେ ବିଧାୟକ ଦଳ ନେତା ପଦରୁ ହଟାଇବାର କୌଣସି ଆବଶ୍ୟକତା ନଥିଲା।

ତେବେ ବିଜେପି ସହ ମେଣ୍ଟ ପାଇଁ ସିନ୍ଦେ ଦେଇଥିବା ପ୍ରସ୍ତାବ ଉପରେ ଜବାବ ଦେଇ ଠାକରେ କହିଥିଲେ ଯେ, ବିଜେପି ଶିବସେନା ନେତା ଓ କର୍ମୀଙ୍କୁ ହଇରାଣ କରୁଥିଲା। ଅତୀତରେ ଭଲ ବ୍ୟବହାର ମଧ୍ୟ କରିନଥିବାର ପ୍ରମାଣ ରହିଛି।

ଠାକରେଙ୍କ ମୁହଁରୁ ଏଭଳି ଜବାବ ଶୁଣି ସିନ୍ଦେ କହିଥିଲେ ଯେ, ଏବେ ନିଷ୍ପତ୍ତି ଆପଣଙ୍କ ହାତରେ। ମୋ ସମର୍ଥନରେ ଥିବା ବିଧାୟକ ଏନସିପି ଓ କଂଗ୍ରେସ ସହ ଶିବସେନାର ମେଣ୍ଟକୁ ବିରୋଧ କରୁଛନ୍ତି। ତେଣୁ ସେମାନଙ୍କୁ ରାଜି କରାଇବା ପାଇଁ ବିଜେପି ସହ ମେଣ୍ଟ ହେବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe