ୱାସିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେଡେରାଲ ଅମଲାତନ୍ତ୍ରରେ ବଡ଼ ଧରଣର ସୁଧାର ଆଣି ପାଇଁ ସରକାରୀ ଦକ୍ଷତା ବିଭାଗ ‘ଡୋଗି’ (ଡିଓଜିଇ) ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହାର ନେତୃତ୍ୱ ନେବା ପାଇଁ ସେ ‘ମହାନ’ ଏଲନ୍ ମସ୍କ ଏବଂ ‘ଆମେରିକୀୟ ଦେଶପ୍ରେମୀ’ ଭାରତୀୟ-ଆମେରିକୀୟ ବିବେକ ରାମସ୍ୱାମୀଙ୍କୁ ମନୋନୀତ କରିଛନ୍ତି।
ଏକ ବିବୃତିରେ ଟ୍ରମ୍ପ କହିଛନ୍ତି ଯେ ୫୩ ବର୍ଷୀୟ ମସ୍କ ଏବଂ ୩୯ ବର୍ଷୀୟ ରାମସ୍ୱାମୀ ହ୍ୱାଇଟ୍ ହାଉସ୍କୁ ‘ପରାମର୍ଶ ଓ ମାର୍ଗଦର୍ଶନ’ ପ୍ରଦାନ କରିବା ପାଇଁ ସରକାର ବାହାରୁ କାମ କରିବେ, ପରିଚାଳନା ଓ ବଜେଟ୍ କାର୍ଯ୍ୟାଳୟ ସହିତ ପ୍ରଶାସନରେ ବଡ଼ ଧରଣର ଢାଞ୍ଚାଗତ ସଂସ୍କାର ଆଣିବେ ଏବଂ ସରକାର ପ୍ରତି ଉଦ୍ୟୋଗୀ ଆଭିମୁଖ୍ୟ ସୃଷ୍ଟି କରିବେ। ‘ଏହି ଦୁଇ ଚମତ୍କାର ଆମେରିକୀୟ ମିଶି ମୋ ପ୍ରଶାସନ ପାଇଁ ସରକାରୀ ଅମଲାତନ୍ତ୍ରରେ ସଂସ୍କାର ଆଣିବା, ଅତିରିକ୍ତ ନିୟମକୁ ହ୍ରାସ କରିବା, ଅଯଥା ଖର୍ଚ୍ଚ ହ୍ରାସ କରିବା ଏବଂ ସଂଘୀୟ ଏଜେନ୍ସିଗୁଡ଼ିକର ପୁନର୍ଗଠନ କରିବା ଦାୟିତ୍ବ ଗ୍ରହଣ କରିବେ। ୨୦୨୬ ଜୁଲାଇ ୪ ସୁଦ୍ଧା ସେମାନଙ୍କ କାର୍ଯ୍ୟ ଶେଷ ହେବ ।’ ଏହି ଘୋଷଣାର ଜବାବରେ ମସ୍କ କହିଛନ୍ତି ଯେ, ସରକାରୀ କଳରେ ଅନେକ ଅଳିଆ ଅଛି ଏବଂ ତାହାକୁ ସଫା କରି ସଂସ୍କାର ଆଣିବା ଜରୁରୀ।
Follow Us