ସୁଡ଼ଙ୍ଗ ଭିତରେ ଧକ୍ଖା ଖାଇଲେ ଦୁଇ ମାଲେସୀୟ ମେଟ୍ରୋ ଟ୍ରେନ୍‌; ୨୦୦ରୁ ଅଧିକ ଯାତ୍ରୀ ଆହତ

ସୁଡ଼ଙ୍ଗ ଭିତରେ ଧକ୍ଖା ଖାଇଲେ ଦୁଇ ମାଲେସୀୟ ମେଟ୍ରୋ ଟ୍ରେନ୍‌; ୨୦୦ରୁ ଅଧିକ ଯାତ୍ରୀ ଆହତ

Image Courtesy of India Today

କୁଆଲାଲମ୍ପୁର: ସୋମବାର ରାତିରେ ମାଲେସିଆର କୁଆଲାଲମ୍ପୁରସ୍ଥିତ ଏକ ସୁଡ଼ଙ୍ଗରେ ଦୁଇଟି ‘ଲାଇଟ୍‌ ରେଲ୍‌ ଟ୍ରେନ୍‌’ ଧକ୍କା ଖାଇବାରୁ ୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ୨୩ ବର୍ଷ ପୁରାତନ ଭୂତଳ ରେଳ ବ୍ୟବସ୍ଥାରେ ଏହା ହେଉଛି ପ୍ରଥମ ପ୍ରମୁଖ ଦୁର୍ଘଟଣା।

ଆହତ ହୋଇଥିବା ୨୧୩ଜଣଙ୍କ ମଧ୍ୟରୁ ୪୭ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଖୁବ୍‌ ଗୁରୁତର ଥିବା ବେଳେ ବାକି ୧୬୬ଜଣ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରିବହନ ମନ୍ତ୍ରୀ ୱିଇ କା ସିଓଙ୍ଗ୍‌ ଆଞ୍ଚଳିକ ଗଣମାଧ୍ୟମମାନଙ୍କୁ କହିଛନ୍ତି ଯେ, ୨୧୩ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ମେଟ୍ରୋ ଟ୍ରେନ୍‌ ପିଟ୍ରୋନ୍‌ସ୍‌ ଟାୱାର (ବିଶ୍ବର ଯୁଗ୍ମ ନଭଶ୍ଚୁମ୍ଭୀ ଟାୱାର୍‌ଗୁଡ଼ିକ ମଧ୍ୟରୁ ଅନ୍ୟତମ) ନିକଟରେ ସୁଡ଼ଙ୍ଗ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚଳାଯାଉଥିବା ଗୋଟାଏ ଖାଲି ଟ୍ରେନ୍‌ ସହ ଧକ୍କା ଖାଇଥିଲା।

publive-image Image Courtesy of The Daily Star

ଦୁର୍ଘଟଣା ଘଟିବା ସମୟରେ ଗୋଟିଏ ଟ୍ରେନ୍‌ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଚାଲୁଥିବା ବେଳେ ଅନ୍ୟଟି ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ଚାଲୁଥିଲା। ଧକ୍କା ଯୋଗୁଁ ଟ୍ରେନ୍‌ ଚହଲି ଯିବାରୁ କେତେକ ଯାତ୍ରୀ ସିଟ୍‌ ଖସି ପଡ଼ିଥିଲେ।

ଦୁର୍ଘଟଣାର କାରଣ ଜାଣିବା ଲାଗି ପ୍ରଧାମନ୍ତ୍ରୀ ମୁହିୟିଦ୍ଦିନ୍ ୟାସିନ୍‌ ପୂର୍ଣ୍ଣକାଳୀନ ତଦନ୍ତ କରିବା ପାଇଁ ଆଦେଶ ଦେଇଛନ୍ତି। ‘ଟ୍ରେନ୍‌ ଅପରେସନ୍ କଣ୍ଟ୍ରୋଲ୍‌ ସେଣ୍ଟର୍‌’ରେ ଭୁଲ୍ ବୁଝାମଣା ଯୋଗୁଁ ଦୁର୍ଘଟଣା ଘଟିଥାଇ ପାରେ ବୋଲି ପୁଲିସ କହିଛି। ଖାଲି ଟ୍ରେନ୍‌କୁ ଜଣେ ଡ୍ରାଇଭର୍‌ ଚଳାଉଥିବା ବେଳେ ଯାତ୍ରୀବାହୀ ଟ୍ରେନ୍‌କୁ ନିୟନ୍ତ୍ରଣ କରୁଥିଲା ‘ଅପରେସନ୍‌ ସେଣ୍ଟର୍‌’।

ଆଜି ପୁଣି ଉକ୍ତ ‌ସୁଡ଼ଙ୍ଗରେ ମେ‌ଟ୍ରୋ ସେବା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe