ଆର୍‌ଏସ୍‌ଏସ୍‌କୁ ମହା‌ରାଷ୍ଟ୍ର ଚାଷୀନେତାଙ୍କ ପତ୍ର:ଗଡ଼କରୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ

Advertisment
ଆର୍‌ଏସ୍‌ଏସ୍‌କୁ ମହା‌ରାଷ୍ଟ୍ର ଚାଷୀନେତାଙ୍କ ପତ୍ର:ଗଡ଼କରୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ ପାଇଁ ମହାରାଷ୍ଟ୍ରରେ ଥିବା ବେଳେ ରାଜ୍ୟର ଜଣେ ଟାଣୁଆ କୃଷକ ନେତା ଆର୍‌ଏସ୍‌ଏସ୍‌କୁ ପତ୍ର ଲେଖି ମୋଦୀଙ୍କ ବଦଳରେ ନୀତୀନ୍‌ ଗଡ଼କରୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି କରିବା ଘଟଣା ବିଜେପି ପାଇଁ ଅଡୁଆ ସୃଷ୍ଟି କରିଛି। ମହାରାଷ୍ଟ୍ରର ଜଣାଶୁଣା ଚାଷୀ ନେତା ତଥା ‘ବସନ୍ତ ରାଓ ନାଏକ ସ୍ବାବଲମ୍ବନ ମିସନ’ର ଅଧ୍ୟକ୍ଷ କିଶୋର ତିୱାରୀ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଏବଂ ସାଧାରଣ ସମ୍ପାଦକ ଭୈୟାଜୀ ସୁରେଶ ଯୋଶୀଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ୨୦୧୯ ନିର୍ବାଚନରେ ଜିତିବାକୁ ହେଲେ ମୋଦୀଙ୍କୁ ହଟାଇ କେନ୍ଦ୍ରମନ୍ତ୍ରୀ ନୀତୀନ୍‌ ଗଡ଼କରୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ହେବ। ଅନ୍ୟଥା ମୋଦୀଙ୍କ ନେତୃତ୍ବରେ ଦଳ ପୁଣି କ୍ଷମତାକୁ ଫେରିବା ଆଶା ଦିଶୁନାହିଁ ବୋଲି ସେ କହିଛନ୍ତି। ନିକଟ‌ରେ ଅନୁଷ୍ଠିତ ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହଙ୍କୁ ଦାୟୀ କରିଛନ୍ତି। ଏହି ଦୁଇ ନେତାଙ୍କ ଅହଂକାର ଯୋଗୁ ୩ ରାଜ୍ୟରେ ବିଜେପି ସରକାରର ପତନ ଘଟିଲା ବୋଲି ଦର୍ଶାଇ ସେ କହିଛନ୍ତି, ସରକାରଙ୍କ ନୀତି ଚାଷୀବିରୋଧୀ ଏବଂ କର୍ମନିଯୁକ୍ତି ବିରୋଧୀ ହୋଇଥିବାରୁ ମୋଦୀଙ୍କ ସ୍ଥାନରେ ଗଡ଼କରୀଙ୍କ ନିଯୁକ୍ତି ହିଁ ଶ୍ରେୟସ୍କର। ବିମୁଦ୍ରୀକରଣ, ଜିଏସ୍‌ଟି ଲାଗୁ ଏବଂ ତୈଳ ଦର ବୃଦ୍ଧି ନିୟନ୍ତ୍ରଣରେ ବିଫଳ ହେବା ଯୋଗୁ ସରକାରଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିଛି।
ଆର୍‌ଏସ୍‌ଏସ୍‌କୁ ଦେଇଥିବା ପତ୍ରରେ ତିୱାରୀ ଉଲ୍ଲେଖ କରିଛନ୍ତି ଯେ ଯେଉଁସବୁ ରାଜ୍ୟରେ ବିଜେପି ହାରିଛି, ସେଠାରେ ବିଜେପି ସରକାରମାନେ ଭଲ କାମ କରୁଥିଲେ। କିନ୍ତୁ ମୋଦୀ ଓ ଶାହଙ୍କ ପ୍ରଚାରରେ ଲୋକେ କ୍ଷୁବ୍ଧ ହୋଇଥିଲେ ଏବଂ ରାଜ୍ୟର ଭଲ କାମକୁ ଅଣଦେଖା କରି କେନ୍ଦ୍ର ସରକାରଙ୍କ ବିଫଳତା ବିରୋଧରେ ଭୋଟ୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe