The Economic Times
ନୂଆଦିଲ୍ଲୀ: ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସରକାର ଯେଉଁ ସବୁ କାରଣ ଦର୍ଶାଇ ସୁପାରିସକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ସୁପ୍ରିମକୋର୍ଟ ତାହା ସାର୍ବଜନୀନ କରିଦେଉଥିବାରୁ ଆଜି କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ଏହାର କଡ଼ା ବିରୋଧ କରିଛନ୍ତି। ରିଜିକୁ କହିଛନ୍ତି, ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (‘ର’) ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ରିପୋର୍ଟକୁ ଆଧାର କରି ସରକାର ବିଚାରପତି ନିଯୁକ୍ତି ପାଇଁ ଯେଉଁ ନାମଗୁଡ଼ିକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ସୁପ୍ରିମକୋର୍ଟ ତାହାକୁ ୱେବସାଇଟ୍ରେ ଅପଲୋଡ୍ କରିଦେଉଛନ୍ତି। ଗତ ସପ୍ତାହରେ ସରକାର ୩ ଜଣ ପ୍ରାର୍ଥୀଙ୍କର ବିଚାରପତି ଭାବେ ପଦୋନ୍ନତି ପାଇଁ ବିରୋଧ କରିବା ପରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ କଲେଜିୟମ ଏହାକୁ ସୁପ୍ରିମକୋର୍ଟ ୱେବସାଇଟ୍ରେ ସ୍ଥାନିତ କରିଥିଲେ।
ତେବେ ସୁପ୍ରିମକୋର୍ଟ ଉକ୍ତ ନିଯୁକ୍ତି ସଂକ୍ରାନ୍ତରେ ଗୁଇନ୍ଦା ସଂସ୍ଥା ‘ର’ ଏବଂ ଆଇବିର ଗୋପନୀୟ ରିପୋର୍ଟକୁ ସାର୍ବଜନୀନ କରିବା ଭଳି ଅପ୍ରତ୍ୟାଶିତ କାର୍ଯ୍ୟ ଅତ୍ୟନ୍ତ ଚିନ୍ତାଜନକ। ରିଜିଜୁ କହିଛନ୍ତି, ଆଜି କେବଳ ମୁଁ ଉକ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି କିନ୍ତୁ ଏକ ସଠିକ୍ ସମୟରେ ଏନେଇ ମୁଁ ସ୍ପଷ୍ଟ ମତ ରଖିବି। ସର୍ବସାଧାରଣରେ ‘ର’ ଏବଂ ଆଇବିର ସମ୍ବେଦନଶୀଳ ରିପୋର୍ଟ ରଖିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ଇ-କୋର୍ଟ ପ୍ରକଳ୍ପ ସଂକ୍ରାନ୍ତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ରିଜିଜୁ ଏହି ଟିପ୍ପଣୀ ଦେଇଛନ୍ତି।
Follow Us