ପ୍ରମୁଖ ୟୁରୋପୀୟ ଷ୍ଟିଲ ପ୍ଲାଣ୍ଟ ଧ୍ବଂସ; ମାରିୟୁପୋଲ ଜବରଦଖଲ ଏକ ଯୁଦ୍ଧ ଅପରାଧ: ଜେଲେନ୍‌ସ୍କି

Advertisment
ପ୍ରମୁଖ ୟୁରୋପୀୟ ଷ୍ଟିଲ ପ୍ଲାଣ୍ଟ ଧ୍ବଂସ; ମାରିୟୁପୋଲ ଜବରଦଖଲ ଏକ ଯୁଦ୍ଧ ଅପରାଧ: ଜେଲେନ୍‌ସ୍କି

Hindustan Times

ମରିଉପୋଲ: ରୁଷିଆର ଗୋଳାମାଡ଼ ଜାରି ରହିଥିବାରୁ ୟୁକ୍ରେନ୍‌ର ଯୁଦ୍ଧ ବିଧ୍ବସ୍ତ ମାରିୟୁପୋଲ ସହରର ହଜାର ହଜାର ଲୋକ ବଞ୍ଚିବା ପାଇଁ ସହର ଛାଡ଼ି ଅନ୍ୟତ୍ର ଆଶ୍ରୟ ଖୋଜୁଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ବନ୍ଦର-ସହରରେ ଏବେ ଆଉ ଲୋକଙ୍କୁ ପାଣି, ବିଜୁଳି କି ଅନ୍ୟାନ୍ୟ ମୌଳିକ ସୁବିଧା ମିଳୁନାହିଁ। ରୁଷ୍ ସେନା ଏବେ ସହରର ଅଭ୍ୟନ୍ତରରେ ପ୍ରବେଶ କରି ସାରିଥିବା ବେଳେ ରାସ୍ତା ଉପରେ ଯୁଦ୍ଧ ହେଉଥିବା ଦେଖାଯାଉଛି।

ମାରିୟୁପୋଲ ସହରରେ ଥିବା ପ୍ରମୁଖ ଇସ୍ପାତ କାରଖାନା ଆଜୋଭଷ୍ଟାଲ ରୁଷ୍ ସେନାର ଆକ୍ରମଣରେ ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ବନ୍ଦ ହୋଇଯାଇଛି। ୟୁକ୍ରେନୀୟ ସାଂସଦ ଲେସିଆ ବାସିଲେଙ୍କୋ ଇସ୍ପାତ କାରଖାନା ଜଳୁଥିବା ଓ ମୋଟା କଳାଧୂଆଁ ଆକାଶକୁ ଉଠୁଥିବାର ଭିଡିଓ ଗଣମାଧ୍ୟମରେ ଛାଡ଼ିଛନ୍ତି। ଏହାଦ୍ବାରା ୟୁରୋପର ଅନ୍ୟତମ ବୃହତ୍ ଇସ୍ପାତ କାରଖାନା ଧ୍ବଂସ ପାଇଗଲା ଏବଂ ପରିବେଶର କ୍ଷତି ସହ ୟୁକ୍ରେନ୍‌ର ବ୍ୟାପକ ଆର୍ଥିକ କ୍ଷତି ଘଟିଲା ବୋଲି ସେ ଟ୍ବିଟ୍ କରି ମତ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି, ରୁଷ୍‌ର ମାରିୟୁପୋଲ ଜବରଦଖଲକୁ ଇତିହାସରେ ଏକ ଯୁଦ୍ଧ ଅପରାଧ ବୋଲି ଗଣାଯିବ। ଶତାବ୍ଦୀ ଶତାବ୍ଦୀ ଧରି ରୁଷିଆର ଏ ଆତଙ୍କବାଦ ମନେ ରହିବ ବୋଲି ସେ କହିଛନ୍ତି। ମାରିୟୁପୋଲର ନଗର ପରିଷଦ କହିଛି ଯେ, ରୁଷ୍ ସେନା ହଜାର ହଜାର ଲୋକଙ୍କୁ ସହରରୁ ବିତାଡ଼ିତ କରିଦେଇଛି। ଜବରଦଖଲକାରୀ ସେନା ସ୍ଥାନୀୟ ଲୋକମାନଙ୍କୁ ଗତ ସପ୍ତାହରୁ ନିଜ ଭିଟାମାଟି ଛାଡ଼ି ଚାଲିଯିବାକୁ ବାଧ୍ୟ କରୁଛି। ଲେଭୋବେରେଝନି ଜିଲ୍ଲାର ଏକ ସ୍ପୋର୍ଟସ କ୍ଲବ୍ କୋଠାରେ ଏକ ହଜାରରୁ ଅଧିକ ଲୋକ, ମୁଖ୍ୟତଃ ମହିଳା ଓ ଛୋଟ ପିଲା, ଗୋଳାମାଡ଼ରୁ ବର୍ତ୍ତିବା ପାଇଁ ଆଶ୍ରୟ ନେଇଥିଲେ। ରୁଷ୍ ସେନା ସେମାନଙ୍କୁ ସେଠାରୁ ବେଆଇନ ଭାବରେ ତଡ଼ିଦେଇଛି। ଶନିବାର ୧୦ଟିରୁ ୮ଟି ମାନବୀୟ କରିଡର ଦେଇ ଲୋକମାନେ ସ୍ଥାନାନ୍ତରିତ ହୋଇଥିଲେ। ଏଥିପାଇଁ ନିୟୋଜିତ ବସ୍‌ଗୁଡ଼ିକର ଏକ ଧାଡ଼ିକୁ ରୁଷ୍ ସେନା ଅଟକାଇଥିଲେ। ବସ୍‌ଗୁଡ଼ିକୁ ସହର ଭିତରେ ପଶିବା ପାଇଁ ଦିଆଯାଇ ନ ଥିଲା। ମରିଉପୋଲରେ ଅଦ୍ୟାବଧି ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ଫସି ରହିଥିବା ଜଣାପଡ଼ିଛି। ଖାଦ୍ୟ ନାହିଁ, ପାଣି ନାହିଁ କି ବିଜୁଳି ନାହିଁ ଏବଂ ତା’ ଭିତରେ ଅନବରତ ଗୁଳିଗୋଳା ବର୍ଷଣ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe