‘ଓଡ଼ିଶାର ସି’ପ୍ଲେନ ପ୍ରକଳ୍ପରେ ମାଳଦ୍ବୀପ ସହାୟକ ହେବ’

ଜାତିସଂଘ ସାଧାରଣ ପରିଷଦର ନବ ନିର୍ବାଚିତ ସଭାପତି ମାଳଦ୍ବୀପ କନସୁଲ୍‌ଙ୍କୁ ଭେଟିଲେ

‘ଓଡ଼ିଶାର ସି’ପ୍ଲେନ ପ୍ରକଳ୍ପରେ ମାଳଦ୍ବୀପ ସହାୟକ ହେବ’

ମୁମ୍ବାଇ : ଓଡ଼ିଶା, ଗୁଜରାଟ ଓ ମହାରାଷ୍ଟ୍ରରେ ସି’ପ୍ଲେନ ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ମାଳଦ୍ବୀପର ଟ୍ରାନ୍ସ ମାଲଡିଭିଆନ୍ ଏୟାରଲାଇନ୍ସର ଦକ୍ଷତାକୁ କାର୍ଯ୍ୟରେ ଲଗାଯାଇ ପାରିବ ବୋଲି ମୁମ୍ବାଇଠାରେ ଅବସ୍ଥାପିତ ମାଳଦୀପର ଅବୈତନିକ କନସୁଲ୍‌ ବବି ମହାନ୍ତି ଆଶାବ୍ୟକ୍ତ କରିଛନ୍ତି। ଜାତିସଂଘ ସାଧାରଣ ପରିଷଦର ନବ ନିର୍ବାଚିତ ସଭାପତି ତଥା ମାଳଦ୍ବୀପର ବିଦେଶ ବ୍ୟାପାର ମନ୍ତ୍ରୀ ଅବଦୁଲ୍ଲା ସାହିଦ ମୁମ୍ବାଇଠାରେ ଶ୍ରୀ ମହାନ୍ତିଙ୍କୁ ଭେଟିବା ଅବସରରେ ସେ ଏ ନେଇ ଆଲୋଚନା କରିଥିଲେ।

ଜୁଲାଇ ୨୬ରେ ମାଳଦ୍ବୀପର ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତକାର ହୋଇଛି। ଜାତିସଂଘ ସାଧାରଣ ପରିଷଦର ସଭାପତି ଭାବେ ନିର୍ବାଚିତ ହେବାପରେ ଅବଦୁଲ୍ଲା ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ସହିତ ମାଳଦ୍ବୀପର ସାଂସଦ ହୁସେନ୍ ସାହିନ ମଧ୍ୟ ଅଛନ୍ତି। ମୁମ୍ବାଇସ୍ଥିତ କାର୍ଯ୍ୟାଳୟରେ ଶ୍ରୀ ମହାନ୍ତି ଉଭୟ ଅବଦୁଲ୍ଲା ଏବଂ ସାହିନଙ୍କୁ ସ୍ବାଗତ କରିଥିଲେ। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ସେମାନେ ଉଭୟ ମୁମ୍ବାଇ ସ୍ଥିତ ମାଳଦ୍ବୀପ କନସୁଲଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଏହି ଅବସରରେ ମାଳଦ୍ବୀପ ଏବଂ ମହାରାଷ୍ଟ୍ର ମଧ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନି, ପର୍ଯ୍ୟଟନର ବିକାଶ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଦୁଇ ଦେଶ ମଧ୍ୟରେ ବ୍ୟାବସାୟିକ ଏବଂ କୂଟନୈତିକ ସଂପର୍କ ବୃଦ୍ଧି ପାଇଁ ଶ୍ରୀ ମହାନ୍ତି ଉଦ୍ୟମ ଚଳାଇଛନ୍ତି। ଭାରତ ମହାସାଗର ଅଞ୍ଚଳର ଲୋକଙ୍କୁ ଆର୍ଥିକ ସେବା ଯୋଗାଇ ଦେବା ନିମନ୍ତେ ମାଳଦ୍ବୀପରେ ଏକ ପର୍ଯ୍ୟଟନ ବ୍ୟାଙ୍କ ସ୍ଥାପନ ପାଇଁ ଶ୍ରୀ ମହାନ୍ତି ପ୍ରସ୍ତାବ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଶ୍ରୀ ମହାନ୍ତି ତାଙ୍କ କଷ୍ଟଲବ୍ଧ ଅର୍ଥ ମାଧ୍ୟମରେ ବବି ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ ସ୍ଥାପନ କରି ୨୦୦୪ ମସିହାରୁ ସମାଜସେବା ଏବଂ ଦାତବ୍ୟ କାର୍ଯ୍ୟ କରିଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe