‘ମେଁ ବିକାଶ ଦୁବେ ହୁଁ! କାନପୁର ଓ୍ଵାଲା!’... ହାଙ୍କିବା ମହଙ୍ଗା ପଡ଼ିଲା; କାନମୁଣ୍ଡାରେ ଶକ୍ତ ଚାପୁଡ଼ା ବସାଇ ପୁଲିସ୍‌ କହିଲା... ‘ଚୁପ୍‌, ଆଓ୍ଵାଜ୍‌ ନେହିଁ’... ଭିଡିଓ ହେଲା ଭାଇରାଲ

‘ମେଁ ବିକାଶ ଦୁବେ ହୁଁ! କାନପୁର ଓ୍ଵାଲା!’... ହାଙ୍କିବା ମହଙ୍ଗା ପଡ଼ିଲା; କାନମୁଣ୍ଡାରେ ଶକ୍ତ ଚାପୁଡ଼ା ବସାଇ ପୁଲିସ୍‌ କହିଲା... ‘ଚୁପ୍‌, ଆଓ୍ଵାଜ୍‌ ନେହିଁ’... ଭିଡିଓ ହେଲା ଭାଇରାଲ

ଇନ୍ଦୋର: ଉତ୍ତରପ୍ରଦେଶ ପୁଲିସ୍‌ ପାଇଁ ‘ମୋଷ୍ଟ ଓ୍ଵାଣ୍ଟେଡ୍‌’ ଥିବା କୁଖ୍ୟାତ ତଥା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଜି ପୂର୍ବାହ୍ନରେ ଏକ ନାଟକୀୟ ଘଟଣାକ୍ରମରେ ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ପ୍ରସିଦ୍ଧ ମହାକାଳ ମନ୍ଦିର ନିକଟରୁ ଗିରଫ କରାଯିବା ଘଟଣାକୁ କେନ୍ଦ୍ରକରି ଦେଶର ରାଜନୀତି ସରଗରମ ହୋଇପଡ଼ିଛି।

ବିରୋଧୀ ଦଳଗୁଡ଼ିକ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରୀ; ଏକ ପୂର୍ବ ଲିଖିତ ନାଟକର ଅଂଶବିଶେଷ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ୟୁପିର ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ମଧ୍ୟପ୍ରଦେଶ ପୁଲିସ୍‌ ଗିରଫ କରିନାହିଁ; ବରଂ ସେ ଆତ୍ମ ସମର୍ପଣ କରିଛି। ଏକପକ୍ଷରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରୀକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଥିବା ବେଳେ ଅନ୍ୟପକ୍ଷରେ ଗିରଫଦାରୀ ସମୟର ଏକ ଭିଡିଓ ଏବେ ଭାଇରାଲ ହେବାକୁ ଆରମ୍ଭ କରିଛି।

publive-image Times of India

ଜାତୀୟ ସ୍ତରର ଅନ୍ୟତମ ପ୍ରମୁଖ ସମ୍ବାଦପତ୍ର ‘ଦ ଟାଇମସ୍‌ ଅଫ୍‌ ଇଣ୍ଡିଆ’ର ଟୁଇଟର ହାଣ୍ଡଲରେ ଏହି ଭିଡିଓଟି ସେୟାର ହୋଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଉଜ୍ଜୟିନୀର ମହାକାଳ ମନ୍ଦିର ନିକଟରୁ ମଧ୍ୟପ୍ରଦେଶ ପୁଲିସର ଏକ ଟିମ୍‌ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଯେତେବେଳେ ଗିରଫ କଲା, ସେ ସମୟରେ ଭୟଭୀତ ହେବା ପରିବର୍ତ୍ତେ ପୁଲିସ୍‌କୁ ନାଲିଆଖି ଦେଖାଇ ହାଙ୍କିଥିଲା... ‘ମେଁ ବିକାଶ ଦୁବେ ହୁଁ! କାନପୁର ଓ୍ଵାଲା’! (ମୁଁ! ବିକାଶ ଦୁବେ! କାନପୁର ବାଲା)।

ତେବେ, ତା’କଥା ପ୍ରତ କର୍ଣ୍ଣପାତ ନକରି ତାକୁ ଗିରଫ କରି ଅନତି ଦୂରରେ ଥିବା ଏକ ପୁଲିସ୍‌ ଜୀପ୍‌ ନିକଟକୁ ନେଉଥିବା ବେଳେ ସେଠାରେ ତା’ ଗିରଫଦାରୀକୁ ଦେଖିବାକୁ କିଛି ଲୋକ ରୁଣ୍ଡ ହୋଇ ଯାଇଥିଲା। ଲୋକମାନଙ୍କୁ ଦେଖିଦେବା ପରେ ରାଗି ଯାଇ ବିକାଶ ଦୁବେ ଉଚ୍ଚଗଳାରେ ଚିତ୍କାର କରି, ‘ମେଁ ବିକାଶ ଦୁବେ ହୁଁ! କାନପୁର ଓ୍ଵାଲା’... କହି ସେମାନଙ୍କ ଆଡ଼କୁ ମାଡ଼ି ଯାଉଥିଲା। ଏଥରକ କିନ୍ତୁ ଆଉ ପୁଲିସ୍‌ ଚୁପ୍‌ ରହିଲା ନାହିଁ। ତା’ପଛରେ ତାକୁ ଧରି ଆସୁଥିବା ଜଣେ ପୁଲିସ୍‌ ଅଧିକାରୀ ତା’ କାନମୁଣ୍ଡାକୁ ଜୋରରେ ଏକ ଚାପୁଡ଼ା ପକାଇ କହିଲେ, ‘ଚୁପ୍‌, ଆଓ୍ଵାଜ୍‌ ନେହିଁ’! (ଚୁପ୍‌! ପାଟିବନ୍ଦ!) ଏହାପରେ ବିକାଶ ଦୁବେ ଚୁପ୍‌ଚାପ୍‌ ଯାଇ ବସିଥିଲା ପୁଲିସ୍‌ ଜୀପ୍‌ ଭିତରେ।

ଉଲ୍ଲେଖଯୋଗ୍ୟ, କାନପୁରରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଗିରଫ କରିବା ପାଇଁ ୟୁପି ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ଯାଇଥିବା ବେଳେ ସେ ସେମାନଙ୍କ ଉପରେ ଏନ୍‌କାଉଣ୍ଟର କରି ୮ ଜଣ ପୁଲିସ୍‌ କର୍ମୀଙ୍କୁ ହତ୍ୟା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe