ବ୍ରିଟିଶ୍‌ ମୁଦ୍ରାରେ ସ୍ଥାନ ପାଇବେ ମହାତ୍ମା ଗାନ୍ଧୀ

Advertisment
ବ୍ରିଟିଶ୍‌ ମୁଦ୍ରାରେ ସ୍ଥାନ ପାଇବେ ମହାତ୍ମା ଗାନ୍ଧୀ

Matters India

ଲଣ୍ଡନ୍‌/ନୂଆଦିଲ୍ଲୀ: ଜାତିର ଜନକ ମହାତ୍ମା ଗାନ୍ଧୀ ପ୍ରଥମ ଅଣ ଶ୍ବେତାଙ୍ଗ ବ୍ୟକ୍ତି ଭାବେ ବ୍ରିଟିଶ୍‌ ମୁଦ୍ରାରେ ସ୍ଥାନ ପାଇବେ। ରିପୋର୍ଟ‌୍ ଅନୁଯାୟୀ ରୟାଲ୍‌ ମିଣ୍ଟ୍‌ ଉପଦେଷ୍ଟା କମିଟି ଭାରତର ସ୍ବାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ବ୍ରିଟିଶ୍‌ ମୂଦ୍ରାରେ ତାଙ୍କ ଛବି ରଖିବାପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏସୀୟ, କୃଷ୍ଣକାୟ ଏବଂ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ଅବଦାନକୁ ସ୍ବିକୃତୀ ଦେବାପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅଣ ବ୍ରିଟିଶ୍‌ , ଅଣ ଶ୍ବେତାଙ୍ଗ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ବ୍ରି‌ଟିଶ୍‌ ମୁଦ୍ରାରେ ସ୍ଥାନ ଦେବାଲାଗି ଆରମ୍ଭ ହୋଇଥିବା ଅଭିଯାନକୁ ବ୍ରିଟିଶ୍‌ ଅର୍ଥମନ୍ତ୍ରୀ ରିଶି ସୁନକ ସମର୍ଥନ ଜଣାଇଛନ୍ତି। 'ଆମେ ମଧ୍ୟ ବ୍ରିଟେନ୍‌ ନିର୍ମାଣ କରିଛୁ' ଅଭିଯାନର ନେତୃତ୍ବ ନେଉଥିବା ଜେହରା ଜଇଦିଙ୍କ ନିକଟକୁ ଅର୍ଥମନ୍ତ୍ରୀ ସୁନକ୍‌ ଏକ ଚିଠି ଲେଖିଛନ୍ତି।

ସେଥିରେ ସେ କୃଷ୍ଣକାୟ, ଏସୀୟ ଏବଂ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ମଧ୍ୟ ବ୍ରିଟେନ୍‌ର ଇତିହାସ ପ୍ରତି ଯଥେଷ୍ଟ ଅବଦାନ ରଖିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ତେଣୁ ମହାତ୍ମା ଗାନ୍ଧୀଙ୍କ ଛବି ବ୍ରିଟିଶ୍‌ ମୁଦ୍ରାରେ ସ୍ଥାନ ପାଇବା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟିଶ୍‌ ମୁଦ୍ରାରେ ଗାନ୍ଧୀଙ୍କ ଛବି ରଖିବା ସଂକ୍ରାନ୍ତ ପ୍ରସ୍ତାବ ପ୍ରଥମେ ପୂର୍ବତନ ଚାନ୍ସେଲର ସଜିଦ ଜାଭିଦ ଗତ ଅକ୍ଟୋବର ୨୦୧୯ରେ ଦେଇଥିଲେ। ଏହି ପ୍ରସ୍ତାବ ବାସ୍ତବତାରେ ପରିଣତ ହେଲେ ମହାତ୍ମା ଗାନ୍ଧୀ ପ୍ରଥମ ଅଣ ଶ୍ବେତାଙ୍କ ବ୍ୟକ୍ତି ଭାବେ ବ୍ରିଟିଶ୍‌ ମୁଦ୍ରାରେ ସ୍ଥାନ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe