Zee News
ମସ୍କୋ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ପୁଟିନ ମୋଦୀଙ୍କୁ ଜଣେ ‘ସଚ୍ଚା ଦେଶଭକ୍ତ’ କହିଛନ୍ତି। ମୋଦୀଙ୍କ ନେତୃତ୍ବରେ ଭାରତ ବହୁତ ଆଗକୁ ବଢ଼ିଛି ଏବଂ ଭାରତରେ ପ୍ରଗତି ଆସିଛି ବୋଲି ପୁଟିନ କହିଛନ୍ତି। ମସ୍କୋରେ ଭଲଦାଇ ଡିସ୍କସନ୍ କ୍ଲବ୍ର ୧୯ତମ ବାର୍ଷିକ ବୈଠକର ପ୍ଲେନାରି ସେସନ୍ରେ ପୁଟିନ ମୋଦୀଙ୍କୁ ଏଭଳି ଭୂୟସୀ ପ୍ରଶଂସା କରିଛନ୍ତି।
ପୁଟିନ କହିଛନ୍ତି, ‘ମେକ୍ ଇନ ଇଣ୍ଡିଆ’ ଅଭିଯାନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରୟାସ। ବ୍ରିଟିସ ଉପନିବେଶ ହେବା ଠାରୁ ଆରମ୍ଭ କରି ଆଧୁନିକ ରାଷ୍ଟ୍ର ପର୍ଯ୍ୟନ୍ତ ଭାରତ ଏକ ବିଶାଳ ବିକାଶ ପଥ ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତରେ ଗତ କିଛି ବର୍ଷ ମଧ୍ୟରେ ଅନେକ କିଛି ହୋଇଛି। ଭାରତ ବିଶ୍ବରେ ସବୁଠାରୁ ବଡ଼ ଗଣତନ୍ତ୍ର ହେବା ସହ ଏହାର ବିକାଶକୁ ଏବେ ଠିକ୍ ରାସ୍ତାରେ ନେବାକୁ ସମର୍ଥ ହୋଇଛି। ପୁଟିନ କହିଛନ୍ତି, ଭାରତ ସହ ଆମର ଅତି ଘନିଷ୍ଟ ସମ୍ପର୍କ ରହିଛି ଏବଂ ଦୁଇ ରାଷ୍ଟ୍ର ମଧ୍ୟରେ କୌଣସି ବିବାଦୀୟ ପ୍ରସଙ୍ଗ ନାହିଁ। ଆମେ ସବୁବେଳେ ପରସ୍ପରକୁ ସହଯୋଗ କରିଛୁ ଏବଂ ଭବିଷ୍ୟତରେ ମଧ୍ୟ ଭାରତ- ରୁଷ୍ ସମ୍ପର୍କକୁ ନେଇ ମୁଁ ସକରାତ୍ମକ ରହିଛି। ଭାରତ ଏବଂ ରୁଷ୍ ମଧ୍ୟରେ ଅର୍ଥନୈତିକ ସହଯୋଗ ମଧ୍ୟ ବୃଦ୍ଧି ପାଇଛି।
ପୁଟିନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଆମକୁ କୀଟନାଶକ ଯୋଗାଣ ବୃଦ୍ଧି ପାଇଁ କହିଥିଲେ। ଭାରତର କୃଷି ପାଇଁ ଏହା ଗୁରୁତ୍ବପୂର୍ଣ୍ଣ। ମୋଦୀଙ୍କ ଅନୁରୋଧକ୍ରମେ ଆମେ କୀଟନାଶକ ଯୋଗାଣ ବଢ଼ାଇଲୁ। ଏହି ଯୋଗାଣ ୭.୬ ପ୍ରତିଶତ ବୃଦ୍ଧି ପାଇଛି । ପୁଟିନ କହିଛନ୍ତି, ସାମରିକ ଏବଂ ବୈଷୟିକ କ୍ଷେତ୍ରରେ ଆମେ ଲଗାତାର ପରସ୍ପରକୁ ସହଯୋଗ କରୁଛୁ । ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବିଶ୍ବରେ ଜଣେ ବ୍ୟକ୍ତି ଯିଏ କି ତାଙ୍କ ରାଷ୍ଟ୍ର ଏବଂ ଲୋକଙ୍କ ସ୍ବାର୍ଥ ପାଇଁ ନିରପେକ୍ଷ ବିଦେଶ ନୀତି ଅନୁସରଣ କରିବାପାଇଁ ସକ୍ଷମ। ପୁଟିନ କହିଛନ୍ତି, ଭାରତ ବୈଶ୍ବିକ ନୀତି କ୍ଷେତ୍ରରେ ଆଗକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ।
Follow Us