ଟଙ୍କା ଦେଇନପାରିବାରୁ ପାକିସ୍ତାନର ଏକ ବିମାନକୁ ନିଜ ଅଧୀନକୁ ନେଲା ମାଲେସିଆ କମ୍ପାନୀ

Advertisment
ଟଙ୍କା ଦେଇନପାରିବାରୁ ପାକିସ୍ତାନର ଏକ ବିମାନକୁ ନିଜ ଅଧୀନକୁ ନେଲା ମାଲେସିଆ କମ୍ପାନୀ

photo-geo.tv

କୁଆଲାଲମ୍ପୁର: ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନକୁ ଏକ ବଡ ଝଟକା ଦେଇଛି ମାଲେସିଆ | ମାଲେସିଆ ପାକିସ୍ତାନର ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୭୭ ଯାତ୍ରୀବାହୀ ବିମାନକୁ ନିଜ ଅଧୀନକୁ ନେଇଯାଇଛି | ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିମାନଟି ଲିଜରେ ନିଆଯାଇଥିଲା ଏବଂ ଟଙ୍କା ନ ଦେଇ ପାରିବାରୁ ବିମାନଟିକୁ ଜବତ କରାଯାଇଛି। କୁଆଲାଲମ୍ପୁର ବିମାନବନ୍ଦରରେ ଏହି ଘଟଣା ଘଟିଥିବାବେଳେ ସେହି ସମୟରେ ଯାତ୍ରୀ ଏବଂ କର୍ମଚାରୀମାନେ ବିମାନରେ ଥିଲେ | ଆଉ ସମସ୍ତ ଯାତ୍ରୀ ଓ ପାଇଲଟଙ୍କୁ ଓହ୍ଲାଇ ବିମାନଟିକୁ ମାଲେସିଆ ନିଜ ଅଧୀନକୁ ନେଇଥିଲା |

ପାକିସ୍ତାନୀ ଖବରକାଗଜ ଡେଲି ଟାଇମ୍ସର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସରେ ସମୁଦାୟ ୧୨ ଟି ବୋଇଙ୍ଗ ୭୭୭ ବିମାନ ଅଛି। ଏହି ବିମାନଗୁଡ଼ିକୁ ବିଭିନ୍ନ କମ୍ପାନୀ ଦ୍ୱାରା ସମୟ ସମୟରେ ଲିଜ୍ ଦିଆଯାଇଥାଏ । କୁହାଯାଉଛି ଯେ ମାଲେସିଆ ଜବତ କରିଥିବା ବିମାନ ମଧ୍ୟ ଲିଜରେ ଥିଲା କିନ୍ତୁ ଲିଜ୍ ସର୍ତ୍ତ ଅନୁଯାୟୀ ଟଙ୍କା ନଦେବା କାରଣରୁ ବିମାନଟି କୁଆଲାଲମ୍ପୁରରେ ଜବତ କରାଯାଇଛି। କେବଳ ଏହି ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିଭିନ୍ନ ବିବାଦରେ ଛନ୍ଦି ହୋଇଛି |

ସୂଚନା ଥାଉ କି ଗତ ବର୍ଷ ମେ ୨୨ରେ କରାଚିରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା | ଆଉ ଏହି ଦୁର୍ଘଟଣାରେ ୯୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପାଇଲଟଙ୍କ ନକଲି ଲାଇସେନ୍ସ ବାବଦରେ ଜଣାପଡିଥିଲା | ଦେଶର ୮୬୦ ସକ୍ରିୟ ପାଇଲଟଙ୍କ ମଧ୍ୟରୁ ୨୬୦ ଜଣ ପାଇଲଟଙ୍କର ଲାଇସେନ୍ସ ନକଲି ବୋଲି ଜଣାପଡିଥିଲା | ଲାଇସେନ୍ସ ପରୀକ୍ଷାରେ ଏହି ୨୬୦ ଜଣ କପି କରି ପାସ କରିଥିବାର ଜଣାପଡିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe