photo-The financial express
ମୁମ୍ବାଇ: ପଶ୍ଚିମ ଭାରତ ବିଶେଷ କରି ଗୁଜୁରାଟ ଓ ମହାରାଷ୍ଟ୍ରରେ ତାଣ୍ଡବ ମଚାଇଥିବା ବାତ୍ୟା ତାଉତେର ପ୍ରଭାବରେ ଅନେକ ଅଂଚଳ ପ୍ରଭାବିତ ହୋଇଛି | ବାତ୍ୟା ପରର ସ୍ଥିତି ଜାଣିବାକୁ ଏବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତାମାନେ ଅଂଚଳ ବୁଲି ସମୀକ୍ଷା କରୁଛନ୍ତି | ଆଉ ଏହାରି ଭିତରେ ଗସ୍ତ କାର୍ଯ୍ୟକ୍ରମକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି | ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି | ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି ଯେ ସେ ହେଲିକପ୍ଟରରେ ବୁଲି ସର୍ଭେ କରୁନାହାନ୍ତି ବରଂ ପ୍ରଭାବିତ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି |
କୁହାଯାଉଛି ଯେ ମୋଦୀ ଚଳିତ ସପ୍ତାହରେ ବାତ୍ୟା ତାଉତେ ପରେ ହେଲିକପ୍ଟରରେ ଗୁଜୁରାଟରେ ମୋଦୀ ସ୍ଥିତି ସମୀକ୍ଷା କରିଥିଲେ | ତେବେ ଏହାକୁ ନେଇ ମହାରାଷ୍ଟ୍ରର ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗସ୍ତର ସମୟ ନେଇ ପ୍ରଶ୍ନ ଉଠାଇଛନ୍ତି। କାରଣ ଶୁକ୍ରବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କୋଙ୍କଣର ରତ୍ନଗିରି ଓ ସିନ୍ଧୁଦୁର୍ଗ ଜିଲ୍ଲା ଗସ୍ତରେ ଯାଇଥିଲେ ଓ ସ୍ଥିତି ସମୀକ୍ଷା କରିଥିଲେ | ଆଉ ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ମାତ୍ର ତିନି ଘଣ୍ଟା ଗସ୍ତ ସମୟରେ କିଭଳି ସ୍ଥିତି ଅନୁଧ୍ୟାନ କରିଦେଲେ |
ଏଥି ସହିତ ବିଧାନ ପରିଷଦର ବିରୋଧୀଦଳର ନେତା ପ୍ରବୀଣ ଡାରେକର ପଚାରିଛନ୍ତି ଯେ ତିନି ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଦ୍ୱାରା ହୋଇଥିବା କ୍ଷୟକ୍ଷତି ବିଷୟରେ ମୁଖ୍ୟମନ୍ତ୍ରୀ କିପରି ଜାଣିପାରିବେ? ବିଜେପିର ସମାଲୋଚନାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, 'ଯଦି ମୁଁ ଚାରି ଘଣ୍ଟା ବି ଗସ୍ତ କରିଥିଲି ଅନ୍ତତ ପକ୍ଷେ ମୁଁ ସ୍ଥିତିର ଆକଳନ କରିବାକୁ ବାତ୍ୟା ପ୍ରଭାବିତ ଅଂଚଳକୁ ଯାଇଥିଲି | ଫଟୋ ଉଠାଇବାକୁ ହେଲିକପ୍ଟରରେ ବସି ବୁଲୁନଥିଲି |
Follow Us