ଗାନ୍ଧୀଜୀଙ୍କୁ କିଏ ମାରିଥିଲା ଚତୁର୍ଥ ଗୁଳି?

ସୁପ୍ରିମକୋର୍ଟରେ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି ଆଜି

ଗାନ୍ଧୀଜୀଙ୍କୁ କିଏ ମାରିଥିଲା ଚତୁର୍ଥ ଗୁଳି?

ନୂଆଦିଲ୍ଲୀ: ୧୯୪୮ ମସିହା ଜାନୁଆରି ୩୦ ତାରିଖରେ ଗାନ୍ଧିଜୀଙ୍କୁ ତିନିଟି ନୁହେଁ ଚାରିଟି ଗୁଳି ମରାଯାଇଥିଲା। ନାଥୁରାମ ଗଡ୍‌ସେଙ୍କ ବ୍ୟତୀତ ସେଠାରେ ଅନ୍ୟ କେହି ଆତତାୟୀ ବି ଥିଲେ। ଏହି ଆତତାୟୀ କିଏ ବା ଚତୁର୍ଥ ଗୁଳି କିଏ ଚଳାଇଥିଲା ସେ ବିଷୟରେ ସେ ସମୟରେ ଠିକ୍‌ ଭାବେ ତଦନ୍ତ କରାଯାଇନଥିବାରୁ ଗାନ୍ଧୀ ହତ୍ୟାକାଣ୍ଡର କେସ୍‌ ରିଓପନ୍‌ କରିବାକୁ ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ ନିଜକୁ ବୀର ସଭରକରଙ୍କ ଅନୁଗାମୀ କହୁଥିବା ଡ. ପଙ୍କଜ ଫଡ୍‌ନିସ୍‌। ସୁପ୍ରିମକୋର୍ଟରେ ଆସନ୍ତାକାଲି ଏହି ଜନସ୍ୱାର୍ଥ ମାମଲାର ଶୁଣାଣି ହେବ।
ପଙ୍କଜ ଫଡ୍‌ନିସ୍‌ଙ୍କ କହିବା କଥା ହେଲା ଗାନ୍ଧୀଜୀଙ୍କ ହତ୍ୟା ଖବର ପ୍ରକାଶ କରିଥିବା ସେ ଦିନର ପ୍ରାୟ ସବୁ ଖବରକାଗଜ ୪ଟି ଗୁଳି ଫୁଟିଥିବା ଦର୍ଶାଇଥିଲେ। ତେବେ ନାଥୁରାମ ଗଡ୍‌ସେଙ୍କଠାରୁ ଘଟଣାସ୍ଥଳରେ ଯେଉଁ ପିସ୍ତଲ ଜବତ ହୋଇଥିଲା ତାହା ୭ଟି ଗୁଳିବିଶିଷ୍ଟ ଥିଲା। ଜବତ ହେବା ବେଳେ ପିସ୍ତଲରେ ୪ଟି ଜୀବନ୍ତ ଗୁଳି ଥିଲା। ଅର୍ଥାତ ସେଥିରୁ ୩ଟି ଗୁଳି ଚାଲିଥିଲା। ଗାନ୍ଧୀଜୀଙ୍କ ମର ଶରୀରକୁ ଗାଧୋଇ ଦେବା ବେଳେ ଚତୁର୍ଥ ଗୁଳିଟି ମିଳିଥିଲା। ଏହି ଗୁଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଙ୍କଜ। ସେ ଦର୍ଶାଇଛନ୍ତି, ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା କପୁର କମିଟି କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଅଣଦେଖା କରିଛନ୍ତି। ଏମିତିକି ପ୍ରତ୍ୟକ୍ଷଦର୍ଶୀ ମନୁବେନ୍‌ଙ୍କ ସାକ୍ଷ୍ୟ ବି ନିଆଯାଇନାହିଁ। ଏକ ସାନି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ପୁଣି ଥରେ ତଦନ୍ତ କରାଯାଉ ବୋଲି ସେ ଆବେଦନ କରିଛନ୍ତି। ପୂର୍ବରୁ ଏଭଳି ଏକ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଥିଲେ। ଏହା ପରେ ପଙ୍କଜ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe